ତେନ୍ଦୁଲକରଙ୍କ ଘର ଆଗରେ ବିରୋଧ ପ୍ରଦର୍ଶନ, ଭାରତ ରତ୍ନ ଫେରାଇବାକୁ ଦାବି

ମୁମ୍ବାଇ,୩୧।୮: ଅନଲାଇନ ଖେଳ ପାଇଁ ବିଜ୍ଞାପନ କରିବା ଉପରେ ପୂର୍ବତନ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ବାନ୍ଦ୍ରା ନିବାସ ବାହାରେ ବିଧାୟକ ବଚୁ କଡ୍ଡୁ ଏବଂ ତାଙ୍କ ସମର୍ଥକମାନେ ବିରୋଧ ପ୍ରଦର୍ଶନ କରିଛନ୍ତି। ତେବେ କିଛି ସମୟ ପରେ ପୋଲିସ ବିଧାୟକ ଏବଂ ତାଙ୍କ ସମର୍ଥକଙ୍କୁ ସେଠାରୁ ନେଇଯାଇଛି।

ପ୍ରଦର୍ଶନକାରୀମାନେ ସଚିନଙ୍କ ବାସଭବନ ବାହାରେ ନାରାବାଜି କରିଛନ୍ତି ଏବଂ ତାଙ୍କୁ ଭାରତ ରତ୍ନ ପୁରସ୍କାର ଫେରସ୍ତ କରିବାକୁ ଦାବି କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ସଚିନ ଏଭଳି ଅନଲାଇନ ଖେଳକୁ ସମର୍ଥନ କରୁଛନ୍ତି, ଯାହା ଯୁବପିଢିଙ୍କୁ ନଷ୍ଟ କରିପାରେ।

ଗଣମାଧ୍ୟମ ସହ କଥାବାର୍ତ୍ତା କରି ବିଧାୟକ କହିଛନ୍ତି, ସଚିନ ତେନ୍ଦୁଲକର ଭାରତ ରତ୍ନ ଫେରାଇବା ଉଚିତ୍‌। ଯଦି ସେମାନେ ଅନଲାଇନ ଖେଳର ବିଜ୍ଞାପନ ବନ୍ଦ କରନ୍ତି ନାହିଁ, ତେବେ ଆମେ ପ୍ରତ୍ୟେକ ଗଣପତି ପେଣ୍ଡାଲ ବାହାରେ ବିରୋଧ ପ୍ରଦର୍ଶନ କରିବୁ ଯେଉଁଠାରେ ଏହି ବିଜ୍ଞାପନ ଦେଖାଯିବ।

Share