ଘରୁ ସାଇକେଲ ନେଇ ବାହାରି ଯାଇଥିଲେ ଦାଦା- ପୁତୁରା: ସକାଳୁ ମିଳିଲା ମୃତଦେହ

ରେଢ଼ାଖୋଲ,୧୫।୧୦(ଡି.ଏନ୍‌.ଏ): ସମ୍ବଲପୁର ଜିଲା ରେଢ଼ାଖୋଲ ସହର ଉପକଣ୍ଠସ୍ଥ ଡିମିରିକୁଦା ଗ୍ରାମ ନିକଟରେ ହାତୀ ଦଳିଦେବାରୁ କାକା-ପୁତୁରାଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଡିମିରିକୁଦା ଗ୍ରାମର ଦୁଃଶାସନ ଭୋଇ (୨୬) ଓ ପୁତୁରା ଲତିକ ଭୋଇ (୫)। ଖବରପାଇ ବନକର୍ମଚାରୀ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଉଭୟଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣାପଡ଼ିଛି।
ରେଢ଼ାଖୋଲରେ ହାତୀ ଆକ୍ରମଣରେ ବାରମ୍ବାର ଧନଜୀବନ ନଷ୍ଟ ହେଉଥିବା ବେଳେ ହାତୀ ଘଉଡ଼ାଇବା ନେଇ ବନବିଭାଗ କୌଣସି ପଦକ୍ଷେପ ନେଉ ନ ଥିବା ଯୋଗୁ ଶୁକ୍ରବାର ଉତ୍ତେଜନା ପ୍ରକାଶ ପାଇଛି। ଖବରପାଇ ଡିଏଫ୍‌ଓ ରମାକାନ୍ତ ନାୟକ ଓ ରେଞ୍ଜର ମୈତ୍ରୀରଞ୍ଜନ ବିଶ୍ବାଳ ଘଟଣାସ୍ଥଳକୁ ଯାଇ ଲୋକଙ୍କ ସହ ଆଲୋଚନା କରିଥିଲେ। ହାତୀ ଘଉଡ଼ାଇବା ଦିଗରେ ପଦକ୍ଷେପ ନିଆଯିବ ବୋଲି ଡିଏଫ୍‌ଓ ପ୍ରତିଶ୍ରୁତି ଦେବା ସହ ଉଭୟଙ୍କ ପରିବାରବର୍ଗଙ୍କୁ ତୁରନ୍ତ ୪୦ ହଜାର ଲେଖାଏ ଟଙ୍କା ଦିଆଯିବ ବୋଲି କହିଛନ୍ତି।
ସୂଚନାଯୋଗ୍ୟ, ଗୁରୁବାର ସନ୍ଧ୍ୟାରେ କାକା ପୁତୁରା ଦୁହେଁ ସାଇକେଲ ଯୋଗେ ଗାଁ ଦେଇ ଯାଇଥିବା ରାଞ୍ଚି-ବିଜୟଓ୍ବାଡା ଜାତୀୟ ରାଜପଥରେ ଯାଉଥିଲେ। ଏହି ସମୟରେ ହଠାତ଼ ହାତୀକୁ ରାସ୍ତା ଉପରେ ଦେଖି ଭୟରେ ରାସ୍ତାକଡ ଜଙ୍ଗଲକୁ ସାଇକେଲ ଛାଡି ଦୌଡି ପଳାଇଥିଲେ। ତେବେ ହାତୀଟି ସେମାନଙ୍କୁ ଗୋଡାଇ ଉଭୟଙ୍କୁ ଦଳି ଦେଇଥିଲା। ଉଭୟ ଘରକୁ ନ ଫେରିବାରୁ ପରିବାରଲୋକେ ଖୋଜାଖୋଜି କରିଥିଲେ। ହେଲେ କୌଣସି ଖବର ମିଳି ନ ଥିଲା। ଶୁକ୍ରବାର ଭୋର୍‌ରେ ଖୋଜିବା ସମୟରେ ସାଇକେଲଟି ରାସ୍ତାକଡରେ ପଡିଥିବା ଦେଖି ଜଙ୍ଗଲରେ ଖୋଜିବା ବେଳେ ଉଭୟଙ୍କୁ ହାତୀ ଦଳିଦେଇଥିବା ଦେଖି ବନବିଭାଗକୁ ସୂଚନା ଦେଇଥିଲେ।

Share