Categories: ଜାତୀୟ

ହ୍ବାଟସ୍‌ ଆପ୍‌ରେ ରାଷ୍ଟ୍ରପତିଙ୍କ ସୁରକ୍ଷା ତଥ୍ୟ ଲିକ୍‌…

ନୂଆଦିଲ୍ଲୀ,୨୫।୧୧: ଦୁଇ ଦିନିଆ ଗସ୍ତରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ କାନପୁରରେ ଅଛନ୍ତି। ବୁଧବାର ଏହି ସହରରେ ତାଙ୍କର ଦ୍ୱିତୀୟ ଦିନ। କିନ୍ତୁ ରାଷ୍ଟ୍ରପତିଙ୍କ ସୁରକ୍ଷାକୁ ନେଇ ଏକ ବଡ ତ୍ରୁଟି ହୋଇଛି। ରାଷ୍ଟ୍ରପତିଙ୍କ ସୁରକ୍ଷା ସମ୍ପର୍କିତ ତଥ୍ୟ ହ୍ବାଟସ୍‌ ଆପ୍‌ରେ ଲିକ୍‌ ହୋଇଛି। ରାଷ୍ଟ୍ରପତିଙ୍କ ସମ୍ପୂର୍ଣ୍ଣ ଦିନର ସୂଚନା ଲିକ୍‌ ହେବା ଘଟଣାର ତଦନ୍ତ ଭାର ପୋଲିସ ଗ୍ରହଣ କରିଛି।

ବୁଧବାର ଦିନ ପୋଲିସ କହିଛି ଯେ ଲିକ୍‌ ହୋଇଥିବା ତଥ୍ୟରେ ରାଷ୍ଟ୍ରପତିଙ୍କ ସୁରକ୍ଷା, ଫୋର୍ସ ମୁତୟନ ଏବଂ ସେ କେଉଁଠାରେ ଉପସ୍ଥିତ ହେବେ ସେନେଇ ବରିଷ୍ଠ ଅଧିକାରୀଙ୍କୁ ସୂଚନା ପ୍ରଦାନ କରାଯାଇଥିଲା। କିନ୍ତୁ ଏହା କିଛି ହ୍ବାଟସ ଆପ ଗ୍ରୁପରେ ଶେୟାର ହୋଇଛି ବୋଲି କାନପୁରର ପୋଲିସ କମିଶନର ଅସୀମ ଅରୁଣ କହିଛନ୍ତି। ଏହାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବା ସେ କହିଛନ୍ତି।

ପୋଲିସ କମିଶନର ଅରୁଣ କହିଛନ୍ତି ଯେ ଅତିରିକ୍ତ ଡେପୁଟି କମିଶନର ଅଫ ପୋଲିସ (ଟ୍ରାଫିକ) ରାହୁଲ ମିଠାସଙ୍କୁ ଏହି ଘଟଣାର ତଦନ୍ତ ଏବଂ ଏହା ସହିତ ଜଡ଼ିତ ତଥ୍ୟ ସଂଗ୍ରହ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ତଥ୍ୟକୁ ସାର୍ବଜନୀନ କରିବା ପାଇଁ ଦାୟୀ ଲୋକଙ୍କୁ ଚିହ୍ନଟ କରିବା ଏବଂ ଏହି କାର୍ଯ୍ୟ ପଛରେ ଥିବା ଉଦ୍ଦେଶ୍ୟ ଜାଣିବା ପାଇଁ ଅନୁସନ୍ଧାନକାରୀ ଅଧିକାରୀଙ୍କୁ କୁହାଯାଇଛି ବୋଲି ସେ ସୂଚନା ଦେଇଛନ୍ତି।

ପୋଲିସ ପକ୍ଷରୁ କୁହାଯାଇଛି ଯେ, କିଛି ହ୍ବାଟସ ଆପ ଗ୍ରୁପ୍‌ରେ ମିଳିଥିବା ସୂଚନାରେ ରାଷ୍ଟ୍ରପତିଙ୍କୁ ଦିଆଯାଇଥିବା ସୁରକ୍ଷା, ତାଙ୍କ ସହିତ ଥିବା କର୍ମଚାରୀ, ସବୁ ସ୍ଥାନରେ ଫୋର୍ସ ମୁତୟନ ଏବଂ ଏପରିକି ସମସ୍ତ ପୋଲିସ କର୍ମଚାରୀଙ୍କ ନାମ, ପଦବୀ ନାମ ଏବଂ ଯୋଗାଯୋଗ ନମ୍ବର ଏବଂ ସେମାନଙ୍କ ଭୂମିକା ସମ୍ପର୍କରେ ସମ୍ପୂର୍ଣ୍ଣ ବିବରଣୀ ଶେୟାର କରାଯାଇଛି। ବୁଧବାର ପୂର୍ବତନ ଶୌର୍ଯ୍ୟ ଚକ୍ର ବିଜେତା ଚୌଧୁରୀ ହରମୋହନ ସିଂ ଯାଦବଙ୍କ ଜନ୍ମ ଶତବାର୍ଷିକୀ ପାଳନ ପାଇଁ ରାଷ୍ଟ୍ରପତି କୋବିନ୍ଦ ଦୁଇ ଦିନିଆ ଗସ୍ତରେ ଏଠାରେ ପହଞ୍ଚିଛନ୍ତି।

ବୁଧବାର ଉତ୍ତରପ୍ରଦେଶ ରାଜ୍ୟପାଳ ଆନନ୍ଦିବନ ପଟେଲ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କୁ ଚକେରି ବିମାନବନ୍ଦରରେ ସ୍ବାଗତ କରିଛନ୍ତି। କୋବିନ୍ଦ ଗୁରୁବାର ହାରକୋର୍ଟ ବଟଲର ବୈଷୟିକ ବିଶ୍ୱବିଦ୍ୟାଳୟର ଶତବାର୍ଷିକୀ ଉତ୍ସବରେ ଯୋଗଦେବେ।

Share