ଆସନ୍ତା ୧୬ରେ ପ୍ରଥମ ପର୍ଯ୍ୟାୟ ଭୋଟ୍‌: ୧୪ ସୁଦ୍ଧା ଅଞ୍ଚଳ ଛାଡ଼ିବେ ନେତା-କର୍ମୀ

ଭୁବନେଶ୍ୱର,୧୨।୨(ବ୍ୟୁରୋ): ଆସନ୍ତା ୧୬ରେ ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ। ଏହିଦିନ ୨୦୨ ଜିଲା ପରିଷଦ ଜୋନର ୧୬୬୯ ପଞ୍ଚାୟତରେ ନିର୍ବାଚନ ହେବ । ଏଥିଲାଗି ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ଥିବା ବେଳେ ଅଞ୍ଚଳଗୁଡ଼ିକରେ ପ୍ରଚାର କରୁଥିବା ବାହାରର ନେତା ଏବଂ କର୍ମୀଙ୍କୁ ୧୪ ତାରିଖ ସନ୍ଧ୍ୟା ସୁଦ୍ଧା ସେଠାରୁ ଆସିବା ସୁନିଶ୍ଚିତ କରିବା ଲାଗି ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଶନିବାର ଏନେଇ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ଜିଲ୍ଲାପାଳମାନଙ୍କ ସହ ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ଓ ପୌର ନିର୍ବାଚନ ପାଇଁ ଭୋଟର ତାଲିକା ପ୍ରସ୍ତୁତି କାର୍ଯ୍ୟର ଅଗ୍ରଗତିର ମଧ୍ୟ ସମୀକ୍ଷା କରିଥିଲେ। ବୈଠକ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି, ୧୬ରେ ନିର୍ବାଚନ ହେବାକୁ ଥିବା ଅଞ୍ଚଳରେ ୧୪ତାରିଖ ସା ପରେ ପ୍ରଚାରରେ ନିୟୋଜିତ ଥିବା କୌଣସି ବାହାର ଲୋକ ଅବା ରାଜନୀତିକ କର୍ମୀ-ନେତାମାନଙ୍କୁ ରହିବା ପାଇଁ ଅନୁମତି ମିଳିବ ନାହିଁ । ବାହାରର ସମସ୍ତ ନେତା-କର୍ମୀଙ୍କୁ ଫେବୃୟାରୀ ୧୪ତାରିଖ ସା ସୁଦ୍ଧା ସେସବୁ ସ୍ଥାନ ଛାଡ଼ିବାକୁ ପଡ଼ିବ ।
୧୬ତାରିଖରେ ମୋଟ ୬୭ଲକ୍ଷ ୫୧ହଜାର ୬୮ଜଣ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ । କମିଶନଙ୍କ ଦ୍ୱାରା ଚିହ୍ନଟ ହୋଇଥିବା ସମ୍ବେଦନଶୀଳ ବୁଥରେ ଅତିରିକ୍ତ ପୋଲିସ ମୁତୟନ କରାଯିବ। ସମସ୍ତ ସମ୍ବେଦନଶୀଳ ବୁଥ୍‌ରେ ମତଦାନର ଭିଡିଓ ରେକର୍ଡିଂ କରାଯିବା ସହ ଷ୍ଟ୍ରଙ୍ଗରୁମରେ ସିସିଟିଭି କ୍ୟାମେରା ଲଗାଯିବ । ଭୋଟଗଣତିର ରେକର୍ଡିଂ ମଧ୍ୟ ହେବ ।

Share