ନୂଆଦିଲ୍ଲୀ,୨୩ା୧୧(ପି.ଟି.): ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବଦିନ ମୁମ୍ବାଇର ଏକ ହୋଟେଲରେ ଭାଜପା ନେତା ବିନୋଦ ତାଓ୍ବଡେ ଭୋଟ ପାଇଁ ଲୋକଙ୍କୁ ଟଙ୍କା ବାଣ୍ଟୁଥିବା ନେଇ କଂଗ୍ରେସ ଅଭିଯୋଗ କରିଥିଲା ଏଭଳି ମିଥ୍ୟା ଓ ଭିତ୍ତିହୀନ ଅଭିଯୋଗ ପାଇଁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଏବଂ ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ସେ ଲିଗାଲ ନୋଟିସ୍ ପଠାଇ କ୍ଷମା ମାଗିବାକୁ ଦାବି କରିଛନ୍ତି। କଂଗ୍ରେସ ନେତା ଯଦି କ୍ଷମା ନ ମାଗନ୍ତି, ତେବେ ସେମାନଙ୍କ ବିରୋଧରେ ମାନହାନି ମାମଲା କରିବାକୁ ତାଓ୍ବଡେ ଧମକ ଦେଇଛନ୍ତି।
ଭୋଟରମାନଙ୍କୁ ପ୍ରଲୋଭିତ କରିବା ପାଇଁ ତାଓ୍ବଡେ ୫ କୋଟି ଟଙ୍କା ବାଣ୍ଟୁଥିବା ଆଞ୍ଚଳିକ ଦଳ ବହୁଜନ ବିକାଶ ଅଘାଡ଼ି ପ୍ରଥମେ ଅଭିଯୋଗ ଆଣିଥିଲା। ଏହାର କର୍ମୀମାନେ ହୋଟେଲରେ ଧସେଇ ପଶି ସେଠାରେ ଭାଜପା ନେତା ଥିବା ଦେଖିବାକୁ ପାଇଥିଲେ। ତେବେ ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ତାଓ୍ବଡେ ଅଭିଯୋଗକୁ ଖଣ୍ଡନ କରିବା ସହ ନିଜକୁ ନିର୍ଦ୍ଦୋଷ କହିଛନ୍ତି। ନିର୍ବାଚନ କମିଶନ ଏବଂ ପୋଲିସ ତଦନ୍ତ କରିଥିଲେ ମଧ୍ୟ ଟଙ୍କା ମିଳି ନ ଥିଲା। କଂଗ୍ରେସ ମିଥ୍ୟାର ପ୍ରଚାର ଉପରେ ବିଶ୍ୱାସ କରେ। ମୋତେ ଓ ମୋ ଦଳର ଛବି ଖରାପ କରିବା ପାଇଁ ଏହା କଂଗ୍ରେସର ନିମ୍ନସ୍ତରୀୟ ରାଜନୀତିର ପ୍ରମାଣ ବୋଲି ତାଓ୍ବଡେ କହିଛନ୍ତି।