କଟକ ଅଫିସ,୧୨।୧୦: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ପତ୍ର ବିନିମୟ ପାଠ୍ୟକ୍ରମର ଛାତ୍ରୀଛାତ୍ରଙ୍କ ନାମଲେଖା ଏବଂ ପରୀକ୍ଷା ଫି’ ହ୍ରାସ କରାଯାଇଛି। ୨୦୨୧-୨୨ ଶିକ୍ଷାବର୍ଷରେ ନାମଲେଖାଉଥିବା ଛାତ୍ରୀଛାତ୍ରଙ୍କୁ ୧୫ଶହ ଟଙ୍କା ଫି’ ଦେବାକୁ ପଡ଼ିବ। ପୂର୍ବରୁ ଏ ବାବଦରେ ୩ହଜାର ୫ଶହ ଟଙ୍କା ଫି’ ଦେବାକୁ ପଡୁଥିଲା। ତେବେ ଚଳିତ ବର୍ଷ କରୋନା ପାଇଁ ବହୁ ଅଭିଭାବକ, ଶିକ୍ଷାନୁଷ୍ଠାନର ମୁଖ୍ୟ ଏବଂ ଛାତ୍ରୀଛାତ୍ର ଫି ହ୍ରାସ ନିମନ୍ତେ ଦାବି କରିଥିଲେ। ଏନେଇ ସୋମବାର ବୋର୍ଡ ପକ୍ଷରୁ ପରୀକ୍ଷା କମିଟିର ସଦସ୍ୟମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଫି ହ୍ରାସ କରାଯିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ଏହାପରେ ଏ ନେଇ ବୋର୍ଡ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।