ପ୍ରଥମେ ସ୍ଥାୟୀ ଜମି ପଟ୍ଟା ଦିଅ, ତା’ପରେ ଶିଳ୍ପ କର

ମହାକାଳପଡ଼ା,୧୭ା୩(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ଶିଳ୍ପ ପ୍ରତିଷ୍ଠା ହେବା ନେଇ ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଗୁରୁବାର ପୂର୍ବାହ୍ନରେ ଏକ ମୃତ୍ତିକା ଖନନ ଟିମ୍‌ ସହ ସ୍ଥାନୀୟ ତହସିଲଦାର ମାନସ କୁମାର ତ୍ରିପାଠୀ, ଜମ୍ବୁ ସାମୁଦ୍ରିକ ଥାନା ଅଧିକାରୀ ପରେଶ ମହାନ୍ତି, ଏସ୍‌ଡିପିଓ ଜୟନ୍ତ ମହାପାତ୍ରଙ୍କ ସମେତ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଥିଲେ। ବ୍ଲକର ଖରିନାସୀ ପଞ୍ଚାୟତ ହରିଆବାଙ୍କ ଗାଁରେ ପ୍ରଶାସନ ପକ୍ଷରୁ ମୃତ୍ତିକା ଖନନ କରି ପରୀକ୍ଷା କରାଯାଉଥିଲା। ଏ ସମ୍ପର୍କରେ ଖବର ପାଇ ଗାଁର ୨ଶହରୁ ଊର୍ଦ୍ଧ୍ୱ ମହିଳା ପୁରୁଷ ମିଳିତ ହୋଇ ମୃତ୍ତିକା ଖନନକୁ ବିରୋଧ କରିବା ସହ କାମ ବନ୍ଦ କରିଛନ୍ତି। ସେମାନଙ୍କ କହିବା କଥା, ପ୍ରଥମେ ଆମକୁ ସ୍ଥାୟୀ ଜମି ପଟ୍ଟା ପ୍ରଦାନ କର, ପରେ ଶିଳ୍ପ କର ଏଥିରେ ଆମର ଆପତ୍ତି ନାହିଁ।
ଗାଁଲୋକଙ୍କ କହିବା କଥା, ଏହି ଅଞ୍ଚଳରେ ୭୦ରୁ ଊର୍ଦ୍ଧ୍ୱ ବର୍ଷ ହେବ ବସବାସ କରି ଆସୁଛୁ। ୧୯୭୬ରେ ଲୋକଙ୍କୁ ଜମି ପଟ୍ଟା ବଣ୍ଟନ କରାଯାଇଥିଲା। ପରବର୍ତ୍ତୀ ସମୟରେ ଏହି ସରକାର ବଣ୍ଟନ କରିଥିବା ଜମି ପଟ୍ଟା ଜଙ୍ଗଲ କିସମ ବୋଲି ଜଣାପଡ଼ିଥିଲା। ହେଲେ ଏହି ଜମିରେ ସରକାରୀ ଭାବେ ଆବାସ ଗୃହ, ଆବାସିକ ପ୍ରମାଣପତ୍ର, ଜାତିଗତ ପ୍ରମାଣପତ୍ର ଆଦି ମିଳୁନାହିଁ। ଆମକୁ ସ୍ଥାୟୀ ଜମି ପଟ୍ଟା ପ୍ରଦାନ ନ କରିବା ପର୍ଯ୍ୟନ୍ତ ପ୍ରଶାସନ କାର୍ଯ୍ୟକୁ ବିରୋଧ କରାଯିବ ବୋଲି ଆନ୍ଦୋଳନକାରୀଙ୍କ ମଧ୍ୟମରେ ସତ୍ୟବ୍ରତ ମାଇତି, ରତନ କାଞ୍ଜିଲାଲ, ଜଗନ୍ନାଥ ସର୍ଦ୍ଦାର, ସନ୍ତୋଷ ସର୍ଦ୍ଦାର, ଗଜେନ୍ଦ୍ର ମଣ୍ଡଳ, ରେଣୁବାଳା ଜେନା, ଆରତି ମାଇତି, ପାର୍ବତୀ ଜେନା, ଅର୍ଚ୍ଚନା ପ୍ରଧାନ, ଗୀତାରାଣୀ ଶାବଳ, ତପତି ଶାବଳ, କବିତା ଆଡି, ଆଶାଲତା ମଣ୍ଡଳଙ୍କ ସମେତ ୨ ଶହରୁ ଅଧିକ ଲୋକ ଉପସ୍ଥିତ ରହି ମୃତ୍ତିକା ଖନନ ସ୍ଥାନର ଚତୁଃପାର୍ଶ୍ୱକୁ ଜଗି ରହିଥିଲେ। ଏ ସମ୍ପର୍କରେ ମହାକାଳପଡ଼ା ତହସିଲଦାର ମାନସ କୁମାର ତ୍ରିପାଠୀଙ୍କୁ ପଚାରିବାରେ ଲୋକମାନଙ୍କ ଜମି ଜମା ସମସ୍ୟାକୁ ନେଇ ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ଦେଉଛି। ଏବେ ମୃତ୍ତିକା ଖନନ କରାଯାଇ ସ୍ଥିତି ପରଖା ଯାଉଛି। ଲୋକମାନଙ୍କୁ କେତେଜଣ ବ୍ୟକ୍ତି ସେମାନଙ୍କ ଜମି ଚାଲିଯିବ ବୋଲି କହୁଛନ୍ତି। କିନ୍ତୁ ଯେଉଁ ଜାଗାରେ ମୃତ୍ତିକା ପରୀକ୍ଷଣ କରାଯାଉଛି ତାହା ସରକାରୀ ଜମି। ତେଣୁ ଆଇନ ଅନୁସାରେ ଆଗକୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।