Categories: ଫୁରସତ

ମଡେଲିଂ ଛାଡ଼ି ଚଳାଉଛନ୍ତି ଟ୍ରକ୍‌

ଲଣ୍ଡନ: ଯଦି ଜଣଙ୍କୁ ମଡେଲିଂ ନଚେତ୍‌ ଟ୍ରକ୍‌ ଡ୍ରାଇଭର ହେବାକୁ କୁହାଯାଏ, ତେବେ ସେଥିରେ ସମସ୍ତେ ମଡେଲିଂକୁ ଚୟନ କରିବେ। ହେଲେ ଜଣେ ମଡେଲର ତାଙ୍କ ମଡେଲିଂ କ୍ୟାରିୟର ଛାଡ଼ି ଲୋରି ଭଳି ଭାରିଯାନ ଚଳାଉଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବ୍ରିଟେନ୍‌ର ଲିନ୍‌କୋଲ୍‌ନସିର୍‌ର ବାସିନ୍ଦା ୨୩ ବର୍ଷୀୟା ମିଲି ଏଭରେଟ୍‌ ତାଙ୍କ ଅଞ୍ଚଳର ବହୁତ ବ୍ୟୁଟି ପେଗେଣ୍ଟ ଜିତିବା ସହ ମିସ୍‌ ଇଂଲଣ୍ଡ-୨୦୧୮ର ଫାଇନାଲିଷ୍ଟ ମଧ୍ୟ ହୋଇଛନ୍ତି। ସେ ଅତି ସୁନ୍ଦରୀ ହୋଇଥିଲେ ମଧ୍ୟ ମଡେଲିଂ କ୍ୟାରିୟରକୁ ଛାଡ଼ି ଟ୍ରକ୍‌ ଡ୍ରାଇଭର ହେବାକୁ ପସନ୍ଦ କରିଛନ୍ତି। ତାଙ୍କ କହିବା ମୁତାବକ, ଲୋରି ଭଳି ଭାରିଯାନକୁ କେବଳ ପୁରୁଷମାନେ ଚଳାଉଥିବା ସମସ୍ତଙ୍କ ଧାରଣା ରହିଛି। ତେବେ ସେ ଲୋକଙ୍କ ଏପରି ଧାରଣାକୁ ଦୂର କରିବାକୁ ଚାହୁଁଛନ୍ତି। ଏଥିସହ ମହିଳାମାନେ ମଧ୍ୟ ଏହି କାମକୁ ବହୁ ଭଲଭାବେ କରିପାରିବେ ବୋଲି ପ୍ରମାଣ କରିଛନ୍ତି। ବ୍ରିଟେନ୍‌ରେ କେବଳ ୨ ପ୍ରତିଶତ ମହିଳା ହିଁ ଏପରି ଭାରିଯାନ ଚଳାଉଛନ୍ତି। ମିଲି ଗତବର୍ଷ ଭାରିଯାନ ଡ୍ରାଇଭିଂ ସ୍କୁଲରେ ଆଡ୍‌ମିଶନ ହୋଇଥିଲେ। ବର୍ତ୍ତମାନ ସେ ଭାରିଯାନ ଡ୍ରାଇଭିଂ ପାଇଁ ଲାଇସେନ୍ସ ପାଇସାରିଛନ୍ତି। ସେ ପ୍ରଥମରୁ ଟ୍ରକ୍‌, ଲୋରି ଭଳି ଯାନ ଚଳାଇଛନ୍ତି। ମିଲି ଏକ ସାଧାରଣ ପରିବାରରୁ ଆସି ମଡେଲିଂ ଶିଖିଛନ୍ତି। ଏହାଛଡ଼ା ତାଙ୍କର କୃଷି ସମ୍ବନ୍ଧିତ କାର୍ଯ୍ୟ ଏବଂ ଡ୍ରାଇଭିଂ କରିବାକୁ ବେଶ୍‌ ପସନ୍ଦ। କରୋନା ମହାମାରୀ ସମୟରେ ମିଲି ଟ୍ରକ୍‌, ଲୋରି ଭଳି ଭାରିଯାନ ଚଳାଇବାକୁ ପ୍ରେରିତ ହୋଇଥିଲେ। କାରଣ ସେତେବେଳେ ବ୍ରିଟେନ୍‌ରେ ଟ୍ରକ୍‌ ଡ୍ରାଇଭରଙ୍କ ଆବଶ୍ୟକତା ଦେଖିବାକୁ ମିଳିଥିଲା। ଏହି କାର୍ଯ୍ୟ ପାଇଁ ତାଙ୍କ ପରିବାର ବେଶ୍‌ ଖୁସି ଥିବା ସେ କହିଛନ୍ତି। ତାଙ୍କ ବାପା ଜଣେ କୃଷକ ହୋଇଥିବାବେଳେ ସେ ତାଙ୍କୁ ନେଇ ଗର୍ବ କରୁଥିବା କହିଛନ୍ତି। ବହୁ ଲୋକ ତାଙ୍କର ଏହି କାର୍ଯ୍ୟ ପାଇଁ ଟ୍ରୋଲ୍‌ ମଧ୍ୟ କରୁଛନ୍ତି, ହେଲେ ସେ ସେମାନଙ୍କ କଥା ନ ଶୁଣି ନିଜ କାମ କରିବାକୁ ପସନ୍ଦ କରୁଛନ୍ତି।

Share