ନୂଆଦିଲ୍ଲୀ,୬।୧୧: ଭାରତୀୟ ଦଳକୁ ଅନେକ ବଡ଼ବଡ଼ ଖେଳାଳି ଭେଟି ଦେଇଥିବା ବିଶିଷ୍ଟ କୋଚ୍ ତାରକ ସିହ୍ନାଙ୍କ ପରଲୋକ ଘଟିଛି। ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ। ଶନିବାର ଭୋର ୩ଟାରେ ଦିଲ୍ଲୀର ଏକ ଡାକ୍ତରଖାନାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ହୋଇଥିଲା।
ତାରକ ଦିଲ୍ଲୀର ସୋନେଟ କ୍ରିକେଟ କ୍ଲବ୍ ନାମକ ଏକାଡେମୀ ଚଳାଉଥିଲେ। ତାଙ୍କଠାରୁ କୋଚିଂ ନେଇ ୧୨ ଖେଳାଳି ଭାରତର ପ୍ରତିନିଧିତ୍ୱ କରିଛନ୍ତି। ସେମାନଙ୍କ ମଧ୍ୟରେ ଋଷଭ ପନ୍ତଙ୍କଠାରୁ ଆରମ୍ଭ କରି ଆଶିଷ ନେହେରା, ଆକାଶ ଚୋପ୍ରା, ମନୋଜ ପ୍ରଭାକର, ରମଣ ଲମ୍ବା, ମହିଳା କ୍ରିକେଟର ଅଞ୍ଜୁମ ଚୋପ୍ରାଙ୍କ ଭଳି ଖେଳାଳି ଅଛନ୍ତି। ୨୦୧୮ରେ କ୍ରିକେଟଜଗତ ପାଇଁ ଅବଦାନ ଲାଗି ତାଙ୍କୁ ଦ୍ରୋଣାଚାର୍ଯ୍ୟ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ସେ ୫ମ ଭାରତୀୟ କ୍ରିକେଟ କୋଚ୍ ଭାବେ ଏହି ପୁରସ୍କାର ପାଇଥିଲେ।
ତେବେ ଫୁସ୍ଫୁସ କ୍ୟାନ୍ସରରେ ପୀଡ଼ିତ ହେବା ପରେ ଶରୀରର ଏକାଧିକ ଅଙ୍ଗପ୍ରତ୍ୟଙ୍ଗରେ ସମସ୍ୟା ଦେଖାଦେଇଥିଲା। ଚିକିତ୍ସା ଲାଗି ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା ନେଇ ବରିଷ୍ଠ କ୍ରୀଡା ସାମ୍ବାଦିକ ବିଜୟ ଲୋକପାଲୀ ଟୁଇଟ୍ କରି ସୂଚନା ଦେଇଛନ୍ତି।