Advertisement
Categories: ଜାତୀୟ

ବାହୁବଳୀ ବିଧାୟକ: ଜେଲ୍‌ରେ ରହି ବି ଜିତୁଛନ୍ତି ନିର୍ବାଚନ

ଲକ୍ଷ୍ନୌ, ୯।୭: ଉତ୍ତରପ୍ରଦେଶରେ ସର୍ବାଧିକ ଆପରାଧୀକ ମାମଲା ଘଟିଥାଏ। ଏଠାରେ ଏଭଳି ୫ ବାହୁବଳୀ ବିଧାୟକ ରହିଛନ୍ତି, ଯେଉଁମାନେ ଜେଲ୍‌ରେ ରହି ବି ନିର୍ବାଚନ ସହଜରେ ଜିତୁଛନ୍ତି। ସେମାନଙ୍କ ମଧ୍ୟରେ ମୁଖତାର ଅନ୍‌ସାରୀ, ବିଜୟ କୁମାର, ଅଶୋକ ସିଂ ଚନ୍ଦେଲ, ଇନ୍ଦ୍ରପ୍ରତାପ ତିଓ୍ବାରୀ ଏବଂ ସୁରେଶ୍ୱର ସିଂ ଆଦି ବିଧାୟକ ରହିଛନ୍ତି। ଏସବୁ ବିଧାୟକଙ୍କ ନାମରେ ହତ୍ୟା ମାମଲା ରହିଛି। ମୁଖତାର୍‌ ଅନ୍‌ସାରୀ ରାଜ୍ୟରେ ୫ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ଏବେ ସେ ୧୫ ବର୍ଷ ହେଲା ଜେଲ୍‌ରେ ରହିଛନ୍ତି। ତାଙ୍କ ନାମରେ ୪୦ରୁ ଅଧିକ ଆପରାଧୀକ ମାମଲା ରୁଜୁ ହୋଇଛି। ତାଙ୍କ ଦୁଇ ପୁଅ କୋଟିପତି ଥିବାବେଳେ ଭାଇ ଅଫଜଲ ଅନସାରୀ ଗାଜିପୁର ଏମ୍‌ପି ରହିଛନ୍ତି। ସେହିପରି ବିଜୟ କୁମାରଙ୍କ ନାମରେ ୬୦ରୁ ଅଧିକ ଆପରାଧୀକ ମାମଲା ରହିଛି। କିନ୍ତୁ ଏସବୁ ମାମଲା ତାଙ୍କ ରାଜନୈତିକ ଜୀବନକୁ ପ୍ରଭାବିତ କରୁ ନାହିଁ। ୨୦୧୭ରେ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ତାଙ୍କୁ ଟିକଟ ଦେଇ ନ ଥିଲେ। ବିଜୟ ନିଷାଦ ପାର୍ଟି ଟିକଟରେ ଲଢ଼ି ଜିତାପଟ ହାସଲ କରିଥିଲେ। ଅଶୋକ ସିଂ ଚନ୍ଦେଲଙ୍କ ନାମରେ ବହୁ ମାମଲା ରହିଛି। ୨୩ ବର୍ଷ ତଳେ ୧୯୯୭ ଜାନୁୟାରୀ ୨୬ରେ ସେ ବଜାରରେ ୫ ଜଣଙ୍କୁ ଗୁଳି ହତ୍ୟା କରିଥିଲେ। ମାତ୍ର ସେ ବାହୁବଳୀ ବିଧାୟକ ଭାବେ ଜେଲ୍‌ରେ ରହି ମଧ୍ୟ ନିର୍ବାଚନରେ ବିଜୟ ଲାଭ କରୁଛନ୍ତି। ଇନ୍ଦ୍ରପ୍ରତାପ ତିଓ୍ବାରୀ ଏବେ ଅଯୋଧ୍ୟାର ଗୋସାଇଗଞ୍ଜ ବିଧାନସଭା ଆସନରୁ ଭାଜପା ବିଧାୟକ ହୋଇଛନ୍ତି। ତାଙ୍କ ନାମରେ ହତ୍ୟା, ଅପହରଣ ଆଦି ଏକାଧିକ ଆପରାଧୀକ ମାମଲା ରହିଛି। ସୁରେଶ୍ୱର ସିଂଙ୍କ ନାମରେ ଗୋଟିଏ ପରିବାରର ୩ ସଦସ୍ୟଙ୍କୁ ହତ୍ୟା କରିବା ମାମଲା ରହିଛି। ସେ ୨୦୧୭ରେ ଭାଜପା ଟିକଟରୁ ବହରାଇଚ୍‌ ବିଧାନସଭା ଆସନରୁ ବିଜୟ ହୋଇଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share