କାରାଗାରରେ ଆଇନ ସହାୟତା କ୍ଲିନିକ

ଭୁବନେଶ୍ୱର,୨୯ା୭(ବ୍ୟୁରୋ): ଜେଲ ଅନ୍ତେବାସୀଙ୍କୁ ମାଗଣାରେ ଆଇନ ସହାୟତା ଯୋଗାଇଦେବା ପାଇଁ ରାଜ୍ୟର ସମସ୍ତ କାରାଗାରରେ ଆଇନ ସହାୟତା କ୍ଲିନିକ ଖୋଲାଯିବ। ଓଡ଼ିଶା ମଡେଲ ଜେଲ ମାନୁଆଲ ନିୟମ ଅନୁସାରେ ଏହି ସହାୟତା ପ୍ରଦାନ କରାଯିବ। ଏଥିରେ ଆଇନଜୀବୀ ଓ ପାରାଲିଗାଲ ସ୍ବେଚ୍ଛାସେବୀ ରହିବେ। ଏଥିସହିତ ଜେଲ କର୍ତ୍ତୃପକ୍ଷ ଚାହିଁଲେ କିଛି ଅନ୍ତେବାସୀଙ୍କୁ ମଧ୍ୟ ଏହି ପାରାଲିଗାଲ ସ୍ବେଚ୍ଛାସେବୀ ତାଲିମ ପ୍ରଦାନ କରିପାରିବେ। ଆଇନ ସେବା ପ୍ରାଧିକରଣ ଅଧିନିୟମ ଆକ୍ଟ-୧୯୮୭ ଅନୁଯାୟୀ ମହିଳା, ଶିଶୁ, ଏସି କିମ୍ବା ଏସ୍‌ଟି ସଦସ୍ୟ, ଶିଳ୍ପ ଶ୍ରମିକ, ହିଂସା, ମରୁଡି, ବନ୍ୟା, ଭୂକମ୍ପ ଓ ଶିଳ୍ପ ବିପର୍ଯ୍ୟୟର ଶିକାର ହୋଇଥିବା ବ୍ୟକ୍ତି, ମାନବ ଚାଲାଣରେ ଶିକାର ହୋଇଥିବା ବ୍ୟକ୍ତି, ଟ୍ରାନ୍ସଜେଣ୍ଡରମାନଙ୍କୁ ଏହି ସହାୟତା ଯୋଗାଇ ଦିଆଯିବ। ସେହିପରି ମଡେଲ ଜେଲ ମାନୁଆଲ ଅନୁଯାୟୀ ରାଜ୍ୟରେ ଥିବା ସମସ୍ତ ଜେଲରେ କଏଦୀ ତଥା ଅନ୍ତେବାସୀମାନଙ୍କ ପାଠପଢ଼ାକୁ ଗୁରୁତ୍ୱ ଦେବାକୁ ଜେଲ ସୁପରିଣ୍ଟେଣ୍ଡେଣ୍ଟ ଏବଂ ଜେଲ ୱେଲଫେୟାର ଅଫିସରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବାଧ୍ୟତାମୂଳକ ଭାବେ ଅନ୍ତେବାସୀଙ୍କୁ ସାମାଜିକ, ସାଂସ୍କୃତିକ, ଆଧ୍ୟାମତ୍ିକ, ନୈତିକ ଶିକ୍ଷା ଉପରେ ପାଠ ପଢାଇବା ଲାଗି ସବୁ ଜେଲର ସୁପରିଣ୍ଟେଣ୍ଡେଣ୍ଟଙ୍କୁ ବିଭାଗ ପକ୍ଷରୁ ନୋଟିସ ଜାରି କରାଯାଇଛି। ଏଥିପାଇଁ ଶିକ୍ଷା ବିଭାଗ, ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ ସହ ସହବନ୍ଧିତା କରି ପାଠ୍ୟ ପୁସ୍ତକ ଏବଂ ପାଠପଢା ପାଇଁ ଅନ୍ୟ ସହାୟତା ନେବା ପାଇଁ କୁହାଯାଇଛି। ଅନ୍ତେବାସୀଙ୍କୁ ଶାରୀରିକ ଶିକ୍ଷା, ଏକାଡେମିକ୍‌ ଶିକ୍ଷା, ବୈଷୟିକ ଶିକ୍ଷା ଦେବାକୁ କୁହାଯାଇଥିବାବେଳେ ଜେଲ୍‌ରେ ରହୁଥିବା ଶିକ୍ଷିତ କଏଦୀ ଓ ଏନ୍‌ଜିଓଗୁଡ଼ିକର ସହାୟତା ନେବାକୁ ପରାମର୍ଶ ଦିଆଯାଇଛି।

Share