ନୂଆଦିଲ୍ଲୀ, ୨୨।୧୨: ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଆମ୍ ଆଦ୍ମୀ ପାର୍ଟି(ଆପ୍)ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଝଟକା ଲାଗିଛି। ତଥାକଥିତ ଅବକାରୀ ଦୁର୍ନୀତି ମାମଲାରେ କେଜ୍ରିଓ୍ବାଲଙ୍କ ବିରୋଧରେ ଆଇନଗତ ମକଦ୍ଦମା ଚଳାଇବାକୁ ଦିଲ୍ଲୀ ଉପରାଜ୍ୟପାଳ ଭି.କେ. ସକ୍ସେନା ଶନିବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)କୁ ଅନୁମତି ପ୍ରଦାନ କରିଛନ୍ତି। ଏନେଇ ଗତ ୫ରେ ଇଡି ପକ୍ଷରୁ ଦିଲ୍ଲୀ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖାଯାଇଥିଲା। ତେବେ ଏହି ଘଟଣାକୁ ଆପ୍ ପକ୍ଷରୁ ଅସ୍ବୀକାର କରାଯାଇଛି। ଯଦି କେଜ୍ରିଓ୍ବାଲଙ୍କ ବିରୋଧରେ ଆଇନଗତ ମକଦ୍ଦମା ରୁଜୁ କରିବାକୁ ଉପରାଜ୍ୟପାଳ ଅନୁମୋଦନ ପ୍ରଦାନ କରିଛନ୍ତି, ତେବେ ଏହାର ନିର୍ଦ୍ଦେଶନାମାକୁ ସାର୍ବଜନୀନ କରାଯାଉ ବୋଲି ଆପ୍ ମୁଖପାତ୍ର ପ୍ରିୟଙ୍କା କକ୍କଡ଼ କହିଛନ୍ତି।