କେନ୍ଦ୍ରାପଡ଼ା ଅଫିସ, ୨୭ା୮: ମହାନଦୀ ଓ ବୈତରଣୀ ସିଷ୍ଟମ୍ରେ ବନ୍ୟା ଆସି ଭିତରକନିକା ଆର୍ଦ୍ରଭୂମି ସହିତ କେନ୍ଦ୍ରାପଡ଼ା ଜିଲାର ୪୧ ପଞ୍ଚାୟତରେ ଜନଜୀବନକୁ ଅସ୍ତବ୍ୟସ୍ତ କରିଛି। ଏହିପରି ପ୍ରତିବର୍ଷ ଆସୁଥିବା ବନ୍ୟାଜଳ ନିଷ୍କାସିତ ପରେ ଆର୍ଦ୍ରଭୂମି ଭିତରକନିକାକୁ ଆବଶ୍ୟକ ମଧୁର ଜଳ ମିଳୁନାହିଁ। ଅନ୍ୟ ସମୟରେ ନଦୀ ଜଳ ସ୍ରୋତ କମିବା ଫଳରେ ଆର୍ଦ୍ରଭୂମିର ଜୈବ ବିବିଧତା ନଷ୍ଟ ହେଉଥିବା ବେଳେ ସ୍ଥାନୀୟ ଅଞ୍ଚଳର ଜୀବନଜୀବିକା ଉପରେ ପ୍ରଭାବ ପକାଉଛି। ସେହିପରି ଅଣମୌସୁମୀ ସମୟରେ ନଦୀ ମଧ୍ୟ ଦେଇ ଲୋକେ ପାଦରେ ଚାଲୁଛନ୍ତି। ଖରାଦିନେ ଭିତରକନିକାକୁ ଆବଶ୍ୟକତାଠାରୁ ମାତ୍ର ୧୫ ପ୍ରତିଶତ ମଧୁର ଜଳ ମିଳୁଛି। ଜିଲାବାସୀଙ୍କ ପାଇଁ ନଦୀ ଜଳ ପରିଚାଳନା ଏକ ଆହ୍ବାନ ପାଲଟିଥିବା ମତ ମିଳିଛି।
ଏ ସମ୍ପର୍କରେ ଶିକ୍ଷାବିତ୍ ତଥା ଭାଜପା ନେତା ଭୂବନମୋହନ ଜେନା କହିଛନ୍ତି, ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀର ସିଷ୍ଟମ୍ରେ କେନ୍ଦ୍ରାପଡ଼ା ଜିଲାରେ ଥିବା ୭ ନଦୀ ଓ ଅସଂଖ୍ୟ ନାଳ ଭିତରକନିକା ଆର୍ଦ୍ରଭୂମି ପାଇଁ ମଧୁର ଜଳ ପ୍ରଦାନ କରୁଛି। ସମ୍ପ୍ରତି ଏହି ନଦୀ ନାଳ ସେହି ଅଞ୍ଚଳକୁ ମଧୁର ଜଳ ଯୋଗାଣ ପାଇଁ ପର୍ଯ୍ୟାପ୍ତ ହୋଇ ପାରୁନାହିଁ। ଛତିଶଗଡ ନଦୀବନ୍ଧ ଯୋଜନା ପରେ ମହାନଦୀର ଜଳ ସ୍ରୋତ କମିଛି। ସେହିପରି ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀର ମଧୁର ଜଳକୁ ଶିଳ୍ପ ଶୋଷୁଛି। ଜଳ ସ୍ରୋତ କମିଥିବାରୁ ଲୋକେ ଖରାଦିନେ ପାଦରେ ଚାଲି ନଦୀ ପାର ହେଉଛନ୍ତି। ଏହାବ୍ୟତୀତ କ୍ଷେତ ଓ ପାନୀୟ ଜଳ ପାଇଁ ବିଭିନ୍ନ ନଦୀରେ ପ୍ରକଳ୍ପ ହୋଇଛି। ନଦୀ ଶଯ୍ୟା ଓ ମୁହାଣ ପୋତି ହୋଇ ଯାଉଥିବା ବେଳେ ପଠା ଅଞ୍ଚଳ ବଢ଼ିଛି। କ୍ରିକ୍ବନ୍ଧ ଓ ବ୍ୟାରେଜ ଯୋଜନା ନ ଥିବାରୁ ଆର୍ଦ୍ରଭୂମିକୁ ଯଥେଷ୍ଟ ମଧୁର ଜଳ ମିଳି ପାରୁନାହିଁ। ଫଳରେ ହେନ୍ତାଳ ବଣ ସୃଷ୍ଟି ହୋଇ ପାରୁ ନ ଥିବାରୁ ସମୁଦ୍ର ଭୂଭାଗକୁ ମାଡି ଆସୁଛି। ବୁଦ୍ଧିଜୀବୀ ପ୍ରଶାନ୍ତ କୁମାର ନାୟକ କହିଛନ୍ତି, ଗତ ୨୦୨୦ ଡିସେମ୍ବର ୧୬ରେ ରାଜନଗର ବନଖଣ୍ଡ, ଚିଲିକା ଡେଭଲପମେଣ୍ଟ ଅଥରିଟି ଓ ଜିଆଇଜେଡ ଇଣ୍ଡିଆ ପକ୍ଷରୁ ରାଜନଗର ବ୍ଲକ ଗୁପ୍ତିଠାରେ ଭିତରକନିକା ସମନ୍ବିତ ପରିଚାଳନାରେ ଜଳ ଓ ପରିବେଶ ଶୀର୍ଷକ ଏକ କର୍ମଶାଳା ଆୟୋଜିତ ହୋଇଥିଲା। ଏହି କର୍ମଶାଳାରେ ବୈଜ୍ଞାନିକ ଡ. ଗୁରୁଦୀପ ରସ୍ତୋଗୀ, ଖୁସ୍ୱନ୍ତ ସିଂ ପ୍ରମୁଖ ଯୋଗ ଦେଇ ଭିତରକନିକାରେ ମଧୁର ଜଳର ଆବଶ୍ୟକତା ନେଇ ନିଜର ମତ ରଖିଥିଲେ। ଏଥିରେ ସେମାନେ ଦର୍ଶାଇଥିଲେ ଯେ, ୨୦୦୧ରେ ଭିତରକନିକା ଆର୍ଦ୍ରଭୂମିରେ ୭୪.୬୪ ପ୍ରତିଶତ ମଧୁର ଜଳ ପହଞ୍ଚୁଥିଲା। ଏବେ ଏହି ଜଳର ପରିମାଣ ୪୬ ପ୍ରତିଶତରେ ପହଞ୍ଚତ୍ଛି। ଜଳ ଉପଲବ୍ଧି ସମ୍ପର୍କରେ ମଡେଲକୁ ଅନୁଧ୍ୟାନ କଲେ ବ୍ରାହ୍ମଣୀ ଅବବାହିକାରେ ଥିବା ଜଳ ପରିମାଣ ୨୦୦୧ରେ ୭୯ ପ୍ରତିଶତ ଥିବା ବେଳେ ୨୦୫୧ରେ ଏହା କମିଯାଇ ୩୧ ପ୍ରତିଶତରେ ରହିବ। ଏବେ ଅଣମୌସୁମୀ ସମୟରେ ମାତ୍ର ୧୫ ପ୍ରତିଶତ ମଧୁର ଜଳ ଏହି ଆର୍ଦ୍ରଭୂମିକୁ ପହଞ୍ଚୁଛି। କ୍ରମବର୍ଦ୍ଧିଷ୍ଣୁ ଶିଳ୍ପ, ଜନସଂଖ୍ୟା, ସହରୀକରଣକୁ ଦୃଷ୍ଟିରେ ରଖିଲେ ଭିତରକନିକାକୁ ବଞ୍ଚାଇବା ପାଇଁ ଏକ ସ୍ବତନ୍ତ୍ର ବୈଷୟିକ କମିଟିର ଅନୁଧ୍ୟାନ ଆବଶ୍ୟକ ବୋଲି ନାୟକ କହିଛନ୍ତି। ଅଧ୍ୟାପକ କ୍ଷିତୀଶ କୁମାର ସିଂହ କହିଛନ୍ତି, ୨୦୦୩ରେ ଭାରତୀୟ ବନ୍ୟଜୀବ ସଂସ୍ଥାନ ପକ୍ଷରୁ ଭିତରକନିକା ଜୈବ ବିବିଧତା ସମ୍ପର୍କରେ ପରିବେଶ ଓ ଏହାର ଉତ୍ସ ସମ୍ପର୍କରେ ମୂଲ୍ୟାୟନ ହୋଇଥିଲା। ଏହି ରିପୋର୍ଟରେ ଆର୍ଦ୍ରଭୂମି ଅଞ୍ଚଳରେ ରହୁଥିବା ଲୋକଙ୍କ ଜୀବନ ଜୀବିକା ସହ ବନ୍ୟ ପରିବେଶ, ବନ୍ୟ ଜୀବ, ସାମୁଦ୍ରିକ ଜୀବ ସମ୍ପର୍କରେ ଅନୁଧ୍ୟାନ ହୋଇଥିଲା। ଭିତରକନିକା ଜୈବ ବିବଧତାକୁ ମଧୁର ଜଳ ବଞ୍ଚାଇ ରଖିଥିବା ଏଥିରେ ପ୍ରକାଶ ପାଇଛି। ସେହିପରି ବନ୍ୟା ଜଳ ନିୟନ୍ତ୍ରଣ ପାଇଁ ଭାରତ ସରକାରଙ୍କ ଜଳ ଉତ୍ସ ମନ୍ତ୍ରଣାଳୟ ପକ୍ଷରୁ ୨୦୧୫ ଡିସେମ୍ବରରେ ଏକ ରିପୋର୍ଟ ପ୍ରକାଶ ପାଇଛି। ଏଥିରେ ଦର୍ଶାଯାଇଛି ଯେ, ବ୍ରାହ୍ମଣୀ ଓ ଖରସ୍ରୋତା ନଦୀ ଶଯ୍ୟା ତଳମୁଣ୍ଡରେ ପୋତି ହେଉଛି। ବିଭିନ୍ନ ସ୍ଥାନରେ ପଠା ଅଧିକ ବଢ଼ିଯିବା ଯୋଗୁ ଜଳ ଧାରଣ କ୍ଷମତା କମିଛି। ସେହିପରି ମୁହାଣ ଅଞ୍ଚଳକୁ ଖୋଳାଯିବା ପ୍ରସ୍ତାବ ରହିଛି। ତଳ ମୁଣ୍ଡରେ ନଦୀବନ୍ଧକୁ ଏଥିରେ ଗୁରୁତ୍ୱ ଦିଆଯାଇଛି। ନଦୀ ଜଳ ପରିଚାଳନା କେନ୍ଦ୍ରାପଡ଼ା ଜିଲାବାସୀଙ୍କ ପାଇଁ ଆହ୍ବାନ ସାଜିଥିବା ସେ ପ୍ରକାଶ କରିଛନ୍ତି।