Categories: ଜାତୀୟ

ସାଇକେଲ ଛାଡ଼ି ଅଲଗା ରାସ୍ତାରେ ବଙ୍କୁଲି ବାଡ଼ି…

ଲକ୍ଷ୍ନୌ, ୨୩।୭ : ଉତ୍ତରପ୍ରଦେଶ ରାଜନୀତିରେ ଶନିବାର ଉଷ୍ଣତା ଭରିବାରେ ଲାଗିଛି। ସମାଜବାଦୀ ପାର୍ଟି (ଏସପି) ଅଧ୍ୟକ୍ଷ ଅଖିଳେଶ ଯାଦବ ମାମୁ ଶିବପାଲ ସିଂ ଯାଦବ ଏବଂ ସୁହେଲଦେବ ଭାରତ ସମାଜ ପାର୍ଟି ଅଧ୍ୟକ୍ଷ ଓମପ୍ରକାଶ ରାଜଭରଙ୍କୁ ଏକ ଚିଠି ଲେଖିଛନ୍ତି ଏହାକୁ ନେଇ ବେଶ୍‌ ଚର୍ଚ୍ଚା ଜାରି ରହିଛି। ଏସପିର ଚିଠି ପରେ ଏବେ ଅଖିଳେଶଙ୍କ ସାଇକେଲ ଛାଡ଼ି ରାଜଭରଙ୍କ ବଙ୍କୁଲିବାଡ଼ି ଅଲଗା ରାସ୍ତାରେ ଯିବା ପ୍ରାୟ ନିଶ୍ଚିତ ହୋଇଥିବା ରାଜନୈତିକ ସମୀକ୍ଷକମାନେ ମତପୋଷଣ କରିଛନ୍ତି।

ରାଷ୍ଟ୍ରପତି ନିର୍ବାଚନରେ ରାଜଭର ଏନଡ଼ିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇଥିଲେ। ଏହାପରେ ଅଖିଳେଶଙ୍କ ପକ୍ଷରୁ ତାଙ୍କ ଉଦ୍ଦେଶ୍ୟରେ ଚିଠି ଜାରି କରାଯାଇଥିଲା।

ରାଜନୈତିଜ୍ଞ ବିଶେଷଜ୍ଞମାନଙ୍କ ଅନୁସାରେ ନିର୍ବାଚନ ପରେ ସମାଜବାଦୀ ପାର୍ଟି ନିଜକୁ ପୁନର୍ବାର ନୂଆ ପ୍ରକାରେ ପ୍ରସ୍ତୁତ କରିବାକୁ ଚେଷ୍ଟା କରେ। ଏହାର କାରଣ ହେଉଛି ଯେ ପାର୍ଟି ଚାହେଁ ଆସନ୍ତା ନିର୍ବାଚନ ପର୍ଯ୍ୟନ୍ତ ସେ ନିଜେ ପୁଣି ଏକାକି ଲଢ଼େଇ କରିବ। ତେଣୁ, ଫଳାଫଳ ବାହାରିବା ପରେ ହିଁ ସେ ମିଳିତ ମେଣ୍ଟର ଦଳଗୁଡ଼ିକୁ ଅଣଦେଖା କରିବା ଆରମ୍ଭ କରିଥାଏ। ବିଶେଷକରି ସେହି ଦଳଗୁଡିକ ରହିଲେ କାଳେ ଏସପିର କିଛି କ୍ଷତି ହେବ ଏହି ଭୟ ମନରେ ରହିଥାଏ। ଚଳିତ ଥର ମଧ୍ୟ ସମାନ ଘଟଣା ଘଟୁଛି।

ଏସପି ଆରଏଲଡି ସହିତ ଭଲ ସମ୍ପର୍କ ବଜାୟ ରଖିଛି। କାରଣ ଅଖିଳେଶ ଜାଣନ୍ତି ଯେ ସେ ଆରଏଲଡି ବିନା ପଶ୍ଚିମ ଉତ୍ତରପ୍ରଦେଶରେ କିଛି କରିପାରିବେ ନାହିଁ। ଏଥି ସହିତ ପ୍ରୂର୍ବାଞ୍ଚଳରେ ରାଜଭରଙ୍କ ସ୍ଥିତି ଦୁର୍ବଳ ବୋଲି ମନେ କରାଯାଉଛି। ଅଖିଳେଶ ଜାଣିଛନ୍ତି ଯେ ପୂର୍ବାଞ୍ଚଳରେ ଏସପି ନିଜେ ଶକ୍ତିଶାଳୀ ହୋଇପାରିବ। ତେଣୁ ସେ ରାଜଭରଙ୍କୁ ଅଲଗା କରିଦେଲେ।

Share