ବ୍ରହ୍ମବରଦା,୨।୪(ଯଯାତି କେଶରୀ ବେହେରା):ଆଗାମୀ ସାଧାରଣ ନିର୍ବାଚନ ନିମନ୍ତେ ସାରା ଦେଶରେ ଆଚରଣବିଧି ଲାଗୁ ହୋଇଛି। ଏ ନେଇ ଜିଲା ପ୍ରଶାସନ ତରଫରୁ ବ୍ୟାପକ ପ୍ରଚାର ପ୍ରସାର କରାଯାଉଥିବାବେଳେ ଗାଁ ଗହଳିରେ ପୋଲିସ ଓ ଜବାନମାନଙ୍କ ଦ୍ୱାରା ଫ୍ଲାଗ୍ ମାର୍ଚ୍ଚ କରାଯାଇ ମତଦାତାମାନଙ୍କ ମଧ୍ୟରେ ସଚେତନ ସୃଷ୍ଟି କରାଯାଉଛି। ଏଥି ସହିତ ପୋଲିସ ପକ୍ଷରୁ ଗାଁଠୁ ସହର ସବୁଠି ଲାଗିଥିବା ନେତା, ମନ୍ତ୍ରୀଙ୍କ ବ୍ୟାନର, ହୋର୍ଡ଼ିଂକୁ ହଟାଇବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି। କେତେକ ସ୍ଥାନରେ ଲାଗିଥିବା ହୋର୍ଡ଼ିଂକୁ ଆବରଣ କରାଯାଉଛି। ହେଲେ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି ରସୁଲପୁର ବ୍ଲକ ବ୍ରହ୍ମବରଦା ପଞ୍ଚାୟତ ଅଞ୍ଚଳରେ। ସେଠାରେ ନେତାଙ୍କ ଶୁଭେଚ୍ଛା ବ୍ୟାନର, ଛକ, ବଜାରରେ ଲାଗିଥିବା ଆଶାୟୀ ପ୍ରାର୍ଥୀଙ୍କ ମାଳ ମାଳ ଫଟୋ ଓ ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ ଯୋଜନାର ବାର୍ତ୍ତା ବହନ କରୁଥିବା ହୋର୍ଡ଼ିଂ ଆଦି ଆଜି ପର୍ଯ୍ୟନ୍ତ ରହିଛି। ଯାହା ନିର୍ବାଚନୀ ଆଚରଣବିଧିକୁ ଖୋଲାଖୋଲି ଉଲ୍ଲଂଘନ କରୁଛି। ବିଶେଷ କରି ବିଦ୍ୟାଳୟ ଫାଟକ ସମ୍ମୁଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ଥିବା ହୋର୍ଡ଼ିଂ ଲାଗିଛି ା ଏହି ହୋର୍ଡ଼ିଂକୁ ହଟାଇବା ନେଇ ପୋଲିସ ପ୍ରଶାସନ ପକ୍ଷରୁ କୌଣସି ତତ୍ପରତା ଦେଖାଉ ନ ଥିବା ବେଳେ ରାଜନେତାଙ୍କ ପ୍ରତି ଅହେତୁକ ଅନୁକମ୍ପା ଭଳି ମନେ ହେଉଛି। ତେଣୁ ବ୍ରହ୍ମବରଦା ଅଞ୍ଚଳର ବିଭିନ୍ନ ସ୍ଥାନରେ ଲାଗିଥିବା ନେତା, ମନ୍ତ୍ରୀ ଓ ଆଶାୟୀ ପ୍ରାର୍ଥୀଙ୍କ ଫଟୋ ଥିବା ବ୍ୟାନର ଓ ହୋର୍ଡ଼ିଂକୁ ତୁରନ୍ତ ହଟେଇବା ନିମନ୍ତେ ଗ୍ରାମବାସୀ ବ୍ରହ୍ମବରଦା ପୋଲିସ ପ୍ରଶାସନ ନିକଟରେ ଦାବି କରିଛନ୍ତି।