Categories: ଖେଳ

ଗମ୍ଭୀରଙ୍କ ଉପରେ ଅଭିଯୋଗ କରି ନିଜେ ଫସିଲେ ଶ୍ରୀସନ୍ଥ, ମିଳିଲା ନୋଟିସ

ନୂଆଦିଲ୍ଲୀ,୮।୧୨: ଭାରତର ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ଏବଂ ଏସ୍‌. ଶ୍ରୀସନ୍ଥଙ୍କ ମଧ୍ୟରେ ଉପୁଜିଥିବା ବିବାଦ ନୂଆମୋଡ ନେଇଛି। ଉଭୟ ଖେଳାଳି ୨୦୦୭ ଟି୨୦ ବିଶ୍ୱକପ୍‌ ଏବଂ ୨୦୧୧ ଦିନିକିଆ କ୍ରିକେଟ ଜିତିଥିବା ଟିମ୍‌ ଇଣ୍ଡିଆର ସଦସ୍ୟ ଥିଲେ। ଏବେ ଦୁହେଁ ଲିଜେଣ୍ଡସ୍‌ ଲିଗ୍‌ କ୍ରିକେଟରେ ଭିନ୍ନ ଟିମ୍‌ରୁ ଖେଳଛନ୍ତି। ନିକଟରେ ଏକ ମ୍ୟାଚ୍‌ରେ ଉଭୟଙ୍କ ମଧ୍ୟରେ ଜୋରଦାର ଝଗଡ଼ା ହୋଇଥିଲା। ଏହାପରେ ଶ୍ରୀସନ୍ଥ କହିଥିବା କିଛି କଥାକୁ ନେଇ ଅଡୁଆରେ ଫସିଛନ୍ତି। ଏଥିନେଇ ତାଙ୍କୁ ନୋଟିସ ମିଳିଛି।

ଲିଜେଣ୍ଡସ୍‌ ଲିଗ୍‌ରେ ଗମ୍ଭୀର ଇଣ୍ଡିଆ କ୍ୟାପିଟାଲ୍ସ ପକ୍ଷରୁ ଖେଳୁଛନ୍ତି। ସେହିଭଳି ଶ୍ରୀସନ୍ଥ ଗୁଜରାଟ ଜାୟଣ୍ଟସ୍‌ ପକ୍ଷରୁ ଖେଳୁଛନ୍ତି। ଏହି ଦୁଇ ଟିମ୍‌ ମଧ୍ୟରେ ହୋଇଥିବା ମ୍ୟାଚ୍‌ରେ ଗମ୍ଭୀର ଶ୍ରୀସନ୍ଥଙ୍କ ବଲ୍‌ରେ ବିସ୍ଫୋରକ ବ୍ୟାଟିଂ କରିଥିଲେ। ଏହାକୁ ନେଇ ଦୁହିଁଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା, ଯାହାର ଅନେକ ଭିଡିଓ ଭାଇରାଲ ହୋଇଥିଲା।

ମ୍ୟାଚ୍‌ ପରେ ଗମ୍ଭୀର ଫିକ୍ସର ବୋଲି କହିଥିବା ଯୋଗୁ ରାଗିଯାଇଥିବା ଶ୍ରୀସନ୍ଥ କହିଥିଲେ। ଏପରିକି ଏକ ଭିଡିଓ ଜାରି କରି କ୍ରିକେଟର ତାଙ୍କ ସହ ଖରାପ ବ୍ୟବହାର କରିଥିବା ଅଭିଯୋଗ କରିଥିଲେ। ଏହି ମାମଲାରେ ଏବେ ଟୁର୍ନାମେଣ୍ଟର କମିଶନର ଦଖଲ ଦେଇ ଶ୍ରୀସନ୍ଥଙ୍କୁ ନୋଟିସ୍‌ ପଠାଇଛନ୍ତି। ଲିଗ୍‌ରେ ଖେଳୁଥିବା ସମୟରେ ନିଜ ଚୁକ୍ତିର ଉଲ୍ଲଂଘନ କରିଥିବା ନୋଟିସରେ କୁହାଯାଇଛି। ଶ୍ରୀସନ୍ଥ ଭିଡିଓ ହଟାଇବା ପରେ ହିଁ ତାଙ୍କ ସହ ଆଲୋଚନା କରାଯିବ ବୋଲି ମଧ୍ୟ କୁହାଯାଇଛି।

କହିରଖୁଛୁ, ମଇଦାନରେ ଥିବା ଅମ୍ପାୟାର ଦୁଇ ଖେଳାଳିଙ୍କ ଝଗଡ଼ାକୁ ଶାନ୍ତ କରାଇବାକୁ ଚେଷ୍ଟା କରିଥିଲେ। ଏବେ ସେ ମଧ୍ୟ ନିଜର ରିପୋର୍ଟ ଦେଇଛନ୍ତି। ହେଲେ ସେଥିରେ ଗମ୍ଭୀର ଫିକ୍ସର ବୋଲି କହିବା ଉକ୍ତି ବିଷୟରେ ଉଲ୍ଲେଖ ନାହିଁ। ଅପରପକ୍ଷେ ଶ୍ରୀସନ୍ଥଙ୍କ ପତ୍ନୀ ଘଟଣାରେ ନିଜ ମତ ରଖି ଗମ୍ଭୀରଙ୍କ ଲାଳନପାଳନ ଉପରେ ପ୍ରଶ୍ନ ଉଠାଇଛନ୍ତି।

Share