Categories: ଜାତୀୟ

ନେତାଙ୍କ ‘ରାକ୍ଷୀ’ ଚର୍ଚ୍ଚା

ଲକ୍ଷ୍ନୌ, ୨୧ା୯: ରାଜନେତାଙ୍କ ମୁହଁରେ ବଲିଉଡ୍‌ ଅଭିନେତ୍ରୀ ରାକ୍ଷୀ ସାଓ୍ବନ୍ତଙ୍କ ନାଁକୁ ନେଇ ଚର୍ଚ୍ଚା ଲାଗି ରହିଛି। ଆମ୍‌ ଆଦ୍‌ମୀ ପାର୍ଟି ନେତା ରାଘବ ଚଢ଼ାଙ୍କ ପରେ ଉତ୍ତରପ୍ରଦେଶ ବାଚସ୍ପତି ହୃଦୟ ନାରାୟଣ ଦୀକ୍ଷିତ୍‌ ମହାତ୍ମା ଗାନ୍ଧୀ ଓ ରାକ୍ଷୀ ସାଓ୍ବନ୍ତଙ୍କ କପଡ଼ା ଉପରେ ବିବାଦୀୟ ମନ୍ତବ୍ୟ ରଖିଛନ୍ତି। ୟୁପିର ଉନ୍ନାଓଠାରେ ଶନିବାର ଭାଜପା ପ୍ରବୁଦ୍ଧ ସମ୍ମିଳନୀରେ ଦୀକ୍ଷିତଙ୍କ କମେଣ୍ଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।
ଦୀକ୍ଷିତ କହିଛନ୍ତି, ଗାନ୍ଧିଜୀ କମ୍‌ କପଡ଼ା ପିନ୍ଧୁଥିଲେ, ଧୋତି ପରିଧାନ କରୁଥିଲେ। ଗାନ୍ଧିଜୀଙ୍କୁ ବାପୁ କୁହାଗଲା। ଯଦି ସେହି କ୍ରମରେ କେହି ପୋଷାକ ଖୋଲିଦେଲେ ମହାନ୍‌ ହୋଇଯାଇଥା’ନ୍ତେ ତେବେ ରାକ୍ଷୀ ସାଓ୍ବନ୍ତ ଗାନ୍ଧୀଙ୍କ ଠାରୁ ବି ବଡ଼ ହୋଇଥା’ନ୍ତେ। ଏଭଳି ମନ୍ତବ୍ୟକୁ ନେଇ ବିବାଦ ଦେଖାଯାଇଥିବାବେଳେ ଏହା ଉପରେ ସେ ସଫେଇ ଦେଇଛନ୍ତି। ଦୀକ୍ଷିତ କହିଛନ୍ତି, ସେ କାହାରି ତୁଳନା କରିନାହାନ୍ତି କିମ୍ବା ତାଙ୍କ କଥାର ପଛରେ କୌଣସି ମନ୍ଦ ଉଦ୍ଦେଶ୍ୟ ନାହିଁ। ସଭାରେ ତାଙ୍କୁ ବିଦ୍ୱାନ ଓ ମହାନ ଆଖ୍ୟା ଦିଆଯିବାରୁ ସେ ଏପରି କହିଥିଲେ। କେବଳ ଲେଖାପଢ଼ା ଜାଣିଦେଲେ କେହି ମହାନ୍‌ ହୋଇ ନ ଥାନ୍ତି। ସେଥିପାଇଁ ଅନ୍ୟ ଗୁଣ ମଧ୍ୟ ଆବଶ୍ୟକ ବୋଲି କହି ଗାନ୍ଧିଜୀଙ୍କ ଉଦାହରଣ ଦେଇଥିଲେ ବୋଲି ଦୀକ୍ଷିତ କହିଛନ୍ତି। ସୂଚନାଯୋଗ୍ୟ, ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କ ଇସ୍ତଫାକୁ ନେଇ କଂଗ୍ରେସ ନେତା ନବଜୋତ୍‌ ସିଦ୍ଧୁଙ୍କୁ ଦଳର ରାକ୍ଷୀ ସାଓ୍ବନ୍ତ ବୋଲି କହି ଏଏପି ନେତା ରାଘବ ଚଢ଼ା ସମାଲୋଚନା କରିଥିଲେ। ରାଘବ ତାଙ୍କ ନାଁରୁ ଦୂରେଇ ରୁହନ୍ତୁ ବୋଲି ରାକ୍ଷୀ କହିଥିଲେ।

Share