Categories: ଜାତୀୟ

ଲେହ ମାନଚିତ୍ର ବିବାଦ: ଗୃହ କମିଟିରେ କ୍ଷମା ମାଗିଲା ଟୁଇଟର

ନୂଆଦିଲ୍ଲୀ,୩୦ା୧୦: ଲେହକୁ ଚାଇନାର ଅଞ୍ଚଳ ଭାବେ ଦର୍ଶାଇଥିବା ମାଇକ୍ରୋ-ବ୍ଲଗିଙ୍ଗ୍‌ ସାଇଟ ଟୁଇଟର ଗୁରୁବାର ଏଥିପାଇଁ ଯୁଗ୍ମ ସଂସଦୀୟ କମିଟି ନିକଟରେ କ୍ଷମାପ୍ରାର୍ଥନା କରିଛି। ଏନେଇ ସ୍ପଷ୍ଟୀକରଣ ଦେବା ସହ ଭାରତୀୟ ଆଇନକୁ ଅନୁପାଳନ କରିବା ଲାଗି ସତ୍ୟପାଠ ଦାଖଲ କରିବାକୁ ଗୃହ କମିଟି ଆମେରିକାର ଏହି ସୋସିଆଲ ମିଡିଆ କମ୍ପାନୀକୁ ବୁଧବାର ନିର୍ଦ୍ଦେଶ ଦେଇଥିଲା। ଭାରତୀୟ ମାନଚିତ୍ରର ଭୁଲ ଉପସ୍ଥାପନା ଲାଗି ଦେଶଦ୍ରୋହ ମାମଲା ଲାଗିପାରିବ ବୋଲି କମିଟିର ଅଧ୍ୟକ୍ଷା ମୀନାକ୍ଷୀ ଲେଖି ଟୁଇଟର୍‌ର ପ୍ରତିନିଧିମାନଙ୍କୁ ଚେତାବନୀ ଦେଇଥିଲେ। ବ୍ୟକ୍ତିଗତ ତଥ୍ୟ ସୁରକ୍ଷା ବିଲ୍‌, ୨୦୧୯ ଉପରେ ଗଠିତ ଯୁଗ୍ମ କମିଟି ଆଗରେ ଟୁଇଟର୍‌ର ଭାରତ ପାଇଁ ଥିବା ସାଧାରଣ ନୀତି ଓ ଯୋଗାଯୋଗ ଟିମ୍‌ର ସଦସ୍ୟ ଶଗୁଫ୍‌ତା କମ୍‌ରାନ, ଆୟୁଷି କପୁର, ପଲ୍ଲଭି ଓ୍ବାଲିଆ ଏବଂ ମନଭିନ୍ଦର ବାଲି ହାଜର ହୋଇଥିଲେ। ଉପରୋକ୍ତ ପ୍ରସଙ୍ଗରେ ଭାରତୀୟଙ୍କ ସମ୍ବେଦନଶୀଳତା ନେଇ କମ୍ପାନୀ ସଚେତନ ଅଛି ବୋଲି ସୂଚନା ପ୍ରଯୁକ୍ତି ସଚିବଙ୍କୁ ଲେଖିଥିବା ପତ୍ର ଉପରେ କମିଟି ସେମାନଙ୍କୁ ପ୍ରଶ୍ନ କରିଥିଲା। ଏହା କେବଳ ସମ୍ବେଦନଶୀଳତା ନୁହେଁ, ଭାରତର ଆଞ୍ଚଳିକ ସଂହତି ଓ ସାର୍ବଭୌମତ୍ୱର ପ୍ରସଙ୍ଗ ବୋଲି କମିଟି ସଦସ୍ୟମାନେ କହିଥିଲେ। ମାନଚିତ୍ରର ଭୁଲ୍‌ ଚିତ୍ରଣ ପାଇଁ ଦେଶଦ୍ରୋହ ମାମଲା ଚାଲିପାରିବ ଓ ଏଥିପାଇଁ ୭ ବର୍ଷ ଜେଲଦଣ୍ଡ ଭୋଗିବାକୁ ପଡ଼ିବ। ଭାରତରେ ବ୍ୟବସାୟ କରୁଥିବା ଯେକୌଣସି କମ୍ପାନୀକୁ ଦେଶର ଆଇନ ମାନିବାକୁ ହେବ ବୋଲି ଲେଖି କହିଥିଲେ। ପୂର୍ବରୁ ଟୁଇଟର୍‌ ଜମ୍ମୁ-କଶ୍ମୀରକୁ ଚାଇନାର ଅଂଶ ଭାବେ ଚିତ୍ରଣ କରିଥିଲା ବୋଲି ବିଜେଡି ଏମ୍‌ପି ଭର୍ତ୍ତୃହରି ମହତାବ କହିଥିଲେ। ଶେଷରେ ଟୁଇଟର ଟିମ୍‌ କମିଟି ଆଗରେ କ୍ଷମା ମାଗିଥିଲା। ଭୁଲ୍‌ ସୁଧାରିବା ପାଇଁ କମ୍ପାନୀ କ’ଣ ପଦକ୍ଷେପ ନେଉଛି ଲିଖିତ ଭାବେ ଜଣାଇବା ପାଇଁ କମିଟି କହିଥିଲା।

Share