ଭୁବନେଶ୍ୱର, ୮।୧(ଅସମାପିକା ସାହୁ) : ସୋସିଆଲ ମିଡିଆରେ ଇଂଲିଶ ଉଚ୍ଚାରଣ ଶିଖାଇ ଭାଇରାଲ ହେଉଛନ୍ତି ଓଡ଼ିଆ ପୁଅ ଧୀରଜ ଟକ୍ରୀ। ନିଜ ୟୁନିକ୍ ଷ୍ଟାଇଲରେ ଇଂଲିଶ ଉଚ୍ଚାରଣ କିପରି କରିବେ, ଫରେନରଙ୍କ ଭଳି ଇଂଲିଶ କିପରି କହିବେ, ତା’ର ଶୈଳୀ ଶିଖାଉଛନ୍ତି। ଧୀରଜଙ୍କ ଇଂଲିଶ ଉଚ୍ଚାରଣ ଶିକ୍ଷା ଭିଡିଓ ଏବେ ଚର୍ଚ୍ଚାକୁ ଆସିଥିବାବେଳେ ଗୋଟିଏ ମାସରେ ୧ମିଲିୟନ ପାଖାପାଖି ଫଲୋର୍ସ ତାଙ୍କର ଲୋକପ୍ରିୟତାକୁ ପ୍ରମାଣିତ କରୁଛି। କୁହାଯାଏ ସୋସିଆଲ ମିଡିଆ କେତେବେଳେ କାହାକୁ ବି ଷ୍ଟାର୍ କରିଦିଏ। ଏବେ ଏହି ଷ୍ଟାର୍ ତାଲିକାରେ ଓଡ଼ିଶାର ୨୧ ବର୍ଷୀୟ ଧୀରଜ ଯୋଡ଼ି ହୋଇଛନ୍ତି। ଧୀରଜ ଏପରି ମଜାଳିଆ ଢଙ୍ଗରେ ବିଦେଶୀଙ୍କ ଭଳି ଇଂଲିଶ ଉଚ୍ଚାରଣର କଳା ଶିଖାଉଛନ୍ତି, ଯାହାକୁ ଲକ୍ଷ ଲକ୍ଷ ନେଟିଜେନ୍ସ ପସନ୍ଦ କରୁଛନ୍ତି। ନିକଟରେ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆ ପ୍ଲାଟ୍ଫର୍ମ ‘ଇନ୍ଷ୍ଟାଗ୍ରାମ’ରେ ଭାଇରାଲ୍ ହେବା ପରେ ସେ ଲୋକଲୋଚନକୁ ଆସିଛନ୍ତି। ଅନେକ ସୋସିଆଲ ମିଡିଆ ୟୁଜର ତାଙ୍କୁ ପ୍ରଶଂସା କରିବା ସହ ତାଙ୍କର ୟୁନିକ୍ ଷ୍ଟାଇଲକୁ ପସନ୍ଦ କରିଛନ୍ତି। ତାଙ୍କ ଇନ୍ଷ୍ଟା ଆକାଉଣ୍ଟ୍ରେ ପୋଷ୍ଟ ହୋଇଥିବା ୯୩ଟି ଭିଡିଓ ମଧ୍ୟରୁ ଅଧିକାଂଶ ୧ ଲକ୍ଷରୁ ଅଧିକ ଲୋକ ଦେଖିଛନ୍ତି। ତାଙ୍କର କେତେକ ଭିଡିଓକୁ ୧୧ ନିୟୁତରୁ ଅଧିକ ଲୋକ ଦେଖିଛନ୍ତି।