ବେଙ୍ଗାଲୁରୁ, ୧୯ା୧ (ପି.ଟି.)- ହୃଦ୍ଘାତ ପରେ ପୂର୍ବତନ ଭାରତୀୟ କ୍ରିକେଟର ବି.ଏସ୍. ଚନ୍ଦ୍ରଶେଖର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ପରିଲକ୍ଷିତ ହୋଇଛି। ସେ ଦୁଇ ଦିନ ପରେ ହସ୍ପିଟାଲରୁ ଛାଡ଼ ପାଇବେ ବୋଲି ତାଙ୍କ ପରିବାର ସୂତ୍ରରୁ ଜଣାଯାଇଛି। ୭୫ ବର୍ଷୀୟ ଏହି ପୂର୍ବତନ ସ୍ପିନ କିମ୍ବଦନ୍ତୀ ତାଙ୍କ ୧୬ ବର୍ଷ କ୍ୟାରିୟରରେ ୫୮ ଟେଷ୍ଟ ମ୍ୟାଚରେ ୨୪୨ ଉଇକେଟ ଅକ୍ତିଆର କରିଛନ୍ତି। ବିଶେନ ସିଂ ବେଦୀ, ଇରାପଲ୍ଲୀ ପ୍ରସନ୍ନ, ଏସ୍. ଭେଙ୍କଟରାଘବନ ଏବଂ ଚନ୍ଦ୍ରଶେଖରଙ୍କୁ ନେଇ ୪ ଜଣିଆ ସ୍ପିନ କମ୍ବିନେଶନ ୧୯୬୦ ଓ ୭୦ ଦଶକରେ ଭାରତକୁ ଅନେକ ମ୍ୟାଚ ଜିତାଇଛନ୍ତି। ଉଲ୍ଲେଖନୀୟ କ୍ରିକେଟ କ୍ୟାରିୟର ପାଇଁ ଚନ୍ଦ୍ରଶେଖର ଅର୍ଜୁନ ପୁରସ୍କାର ଏବଂ ୧୯୭୨ରେ ପଦ୍ମଶ୍ରୀରେ ସମ୍ମାନିତ ହୋଇଥିଲେ।