ବେରୁଟ୍‌ ବିସ୍ଫୋରଣର ହୃଦୟ ବିଦାରକ ଦୃଶ୍ୟ: ଆହତଙ୍କୁ ସ୍କୁଟିରେ ଡାକ୍ତରଖାନା ନେଲେ ଯୁବକ

ବେରୁଟ୍‌,୬ା୮: ମଙ୍ଗଳବାର ଲେବାନନ୍‌ର ରାଜଧାନୀ ବେରୁଟ୍‌ରେ ଘଟିଥିବା ଭୟାନକ ବିସ୍ଫୋରଣରେ ଶତାଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ହଜାର ହଜାର ଲୋକ ଆହତ ହୋଇଛନ୍ତି। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ରାସ୍ତାରେ କେବଳ ଅଟ୍ଟାଳିକା ଭଗ୍ନାଂଶ ଏବଂ ମଣିଷଙ୍କ କ୍ଷତବିକ୍ଷତ ଶରୀର ଦେଖିବାକୁ ମିଳିଛି। ସ୍ବାସ୍ଥ୍ୟସେବା ସ୍ଥିତି ଭଲ ନ ଥିବାରୁ ସାଧାରଣ ଲୋକମାନେ ରାସ୍ତାରୁ ମୃତଦେହ ଉଠାଇ ଆହତମାନଙ୍କୁ ଡାକ୍ତରଖାନାକୁ ପଠାଉଛନ୍ତି। ସେହିଭଳି ଜଣେ ଯୁବକ ଏକ ସ୍କୁଟିରେ ଆହତଙ୍କୁ ହସ୍ପିଟାଲ ନେବା ଦୃଶ୍ୟ ଦେଖିଲେ ଆଖିରେ ଲୁହ ରହିବନି।


ଏହି ବିସ୍ଫୋରଣରେ ସହରସ୍ଥ ବନ୍ଦରର ଏକ ବଡ଼ ଅଂଶ ଏବଂ ଅନେକ ଅଟ୍ଟାଳିକା ନଷ୍ଟ ହୋଇଯାଇଛି। ଲେବାନନ୍‌ ରେଡକ୍ରସ ଅଧିକାରୀ ଜର୍ଜ କେଥାନେଙ୍କ ଅନୁଯାୟୀ, ଏପର୍ଯ୍ୟନ୍ତ ୧୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଛି। ଏହି ସଂଖ୍ୟା ଆହୁରି ବଢ଼ିପାରେ ବୋଲି ସେ କହିଛନ୍ତି।
ବେରୁଟ ରାସ୍ତାରେ ନଷ୍ଟ ହୋଇଥିବା ଗାଡ଼ି ଏବଂ କୋଠାର ଆବର୍ଜନା ଏବେ ବି ପଡ଼ିରହିଛି। ଡାକ୍ତରଖାନା ବାହାରେ ଲୋକମାନେ ନିଜ ପରିବାର ବିଷୟରେ ଜାଣିବା ପାଇଁ ଏକତ୍ରିତ ହୋଇଥିବାବେଳେ ଅନେକ ଲୋକ ଅନ୍‌ଲାଇନ ସହାୟତା ପାଇଁ ମଧ୍ୟ ଅନୁରୋଧ କରୁଛନ୍ତି।


ଜର୍ମାନୀର ଜିଓ ସାଇନ୍ସ ସେଣ୍ଟର ‘ଜିଏଫ୍‌ଜେ’ ଅନୁଯାୟୀ, ଏହି ବିସ୍ଫୋରଣରେ ୩.୫ ତୀବ୍ରତାରେ ଏକ ଭକମ୍ପ ମଧ୍ୟ ଘଟିଥିଲା। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ୨୦୦ କିଲୋମିଟରରୁ ଅଧିକ ସମୟ କେବଳ ଲୋକଙ୍କ ଚିତ୍କାର ଶୁଣିବାକୁ ମିଳିଥିଲା। କରୋନା ଭୂତାଣୁ ଏବଂ ଅର୍ଥନୈତିକ ସଙ୍କଟ ସହ ମୁକାବିଲା କରୁଥିବା ଲେବାନନ୍‌ରେ ବିସ୍ଫୋରଣ ପରେ ଆଉ ଏକ ବଡ଼ ସଙ୍କଟ ଦେଖାଦେଇଛି।
ଲେବାନନ୍‌ର ଗୃହମନ୍ତ୍ରୀ ମହମ୍ମଦ ଫହମୀ ଏକ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଇ କହିଛନ୍ତି, ବନ୍ଦରର ଗୋଦାମରେ ୨୭୦୦ ଟନ୍‌ ଆମୋନିଆ ନାଇଟ୍ରେଟ୍‌ ଯୋଗୁ ଏହି ବିସ୍ଫୋରଣ ଘଟି ଅନେକ ଲୋକଙ୍କର ମୃତ୍ୟୁ ହୋଇଛି।

Share