ଅହମ୍ମଦାବାଦ,୯।୧୨: ଗୁଜରାଟ ବିଧାନସଭା ନିର୍ବାଚନରେ ଭାଜପାର ଐତିହାସିକ ବିଜୟ ହୋଇଛି। ଏହାପରେ ନୂତନ ସରକାର ଗଠନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଆସନ୍ତା ସପ୍ତାହରେ ଶପଥ ଗ୍ରହଣ ସମାରୋହ ଆୟୋଜନ କରିବା ପାଇଁ ଭାଜପା ଯୋଜନା କରିଛି। ବର୍ତ୍ତମାନ ଦଳ ପକ୍ଷରୁ ବିଧାୟକ ଦଳର ବୈଠକ ଡକାଯିବ। ଯେଉଁଥିରେ ବିଧାୟକ ଦଳର ନେତାଙ୍କୁ ଚୟନ କରାଯିବ। ଆଶା କରାଯାଉଛି, ଦଳ ପୁଣିଥରେ ଭୂପେନ୍ଦ୍ରଭାଇ ପଟେଲଙ୍କ ମୁଣ୍ଡରେ ମୁକୁଟ ପିନ୍ଧାଇପାରେ। ଡିସେମ୍ବର ୧୨ରେ ଭାଜପା ପକ୍ଷରୁ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଆୟୋଜିତ ହୋଇପାରେ। ଶପଥ ଗ୍ରହଣ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏଥିପାଇଁ ଶନିବାର ସକାଳ ୧୦ଟାରେ ଭାଜପା ପକ୍ଷରୁ ଦଳର ବିଧାୟକ ବୈଠକ ଡକାଯାଇଛି। ଏହି ବୈଠକ ଗାନ୍ଧୀନଗର ସ୍ଥିତ ପାର୍ଟି କାର୍ଯ୍ୟାଳୟରେ ଅନୁଷ୍ଠିତ ହେବ।