୧୬ ଦିନ ଭେଣ୍ଟିଲେଟରରେ ବିରୋଧୀ ଦଳ ନେତା:ଡାକ୍ତରଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୨ା୫(ବ୍ୟୁରୋ): କରୋନାରେ ସଂକ୍ରମିତ ହୋଇ ଗତ ୧୬ ଦିନ ହେବ ବିରୋଧୀ ଦଳ ନେତା ତଥା ଭାଜପାର ବରିଷ୍ଠ ନେତା ପ୍ରଦୀପ୍ତ ନାଏକ ଭୁବନେଶ୍ୱର ଏମ୍ସରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସେପରି ଉନ୍ନତି ହେଉନାହିଁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ପ୍ରଦୀପ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ଏମ୍ସ ଡାକ୍ତରମାନଙ୍କ ସହ ଆଲୋଚନା କରିଛନ୍ତି। ଏଥିସହିତ ମୁଖ୍ୟମନ୍ତ୍ରୀ ବିରୋଧୀ ଦଳ ନେତାଙ୍କ ସ୍ବାସ୍ଥ୍ୟାବସ୍ଥା ତଦାରଖ କରୁଥିବା ଏମ୍ସ ଏବଂ ଏସ୍‌ସିବି ଡାକ୍ତରଙ୍କ ସହ ଆଲୋଚନା କରିଥିଲେ। ଆଲୋଚନା ବେଳେ ଡାକ୍ତରମାନେ କହିଛନ୍ତି, ପ୍ରଦୀପ୍ତ ଏବେ କୋଭିଡ୍‌ ନେଗେଟିଭ ଅଛନ୍ତି। ତେବେ ତାଙ୍କ ଶ୍ୱାସ ଯନ୍ତ୍ରରେ ଅଧିକ ସଂକ୍ରମଣ ହୋଇଥିବାରୁ ସେ ଭେଣ୍ଟିଲେଟରରେ ରହିଛନ୍ତି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ଆଡକୁ ଗତିକରୁଛି। ଶୀଘ୍ର ଆରୋଗ୍ୟ କରିବାକୁ ଯଥାସାଧ୍ୟ ଉଦ୍ୟମ ଜାରିରହିଛି । ଏମ୍ସ ନିର୍ଦ୍ଦେଶିକା ଗୀତାଞ୍ଜଳି ବଟମାନାବାନେ ବିରୋଧୀ ଦଳ ନେତାଙ୍କ ଚିକିତ୍ସା ପାଇଁ ସମସ୍ତ ସହାୟତା କରୁଥିବାରୁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଡାକ୍ତରମାନଙ୍କର ଉଦ୍ୟମକୁ ପ୍ରଶଂସା କରିବା ସହ ବିରୋଧୀ ଦଳ ନେତାଙ୍କୁ ସବୁଠାରୁ ଉତ୍ତମ ଚିକିତ୍ସା ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ସହାୟତା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିବା ସହ ପ୍ରଦୀପ୍ତଙ୍କ ଦ୍ରୁତ ଆରୋଗ୍ୟ କାମନା କରିଛନ୍ତି।

Share