ଶାନ୍ତି ଅପେକ୍ଷା ନୋବେଲ ପୁରସ୍କାର ପାଇଁ ନେତା ଆଗ୍ରହୀ

କିଭ୍‌,୨୮ା୯: କେତେଜଣ ନେତା ୟୁକ୍ରେନ୍‌ରେ ବାସ୍ତବରେ ଶାନ୍ତି ଫେରିବା ଚାହୁଁନାହାନ୍ତି। ସେମାନେ ନୋବେଲ ଶାନ୍ତି ପୁରସ୍କାର ପାଇବା ଲକ୍ଷ୍ୟରେ ଶାନ୍ତି ସ୍ଥାପନ ପାଇଁ ମଧ୍ୟସ୍ଥତା ନିମନ୍ତେ ଉଦ୍ୟମ କରୁଛନ୍ତି ବୋଲି ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଅଭିଯୋଗ ଆଣିଛନ୍ତି। କେତେଜଣ ନେତା ବାସ୍ତବ ଶାନ୍ତି ପରିବର୍ତ୍ତେ ବ୍ୟର୍ଥ ଅସ୍ତ୍ରବିରତି ନିମନ୍ତେ ସେମାନଙ୍କ ରାଜନୈତିକ ଜୀବନୀ ପାଇଁ ହୁଏତ ନୋବେଲ ପୁରସ୍କାର ଚାହୁଁଥିଲେ। ଏହା ବଦଳରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ଆପଣମାନଙ୍କୁ କେବଳ ଯନ୍ତ୍ରଣା ଏବଂ ବିପର୍ଯ୍ୟୟ ଦେବେ ବୋଲି ନ୍ୟୁୟର୍କଠାରେ ଗୁରୁବାର ଜାତିସଂଘ ସାଧାରଣ ସଭାରେ ଉଦ୍‌ବୋଧନ ଦେଇ ଜେଲେନ୍‌ସ୍କି କହିଛନ୍ତି। ଯଦିଓ ୟୁକ୍ରେନ୍‌ ରାଷ୍ଟ୍ରପତି ତାଙ୍କ ଅଭିଯୋଗରେ କୌଣସି ନେତାଙ୍କ ନାଁ ନେଇ ନାହାନ୍ତି, ତେବେ ଏହା ବିଶ୍ୱର ବହୁ ନେତାଙ୍କୁ ସୂଚିତ କରୁଛି। ସେମାନଙ୍କ ମଧ୍ୟରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ତଥା ପୁନର୍ବାର ରାଷ୍ଟ୍ରପତି ହେବା ପାଇଁ ନିର୍ବାଚନ ଲଢ଼ୁଥିବା ଡୋନାଲ୍ଡ ଟ୍ରମ୍ପ୍‌, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ, ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ୍‌ ମାକରଁ, ବ୍ରାଜିଲ ରାଷ୍ଟ୍ରପତି ଲୁଇଜ ଇନାସିଓ ଲୁଲା ଡା ସିଲ୍‌ଭା ପ୍ରମୁଖ ଅଛନ୍ତି, ଯେଉଁମାନେ ୟୁକ୍ରେନ୍‌ ଏବଂ ରୁଷିଆକୁ ଯୁଦ୍ଧ ବନ୍ଦ ନିମନ୍ତେ ଆହ୍ବାନ ଦେଇଆସୁଛନ୍ତି। ଟ୍ରମ୍ପ୍‌ ରାଷ୍ଟ୍ରପତି ନିର୍ବାଚିତ ହେଲେ ଯୁଦ୍ଧ ବନ୍ଦ କରିଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଆଲୋଚନା ଏବଂ କୂଟନୈତିକ ଚ୍ୟାନେଲ ଜରିଆରେ ଯୁଦ୍ଧ ବନ୍ଦ କରିବା ପାଇଁ ଭାରତ ବାରମ୍ବାର କହିଆସୁଛି। ନିକଟରେ ନ୍ୟୁୟର୍କରେ ପ୍ରଧାନମନ୍ତ୍ରୀ ମୋଦି ୟୁକ୍ରେନ୍‌ ରାଷ୍ଟ୍ରପତିଙ୍କୁ ଭେଟି ଶାନ୍ତି ପ୍ରକ୍ରିୟାରେ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।

Share