ବାଲେଶ୍ୱରରୁ ଲେଖାଶ୍ରୀ ଫାଇନାଲ! ଜାଣନ୍ତୁ କାହିଁକି ବିଜେଡି ଦେବ ଟିକେଟ୍‌

ଭୁବନେଶ୍ୱର,୭।୪: ଭାଜପା ସହ ୧୦ବର୍ଷର ସମ୍ପର୍କ ଛିଣ୍ଡାଇ ବିଜେଡିରେ ଯୋଗ ଦେଇଛନ୍ତି ଲେଖାଶ୍ରୀ ସାମନ୍ତସିଂହାର। ଏହାପୂର୍ବରୁ ରବିବାର ସକାଳେ ସେ ତାଙ୍କ ଇସ୍ତଫା ପତ୍ର ସୋସିଆଲ ମିଡ଼ିଆରେ ଶେୟାର କରିଥିଲେ। ଏନେଇ ଓଡ଼ିଶା ରାଜନୀତିରେ ଚର୍ଚ୍ଚାର ଖୋରାକ ଯୋଗାଇଥିଲା। ଯେତେବେଳେ ସେ ଶଙ୍ଖ ଭବନରେ ଯାଇ ବିଜେଡିରେ ସାମିଲ ହୋଇଥିଲେ ସେତେବେଳେ ବାଲେଶ୍ଵର ରାଜନୀତି ଚର୍ଚ୍ଚା ପରିସରକୁ ଆସିଥିଲା। କୁହାଯାଉଛି ଯେ, ବିଜେଡି ବାଲେଶ୍ୱରର ଲୋକ ସଭା ସିଟ୍‌ରୁ ଲେଖାଶ୍ରୀଙ୍କୁ ମଇଦାନରୁ ଓହ୍ଲାଇପାରେ। ଦଳ ମହିଳାଙ୍କୁ ଏକ  ତୃତୀୟାଂଶ ସଂରକ୍ଷଣ ଦେବା କ୍ରମରେ ଲେଖାଶ୍ରୀଙ୍କୁ ଏଠାରୁ ପ୍ରାର୍ଥୀ କରିପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

ତେବେ ସବୁଠାରୁ ବଡ କଥା ହେଉଛି, ଲେଖାଶ୍ରୀ ବିଜେଡିରେ ସାମିଲ ହେବା ସମୟରେ ବାଲେଶ୍ବର ଲୋକ ସଭା ଆସନରୁ ଏମପି ପ୍ରାର୍ଥୀ ପାଇଁ ବଡ଼ ଦାବିଦାର ଥିବା ରବୀନ୍ଦ୍ର ଜେନା ଉପସ୍ଥିତ ଥିଲେ। କୁହାଯାଉଛି ରବୀନ୍ଦ୍ରଙ୍କ ସ୍ତ୍ରୀ ସୁବାସିନୀ ଜେନାଙ୍କୁ ବସ୍ତା ବିଧାନସଭା ଆସନ ଟିକେଟ ମିଳିଥିବାରୁ ଗୋଟିଏ ପରିବାର ଗୋଟିଏ ଟିକେଟ ନ୍ୟାୟରେ ରବୀନ୍ଦ୍ରଙ୍କୁ ଆଉ ଏମପି ଟିକେଟ ନ ମିଳିବା ନେଇ ସ୍ପଷ୍ଟ ହୋଇଛି। ଏପରି ସ୍ଥିତିରେ ହଠାତ୍ ଲେଖାଶ୍ରୀ ବିଜେଡିରେ ସାମିଲ ହେବା ବାଲେଶ୍ଵର ରାଜନୀତିରେ ଏକ ନୂଆ ଟ୍ବିଷ୍ଟ ଆଣିଛି। ଲେଖାଶ୍ରୀ ଯୋଗଦେବା ସମୟରେ ରବୀନ୍ଦ୍ରଙ୍କ ସହ ରାଜ୍ୟ ସଭା ଏମପି ମାନସ ମଙ୍ଗରାଜ, ସସ୍ମିତ ପାତ୍ର ଉପସ୍ଥିତ ଥିଲେ। ବିଜେଡିରେ ଯୋଗଦେବା ପରେ ସେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କୁ ପ୍ରଶଂସା କରୁଥିଲେ।

ସୂଚନାଥାଉ କି, ବିଜେଡି ମୋଟ ୧୪୭ ବିଧାନସଭାରୁ ୯୯ଟି ଓ ୨୧ ଲୋକ ସଭା ସିଟ୍‌ରୁ ୨୦ଟି ଆସନ ଘୋଷଣା କରି ସାରିଛି। କିନ୍ତୁ ବାଲେଶ୍ୱର ଲୋକ ସଭା ଆସନରୁ ଦଳ ଏଯାଏଁ କାହାକୁ ଟିକେଟ୍‌ ଦେଇନାହିଁ। ଭାଜପାରୁ ଏମପି ପ୍ରତାପ ଷଡଙ୍ଗୀଙ୍କୁ ଟିକେଟ୍‌ ମିଳିଥିବାବେଳେ କଂଗ୍ରେସ ଏମପି ଶ୍ରୀକାନ୍ତ ଜେନାଙ୍କୁ ଏକ ପ୍ରକାର ଫିକ୍ସ କରି ସାରିଥିବା କୁହାଯାଉଛି। ବିଜେଡି ବର୍ତ୍ତମାନ ପୂର୍ବ ଏମପି ରବୀନ୍ଦ୍ର ଜେନାଙ୍କ ସମେତ ଦଳର ଅନ୍ୟ ନେତାଙ୍କ ସହ ଆଲୋଚନା କରୁଛି।

୨୦୧୯ ଲୋକ ସଭା ନିର୍ବାଚନରେ ଭାଜପାରୁ ବାଲେଶ୍ୱର ଏମପି ଟିକେଟ୍‌ରେ ଲଢିଥିଲେ ପ୍ରତାପ ଷଡଙ୍ଗୀ। ସେତେବେଳେ ବିଜେଡି, ରବୀନ୍ଦ୍ରଙ୍କୁ ବାଲେଶ୍ୱରରୁ ଟିକେଟ୍‌ ଦେଇଥିଲା। ହେଲେ ରବୀନ୍ଦ୍ରଙ୍କୁ, ପ୍ରତାପ ୧୨,୯୫୬ ଭୋଟ୍‌ରେ ପରାସ୍ତ କରିଥିଲେ। ଅନ୍ୟପଟେ କଂଗ୍ରେସ ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକ  ୧,୭୯,୪୦୩ ଭୋଟ୍‌ ପାଇ ତୃତୀୟ ସ୍ଥାନରେ ରହିଥିଲେ।

Share