
ବରଗଡ, ୨୮।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରର ବହୁଚର୍ଚ୍ଚିତ ଲେଙ୍ଗୁମିଶ୍ର ଛକରୁ ପୁରୁଣା ଜୀରାବ୍ରିଜ ରାସ୍ତା ଜବରଦଖଲ ଉଚ୍ଛେଦ ଦାବିରେ ଆନ୍ଦୋଳନ ଚେତାବନୀ ଦେବା ପରେ ପୌର ପ୍ରଶାସନ ଉଚ୍ଛେଦ ପ୍ରକ୍ରିୟାକୁ ଆରମ୍ଭ କରିଛି। ଏହି କ୍ରମରେ ଗୁରୁବାର ପୌର ପ୍ରଶାସନ ସ୍ଥାନୀୟ ଲେଙ୍ଗୁ ମିଶ୍ର ଛକଠାରୁ ରାସ୍ତା ମାପଚୁପ କରିଥିବାବେଳେ ଆସନ୍ତା ୩୦ତାରିଖରୁ ଉଚ୍ଛେଦ ଆରମ୍ଭ କରାଯିବ ବୋଲି ଶୁକ୍ରବାର ଡାକବାଜି ଯନ୍ତ୍ରରେ ପ୍ରଚାର କରିଛି। ଉଚ୍ଛେଦ ପୂର୍ବରୁ ରାଜସ୍ବ ଏବଂ ପୌର ବିଭାଗ ପକ୍ଷରୁ ଚିହ୍ନିତ ଜବରଦଖଲ ଅଂଶ ଖାଲି କରିବା ପାଇଁ ଡାକବାଜି ଯନ୍ତ୍ରରେ ସୂଚାଇ ଦିଆଯାଇଛି। ଯଦି ସମ୍ପୃକ୍ତ ସ୍ଥାନରେ ରହିଥିବା କୌଣସି ମୂଲ୍ୟବାନ ଜିନିଷ ଉଚ୍ଛେଦ ସମୟରେ କ୍ଷତିଗ୍ରସ୍ତ ହୁଏ, ତେବେ ପୌର ପ୍ରଶାସନ ଦାୟୀ ରହିବ ନାହିଁ। ଫଳରେ ଉଚ୍ଛେଦ ପୂର୍ବରୁ ସେଭଳି ସାମଗ୍ରୀ ସେଠାରୁ ନେଇ ଯିବା ପାଇଁ ଡାକବାଜି ଯନ୍ତ୍ରରେ ପ୍ରଚାର କରାଯାଇଛି।
ତେବେ ଆଗରୁ ମଧ୍ୟ ଡାକବାଜି ଯନ୍ତ୍ରରେ ଏଭଳି ପ୍ରଚାର କରାଯାଇଥିଲା। କିନ୍ତୁ ସେତେବେଳେ ଉଚ୍ଛେଦ ହୋଇ ନ ଥିବା ଯୋଗୁଁ ଉଚ୍ଛେଦ ନେଇ ଏବେ ମଧ୍ୟ ସହରବାସୀ ଆଶଙ୍କାରେ ରହିଛନ୍ତି। ପ୍ରକାଶ ଥାଉକି, ଗତ ୨୦୨୩ ମସିହାରୁ ଏଠାରେ ଜବରଦଖଲ ଉଚ୍ଛେଦ ଦାବି ଜୋର୍ ଧରି ଆସିଛି। ଜିଲା ଓକିଲ ସଂଘ ନେତୃତ୍ୱରେ ସ୍ଥାନୀୟ ସମଲେଶ୍ୱରୀ ସଂଘ ସମେତ ବିଭିନ୍ନ ଅନୁଷ୍ଠାନର ଦୃଢ଼ ଦାବି ପରେ ପ୍ରଶାସନ ସେତେବେଳେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଥିଲା। ମାତ୍ର ଉଚ୍ଛେଦ ପ୍ରକ୍ରିୟାରେ ପ୍ରଭାବିତ ଲୋକେ ନ୍ୟାୟାଳୟର ଦ୍ୱାରସ୍ଥ ହେବା ପରେ ସେ ନେଇ ବିଚାର ପ୍ରକ୍ରିୟାରେ ସମୟ ଗଡ଼ିଥିଲା। ମାତ୍ର ଉଚ୍ଚ ନ୍ୟାୟାଳୟ ଥରେ ନୁହେଁ, ୩ଥର ଉଚ୍ଛେଦ ସପକ୍ଷରେ ରାୟ ପ୍ରଦାନ କରି ସାରିଛନ୍ତି।
ଏହାସତ୍ତ୍ୱେ ସମ୍ପୃକ୍ତ ଜବରଦଖଲକୁ ପ୍ରଶାସନ ଏ ଯାଏ ହଟାଇ ନାହିଁ। ଏହାକୁ ନେଇ ଅସନ୍ତୋଷ ବଢି ଚାଲିଥିବା ବେଳେ ଗତ ୨୨ତାରିଖ ସ୍ଥାନୀୟ ସମଲେଶ୍ବରୀ ସଂଘର ଆହ୍ବାନରେ ନାଗରିକ ବୈଠକ ହୋଇଥିଲା। ଏଥିରେ ଜିଲା ଓକିଲ ସଂଘ ସମେତ ବିଭିନ୍ନ ରାଜନୈତିକ ଏବଂ ସାମାଜିକ ଅନୁଷ୍ଠାନର ପ୍ରତିନିଧି ଏବଂ ସହରର ସଚେତନ ନାଗରିକମାନେ ଉପସ୍ଥିତ ଥିଲେ। ବୈଠକରେ ଉଚ୍ଛେଦ ନେଇ ଦୃଢ ଦାବି ହୋଇଥିବା ବେଳେ ସେଥିରେ ପ୍ରଶାସନିକ ଅପାରଗତାକୁ ନେଇ ଉଦବେଗ ପ୍ରକାଶ ପାଇବା ସହିତ ଆନ୍ଦୋଳନ ନିଷ୍ପତ୍ତି ହୋଇଥିଲା। ଏହି ପରିପ୍ରେକ୍ଷୀରେ ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଏବଂ ଜିଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଉଚ୍ଛେଦ କରା ନଗଲେ ଆନ୍ଦୋଳନ ପାଇଁ ସ୍ମାରକପତ୍ରରେ ଚେତାବନୀ ଦିଆଯାଇଛି। ଏଥର ଉଚ୍ଛେଦ କରା ନ ଗଲେ ସହରରେ ଏକ ବଡ଼ ଆନ୍ଦୋଳନ ମୁଣ୍ଡ ଟେକିଛି। ଏହାପରେ ଉଚ୍ଛେଦ ପ୍ରକ୍ରିୟାରେ ପୌର ପ୍ରଶାସନ ତତ୍ପର ହୋଇଛି। ତେବେ ଏଥର ଜବରଦଖଲ ସମ୍ପୂର୍ଣ୍ଣ ଉଚ୍ଛେଦ ହେବ ନା ପୁଣି ତାହା ଅଧାରେ ଅଟକି ଯିବା, ତାକୁ ସଭିଏଁ ଚାହିଁ ବସିଛନ୍ତି।