Categories: ଖେଳ

‘ଧୋନୀଙ୍କଠାରୁ କିଛି ଶିଖ’

ନୂଆଦିଲ୍ଲୀ,୯।୮: ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଖେଳାଯାଇଥିବା ତୃତୀୟ ଟି୨୦ ମ୍ୟାଚ୍‌ରେ ହାର୍ଦ୍ଦିକ ପାଣ୍ଡ୍ୟା ନେତୃତ୍ୱାଧୀନ ଟିମ୍‌ ଇଣ୍ଡିଆ ବାଜିମାତ କରିଛି। ଗୁଏନାରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଭାରତକୁ ୧୬୦ ରନ୍‌ର ବିଜୟଲକ୍ଷ୍ୟ ମିଳିଥିଲା। ସୂର୍ଯ୍ୟକୁମାର ଯାଦବ ଏବଂ ତିଳକ ବର୍ମାଙ୍କ ସ୍ମରଣୀୟ ଇନିଂସ ଯୋଗୁ ଦଳ ସହଜ ବିଜୟ ହାସଲ କରିଥିଲା। ଶେଷରେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ବିଜୟ ଛକା ମାରିଥିଲେ। ହେଲେ ଏହା ତାଙ୍କ ଅଡ଼ୁଆ ବଢ଼ାଇଛି। ସୋସିଆଲ ମିଡିଆରେ ତାଙ୍କୁ ଜୋରଦାର ଟ୍ରୋଲ କରାଯାଉଛି।

ଯେତେବେଳେ ପାଣ୍ଡ୍ୟା ଛକା ମାରିଥିଲେ ସେତେବେଳେ ତିଳକ ବର୍ମା ୪୯ ରନ୍‌ରେ ନଟ୍‌ଆଉଟ୍‌ ଥିଲେ। ତାଙ୍କ ପାଖରେ ଲଗାତାର ଦ୍ୱିତୀୟ ଅର୍ଦ୍ଧଶତକ ପୂରଣ କରିବାର ସୁଯୋଗ ଥିଲା। ହେଲେ ହାର୍ଦ୍ଦିକଙ୍କ ଯୋଗୁ ତାହା ହୋଇପାରି ନ ଥିଲା।
ହାତରେ ବଲ୍‌ ଥିବାରୁ ହାର୍ଦ୍ଦିକ ଚାହିଁଥିଲେ ତିଳକ ନିଜର ଅର୍ଦ୍ଧଶତକ ପୂରଣ କରିପାରିଥାନ୍ତେ। ଏହାକୁ ନେଇ ଟୁଇଟରରେ ହାର୍ଦ୍ଦିକଙ୍କୁ ମହେନ୍ଦ୍ର ସିଂହ ଧୋନୀଙ୍କଠାରୁ କିଛି ଶିଖନ୍ତୁ ବୋଲି କୁହାଯାଉଛି। ୨୦୧୪ ଟି୨୦ ବିଶ୍ୱକପ୍‌ ସେମିଫାଇନାଲରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ହୋଇଥିବା ମ୍ୟାଚ୍‌ରେ ଧୋନୀ ବିରାଟ କୋହଲିଙ୍କୁ ମ୍ୟାଚ୍‌ ଶେଷ କରିବାକୁ କହିଥିଲେ। ଉକ୍ତ ଭିଡିଓଟି ବେଶ ଭାଇରାଲ ହୋଇଥିଲା।

ଏବେ ସେହି ଭିଡିଓକୁ ଶେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ପାଣ୍ଡ୍ୟାଙ୍କୁ ଧୋନୀଙ୍କ ଭଳି ହେବା ସହଜ ନୁହେଁ ବୋଲି କହୁଛନ୍ତି। ଅନେକ ତାଙ୍କୁ ସ୍ବାର୍ଥୀ ବୋଲି କହିବା ସହ ସେ ନିଜେ କ୍ରେଡିଟ୍‌ ନେବାକୁ ଆଗଭର ବୋଲି କହିଛନ୍ତି।

Share