ଲେଫ୍ରିପଡ଼ା ବ୍ଲକ ଅଧ୍ୟକ୍ଷ ହେଲେ ନରେଶ ପ୍ରତାପ

ଲେଫ୍ରିପଡ଼ା,୧୨ା୩(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ଲେଫ୍ରିପଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ ପାଇଁ ଶନିବାର ଶାନ୍ତି ଶୃଙ୍ଖଳାର ସହ ଭୋଟ ଗ୍ରହଣ ହୋଇଛି। ଏଥିରେ ପୂର୍ବତନ ବିଧାୟକ ତଥା ବିଜେଡି ନେତା ଯୋଗେଶ କୁମାର ସିଂହଙ୍କ ବଡ଼ଭାଇ ନରେଶ ପ୍ରତାପ ସିଂହ ନିର୍ଦ୍ୱନ୍ଦ୍ୱରେ ଲେଫ୍ରିପଡ଼ା ବ୍ଲକର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ୧୭ ଜଣ ସମିତିସଭ୍ୟଙ୍କ ମଧ୍ୟରୁ ନରେଶ ଏକ ମାତ୍ର ଅଧ୍ୟକ୍ଷ ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଥିଲେ। ୨୦୦୨ରୁ୨୦୦୭ ପର୍ଯ୍ୟନ୍ତ ନରେଶ ସର୍ଗିପାଲି ପଞ୍ଚାୟତର ସରପଞ୍ଚ ଭାବେ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରି ୨୦୦୭ରୁ ୨୦୧୨ ଏବଂ ୨୦୧୨ରୁ ୨୦୧୭ ପର୍ଯ୍ୟନ୍ତ ଲଗାତର ଦୁଇଥର ଲେଫ୍ରିପଡ଼ା ବ୍ଲକର ଅଧ୍ୟକ୍ଷ ରହିବା ସହ ୨୦୧୭ ରୁ ୨୦୨୨ ପର୍ଯ୍ୟନ୍ତ ଲେଫ୍ରିପଡ଼ା ବ୍ଲକ ( ଖ) ଜୋନ୍‌ର ଜିଲା ପରିଷଦ ସଭ୍ୟ ଭାବେ ନିର୍ବାଚିତ ହୋଇ ଜଣେ ଅପ୍ରତିଦ୍ୱନ୍ଦ୍ୱୀ ନେତା ନିଜକୁ ପ୍ରମାଣ କରିବା ପରେ ପୁଣି ଚଳିତ ନିର୍ବାଚନରେ ତୃତୀୟ ଥର ପାଇଁ ଲେଫ୍ରିପଡ଼ା ବ୍ଲକ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ହେଲେ ପୂର୍ବରୁ ସେ କଂଗ୍ରେସରେ ଥିଲା ବେଳେ ଏଥର କଂଗ୍ରେସ ଛାଡ଼ି ବିଜେଡିରେ ଯୋଗଦାନ କରିଛନ୍ତି।