Categories: ଫୁରସତ

କୁକୁର ପାଇଁ ଛାଡ଼ିଲେ ଚାକିରି

କାନ୍‌ବେରା: ଘରେ ପାଳୁଥିବା ପ୍ରାଣୀଙ୍କୁ ପ୍ରାୟ ସମସ୍ତେ ବହୁତ ଭଲ ପାଆନ୍ତି। ତାଙ୍କ ପାଇଁ ସେମାନେ ମଧ୍ୟ ଅନେକ କିଛି କରିଥାନ୍ତି। ହେଲେ ନିକଟରେ ଜଣେ ଯୁବତୀ ପାଳିଥିବା ତାଙ୍କ କୁକୁର ପାଇଁ ଏମିତି କିଛି କରିଛନ୍ତି, ଯାହା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ। ଅଷ୍ଟ୍ରେଲିଆ ସିଡ୍‌ନୀର ଜଣେ ପୁଷ୍ଟି ବିଜ୍ଞାନୀ ଆଶା ଡିଲନ ତାଙ୍କ ପାଳିତ କୁକୁର ପାଇଁ ଚାକିରି ଛାଡ଼ି ଦେଇଛନ୍ତି। ଆଶାଙ୍କ କହିବା ମୁତାବକ, ତାଙ୍କ କୁକୁର ରୋମିୟୋ ତାଙ୍କୁ ବହୁତ ଭଲ ପାଏ। ସେ ଯେତେବେଳେ ବାହାରକୁ ଯାଆନ୍ତି, ସେ ଖୁବ୍‌ ଜୋର୍‌ରେ କାନ୍ଦେ, ପାଟିକରେ ଏବଂ ଘରର ଜିନିଷ ମଧ୍ୟ ଭାଙ୍ଗିଦିଏ। ଏମିତି ବି ସେ ଗାଧେଇବା ବେଳେ ମଧ୍ୟ ବାଥ୍‌ରୁମ୍‌ କବାଟକୁ ବାଡ଼ାଏ। ରୋମିୟୋର ଏପରି ବ୍ୟବହାର ସୁଧାରିବାକୁ ସେ କିଛି କରିବାକୁ ନିଷ୍ପତ୍ତି ନେଲେ। ରୋମିୟୋକୁ ଶାନ୍ତ କରିବାକୁ ସେ ବାଧ୍ୟହୋଇ ଚାକିରି ଛାଡ଼ିଦେଲେ। ରିପୋର୍ଟ ମୁତାବକ, ଆଶା ବର୍ତ୍ତମାନ ଅଧିକାଂଶ ସମୟ ରୋମିୟୋ ସାଙ୍ଗରେ ବିତାଉଛନ୍ତି। ଯେଉଁଠାକୁ ଗଲେ ସେ ତାକୁ ସାଙ୍ଗରେ ନେଇ ଯାଉଛନ୍ତି। ୩୦ ବର୍ଷୀୟା ଆଶା ଏକ କମ୍ପାନୀରେ ପ୍ରଡକ୍ଟ ଡେଭେଲପମେଣ୍ଟ ମ୍ୟାନେଜର ଥିଲେ। ହେଲେ ତାଙ୍କ ଚାକିରିଠାରୁ ତାଙ୍କୁ ରୋମିୟୋ ଅଧିକ ପସନ୍ଦ ଥିଲା। ଏହା ପୂର୍ବରୁ ଆଶା ଅନେକ ଜାତୀୟସ୍ତରୀୟ କମ୍ପାନୀରେ ମଧ୍ୟ କାମ କରିସାରିଥିଲେ। ସେ କିଛି ସମୟ ଆଗରୁ ନିଜର ଏକ କମ୍ପାନୀ କରିଥିଲେ, ଯେଉଁଥିରେ ପାଳିତ ପ୍ରାଣୀଙ୍କ ସମସ୍ୟା ବାବଦରେ କାମ ହେଉଥିଲା।

Share