ପ୍ରଭାବ ବିସ୍ତାର ପାଇଁ ନେତାଙ୍କ ପ୍ରତିଯୋଗିତା

ଯୋଡ଼ା,୧୪ା୨(ଡି.ଏନ.ଏ.): ଖଣିଜ ସମ୍ପଦରେ ପରିପୂର୍ଣ୍ଣ କେନ୍ଦୁଝର ଜିଲା ଯୋଡ଼ା ବ୍ଲକରେ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରଚାର ଜୋର ଧରିଛି। ଭୋଟରମାନେ ପ୍ରାର୍ଥୀଙ୍କ ଦକ୍ଷତାକୁ ପରଖୁଛନ୍ତି। ଖଣି ଅଞ୍ଚଳ ହୋଇଥିବାରୁ ଅଞ୍ଚଳର ବିକାଶ ଓ ଖଣିରେ ନିଯୁକ୍ତି ସମସ୍ୟା ସମ୍ପର୍କରେ କେଉଁ ପ୍ରାର୍ଥୀ ସ୍ବର ଉଠାଇବାରେ ସମର୍ଥ ହେବେ ତାହାଙ୍କ ଉପରେ ଭୋଟରଙ୍କର ନଜର ରହିଛି। ନିର୍ବାଚନ ଲଢ଼ୁଥିବା ସମସ୍ତ ପ୍ରାର୍ଥୀଙ୍କ ଅତୀତର କାର୍ଯ୍ୟ ଦକ୍ଷତାକୁ ମଧ୍ୟ ଭୋଟର ତଉଲୁଛନ୍ତି। ଏହି ବ୍ଲକ ଅଧୀନ ୩ଟି ଜିଲା ପରିଷଦ ଜୋନ୍‌ରେ ୧୯ ଗ୍ରାମ ପଞ୍ଚାୟତ ରହିଛି। କୃଷି ଅପେକ୍ଷା ଖଣି ଉପରେ ଏଠାକାର ଲୋକେ ଅଧିକ ନିର୍ଭରଶୀଳ। ୨୦୨୦ରେ ଖଣି ନିଲାମ ପ୍ରକ୍ରିୟା ଆରମ୍ଭ ହେବା ପରେ ନୂତନ ଭାବେ ବହୁରାଷ୍ଟ୍ରୀୟ କମ୍ପାନୀମାନେ ଅଞ୍ଚଳର ବିଭିନ୍ନ ଖଣିକୁ ହାତେଇଛନ୍ତି। ଆଗାମୀ ଏକବର୍ଷ ମଧ୍ୟରେ ଯୋଡ଼ା ବ୍ଲକରେ ଥିବା ବହୁ ଖଣିରେ ଗ୍ରାମସଭା ଓ ଜନଶୁଣାଣି ଅନୁଷ୍ଠିତ ହେବ। ତେବେ ଖଣି ଚଳାଇବା ପାଇଁ ରାଜନୈତିକ ସମର୍ଥନର ଆବଶ୍ୟକତା ରହୁଥିବାରୁ ପ୍ରଭାବ ବିସ୍ତାର କରିବା ପାଇଁ ନେତାଙ୍କ ମଧ୍ୟରେ ପ୍ରତିଯୋଗିତା ହୋଇଥାଏ। ଯାହାର ପ୍ରଭାବ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଦେଖିବାକୁ ମିଳୁଛି ା
ଚଳିତ ପଞ୍ଚାୟତ ନିର୍ବାଚନରେ ଶାସକ ଦଳ ବିଜେଡି ଏହି ବ୍ଲକର ୨୬,୨୭ ଓ ୨୮ନଂ. ଜୋନରେ ଜିଲା ପରିଷଦ ପ୍ରାର୍ଥୀ ଦେଇଥିବା ବେଳେ ବିଜେଡି ସମର୍ଥତ୍ତ ପ୍ରାର୍ଥୀ ଭାବେ ୧୯ଟି ପଞ୍ଚାୟତରେ ସରପଞ୍ଚ ଓ ସମିତିସଭ୍ୟ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ବିଜେଡି ସରକାରଙ୍କ ୨୨ ବର୍ଷ ଶାସନ କାଳରେ ଓଡ଼ିଶାର ପ୍ରଗତି ଏବଂ ସରକାରଙ୍କର ବିଭିନ୍ନ ଯୋଜନାରେ ଖଣି ଅଞ୍ଚଳର ଉନ୍ନତିକୁ ନେଇ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଚମ୍ପୁଆ ବିଧାୟିକା ମିନାକ୍ଷୀ ମହାନ୍ତ ନିର୍ବାଚନ ପ୍ରଚାରରେ ବିଜେଡିର ଷ୍ଟାର ପ୍ରଚାରକ ସାଜିଛନ୍ତି। କେବଳ ଯୋଡ଼ା ବ୍ଲକ ନୁହଁ ସମଗ୍ର ଚମ୍ପୁଆ ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ପ୍ରଚାରକୁ ଜୋରଦାର କରିଛନ୍ତି। ସେହିପରି ପୂର୍ବତନ ବିଧାୟକ ସନାତନ ମହାକୁଡ଼ ଓ ଜିଲା ବିଜେଡି ଉପସଭାପତି କୁଶ ଆପଟ୍ଟ ମଧ୍ୟ ବିଜେଡି ସପକ୍ଷରେ ମଇଦାନକୁ ଓହ୍ଲାଇଛନ୍ତି। ଏହି ହେଭିୱେଟ ନେତାମାନଙ୍କୁ ମୁକାବିଲା କରିବା ପାଇଁ ବିରୋଧୀ ଭାଜପା,କଂଗ୍ରେସ,ଜେଏମ୍‌ଏମ୍‌,ବାମଦଳ ଅପ୍ରସ୍ତୁତ ହୋଇ ପଡ଼ିଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ଭାଜପା ମଧ୍ୟ ୩ଟି ଜୋନରେ ପ୍ରାର୍ଥୀ ଦେଇଥିବା ବେଳେ କଂଗ୍ରେସ ଗୋଟିଏ ଜୋନରେ ପ୍ରାର୍ଥୀ ଦେବାରେ ସମର୍ଥ ହୋଇଛି।