ପ୍ରାର୍ଥୀଙ୍କ ପାଇଁ କରମା ନାଚିଲେ ବିଧାୟିକା

ସୁନ୍ଦରଗଡ଼, ୧୩।୨(ଡି.ଏନ୍‌.ଏ.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସରଗରମ ହେଉଛି ସୁନ୍ଦରଗଡ଼ର ରାଜନୀତି। ଶନିବାର ଭାଜପା ଜିଲା ପରିଷଦ ପ୍ରାର୍ଥୀଙ୍କ ଲାଗି ପ୍ରଚାରରେ ସାମିଲ ହୋଇ ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ ଅଞ୍ଚଳର ପ୍ରସିଦ୍ଧ ‘କରମା’ ନୃତ୍ୟ ପରିବେଷଣ କରିଥିବା ଦେଖିବାକୁ ମିଳିଥିଲା। ଯାହାକୁ ନେଇ ବେଶ୍‌ ଚର୍ଚ୍ଚା ହୋଇଛି।
ସୁନ୍ଦରଗଡ଼ ଜିଲାରେ ପ୍ରାର୍ଥୀଙ୍କ ବିଜୟ ପାଇଁ ସବୁ ଦଳର ହେବିୱେଟ ନେତା ଏବେ ନିର୍ବାଚନ ମୈଦାନରେ। ବିଭିନ୍ନ ଦଳ ପକ୍ଷରୁ ନିଜ କୌଶଳରେ ଆଗେଇ ଚାଲିଛି ପ୍ରଚାର କାର୍ଯ୍ୟ। ଜିଲା ପରିଷଦ ଗଠନ ପାଇଁ ଭାଜପା ତା’ର ପ୍ରାର୍ଥୀମାନଙ୍କୁ କିଭଳି ଅଧିକ ଆସନରେ ଜିତାଇବ ସେ ନେଇ ପ୍ରଚାର ଅଭିଯାନକୁ ଜୋରଦାର କରିଛି। ପ୍ରଚାର ମୈଦାନରେ ଏମ୍‌ପି ଜୁଏଲ ଓରାମ, ବରିଷ୍ଠ ନେତା ରଞ୍ଜନ ପଟେଲ, ବିଧାୟିକା କୁସୁମ ଟେଟେ, ବିଧାୟକ ଭବାନୀ ଶଙ୍କର ଭୋଇ, ଶଙ୍କର ଓରାମ ରହିଛନ୍ତି। ଶନିବାର ସୁନ୍ଦରଗଡ଼ ସଦର ବ୍ଲକ (କ)ଜୋନର ଭାଜପା ପ୍ରାର୍ଥୀ ପ୍ରବୀନ ନାଏକଙ୍କ ସକାଶେ ଏହି ନେତାମାନେ ପ୍ରଚାର କରିଥିଲେ। ଭୋଟରଙ୍କୁ ଆକୃଷ୍ଟ କରିବା ସହ ପଞ୍ଚାୟତ ଫାଇଟରେ ଭାଜପାର ବାଜିମାତ୍‌ କରିବା ଲକ୍ଷ୍ୟନେଇ ଏହି ଅବସରରେ ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ କର୍ମୀଙ୍କ ସହିତ ଅଞ୍ଚଳର ପ୍ରସିଦ୍ଧ ‘କରମା’ ନାଚ ନାଚିଥିଲେ। ଏହି ଆସନରେ ଭାଜପା ପ୍ରାର୍ଥୀ ପ୍ରବୀନ ନାଏକଙ୍କ ସହ ବିଜେଡି ପ୍ରାର୍ଥୀ ଅଶ୍ବିନୀ ନାଏକଙ୍କ ସିଧାସଳଖ ପ୍ରତିଦ୍ବନ୍ଦ୍ୱିତା ହେଉଛି।