ଲେମ୍ବୁ ଚାଷ ଦେଇଛି ଆତ୍ମସନ୍ତୋଷ

ସିମୁଳିଆ, ୩୧ା୭(ଡି.ଏନ.ଏ.)-ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ କହ୍ନେଇବିନ୍ଧା ପଞ୍ଚାୟତ ଅଧୀନ କଇଁଶୀ ଗ୍ରାମର ସୁରେନ୍ଦ୍ର ପ୍ରସାଦ ସେନାପତି(୬୫) ଲେମ୍ବୁଚାଷ କରି ବାର୍ଷିକ ୮୦ହଜାର ଟଙ୍କା ଆୟ କରୁଛନ୍ତି। ଏହି ଟଙ୍କାରେ ତାଙ୍କ ଖର୍ଚ୍ଚ ଉଠିଯାଉଥିବାରୁ ଆତ୍ମସନ୍ତୋଷ ମିଳୁଥିବା ସେ ପ୍ରକାଶ କରିଛନ୍ତି।
ସୁରେନ୍ଦ୍ର କୁହନ୍ତି, ବେତଡା ହାଇସ୍କୁଲରୁ ମାଟ୍ରିକ ପାସ୍‌ କରିବା ପରେ ଘରର ୯ ଏକର ଜମିର ଦାୟିତ୍ୱ ନେଇ ଧାନ ଚାଷ ଆରମ୍ଭ କରିଥିଲେ ା ତାଙ୍କ ବାପା ଉପେନ୍ଦ୍ର ଓ ବଡବାପା ସୁଦର୍ଶନ ଘର ପାଖ ବାଡିରେ କିଛି ଲେମ୍ବୁ ଚାରା ଲଗାଇଥିଲେ ା ପରେ ଏହା ପ୍ରତ୍ୟେକ ଡାଳରୁ ଚେର କାଢି କ୍ରମଶଃ ବଢି ବଢି ୩ଶହ ଗଛରେ ପହଞ୍ଚିଛି। ତେବେ ଆଗପଛ ହୋଇ ଡିସେମ୍ବରରୁ ଲେମ୍ବୁଗଛରେ ଫୁଲ ଆସି ଫଳ ଧରେ ା ଏପ୍ରିଲରୁ ଲେମ୍ବୁ ବିକ୍ରି ଆରମ୍ଭ ହୋଇଥାଏ ା ଶହେ ଲେମ୍ବୁର ଦାମ ଶହେରୁ ଦେଢଶହ ଟଙ୍କାରେ ବିକ୍ରୀ ହୋଇଥାଏ ା ବାର୍ଷିକ ପ୍ରାୟ ୧୫ହଜାର ଟଙ୍କା ଖର୍ଚ୍ଚ କରି ଏଥିରୁ ସେ ୮୦ହଜାର ଟଙ୍କା ଲାଭ କରୁଛନ୍ତି। ଲେମ୍ବୁ ବଗିଚା ମଧ୍ୟରେ ସେ ଲଙ୍କା, କଦଳୀ ଇତ୍ୟାଦି ବିଭିନ୍ନ କିସମର ଫସଲ କରିଛନ୍ତି। ତେବେ ଲେମ୍ବୁ ଚାଷର କିଛି ନିୟମ ରହିଥିବା କହନ୍ତି ସୁରେନ୍ଦ୍ର ା ବଗିଚା ମଧ୍ୟକୁ ବାହାର ଲୋକମାନଙ୍କୁ ପଶିବା ମନା ା ଲେମ୍ବୁ ମଧ୍ୟ ସେ ନିଜେ ଏକା ତୋଳି ବେପାରୀମାନଙ୍କୁ ଦେଇଥାଆନ୍ତି ା କେବଳ କାମ ସମୟରେ କେତେକ ଶ୍ରମିକ ଭିତରେ ପଶି ବାଡି କାମ କରିଥାଆନ୍ତି। ବର୍ତ୍ତମାନ ଧାନ ଚାଷରେ ସେମିତି ଲାଭ ହେଉ ନ ଥିବାରୁ ସେ ଅନ୍ୟମାନଙ୍କୁ ଭାଗଚାଷ କରିବା ପାଇଁ ଦେଇ କେବଳ ଲେମ୍ବୁ ଚାଷ କରୁଛନ୍ତି। ତାଙ୍କର ୩ଝିଅ ଓ ଦୁଇ ପୁଅଙ୍କ ବିବାହ କାର୍ଯ୍ୟ ସରିଥିବା ବେଳେ ବଡପୁଅ ଜଣେ ଆଇନଜୀବୀ ଓ ସାନ ପୁଅ ଫାଇନାନ୍ସ କମ୍ପାନୀରେ କାର୍ଯ୍ୟ କରୁଛନ୍ତି ା ପରିବାର ଚାପ ତାଙ୍କ ଉପରେ ନ ଥିବାରୁ ଲେମ୍ବୁ ଚାଷ ତାଙ୍କ ହାତ ଖର୍ଚ୍ଚ ଚଳାଇନେଉଛି ା ତେବେ କୃଷିମନସ୍କ ଯୁବତୀ ଯୁବକମାନେ ଲେମ୍ବୁ ଚାଷକୁ ଆଦରି ନେଇପାରିଲେ ଲାଭବାନ ହେବେ ବୋଲି କହନ୍ତି ସୁରେନ୍ଦ୍ର ା

Share