Categories: ଫୁରସତ

କୁଷ୍ଠ ମୂଳୋତ୍ପାଟନ ଦିବସ

ସଚେତନ ହେଲେ ବିଭିନ୍ନ ଶାରୀରିକ ସମସ୍ୟାରୁ ସହଜରେ ଦୂରେଇ ରହିବା ସମ୍ଭବ ହୋଇ ପାରିଥାଏ। ଏହି ମର୍ମରେ କୁଷ୍ଠ ଭଳି ସମସ୍ୟାଠାରୁ ମୁକ୍ତି ପାଇଁ ଜାନୁୟାରୀ ଶେଷ ରବିବାର ଦିନ ବିଶ୍ୱ କୁଷ୍ଠ ମୂଳୋତ୍ପାଟନ ଦିବସ ପାଳନ କରାଯାଇଥାଏ। ଚଳିତ ୨୦୨୩ ମସିହାରେ, ଏହି ଦିବସ ରବିବାର ୨୯ ଜାନୁଆୟୀରେ ପାଳିତ ହେଉଛି। ଏହି ଦିବସ ପାଳନ ଅବସରରେ ଏନେଇ ସଚେତନତା ସୃଷ୍ଟି ସହିତ ଏହାକୁ ନେଇ ସମାଜରେ ଦେଖାଯାଉଥିବା ଭେଦଭାବ ବନ୍ଦ କରିବାକୁ ଆହ୍ବାନ ଦିଆଯାଇଥାଏ।

୧୯୫୪ ମସିହାରେ ଫ୍ରାନ୍ସର ଗଣମାଧ୍ୟମ ପ୍ରତିନିଧି ତଥା କାର୍ଯ୍ୟକର୍ତ୍ତା ରାଓଲ ଫୋଲେରୋଙ୍କ ଦ୍ୱାରା ବିଶ୍ୱ କୁଷ୍ଠ ଦିବସ ପ୍ରତିଷ୍ଠା କରାଯାଇଥିଲା। ଦୁଇଟି ଲକ୍ଷ୍ୟ ସହିତ ଫୋଲେରୋ ବିଶ୍ୱ କୁଷ୍ଠ ଦିବସ ସୃଷ୍ଟି କରିଥିଲେ। କୁଷ୍ଠରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ସମାନ ସୁବିଧା ସୁଯୋଗ ପ୍ରଦାନ ଏବଂ ଏହି ସମସ୍ୟା ସମ୍ପର୍କରେ ଥିବା ଭୁଲ ଧାରଣାକୁ ସଂଶୋଧନ କରି କୁଷ୍ଠ ବିଷୟରେ ଜନସାଧାରଣଙ୍କୁ ଶିକ୍ଷା ଦେବା ତାଙ୍କ ମୁଖ୍ୟ ଲକ୍ଷ୍ୟ ଥିଲା। କୁଷ୍ଠ ଭାରତର ବିଭିନ୍ନ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ଦେଖାଯାଇଥାଏ। ବାର୍ଷିକ ୧୦ ହଜାର ଜନସଂଖ୍ୟାରେ ଏହାର ହାର ୪.୫୬ ପ୍ରତିଶତ ରହିଛି। କୁଷ୍ଠର ପ୍ରାଦୁର୍ଭାବ ହାର ଦେଶରେ୧୦ ହଜାର ଜନସଂଖ୍ୟାରେ ଏହାର ହାର ୦.୪ ପ୍ରତିଶତ ।

ନ୍ୟାଶନାଲ କୁଷ୍ଠ ମୂଳୋତ୍ପାଟନ କାର୍ଯ୍ୟକ୍ରମର ସର୍ବଶେଷ ତଥ୍ୟ ଅନୁଯାୟୀ, ୨୦୨୦-୨୧ ମସିହାରେ ଭାରତରେ ମୋଟ ୬୫,୧୪୭ କୁଷ୍ଠ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିଲା। ସେହି ସମୟ ମଧ୍ୟରେ ମହାରାଷ୍ଟ୍ର ୧୨ ହଜାରରୁ ଅଧିକ ମାମଲା ରେକର୍ଡ କରିଥିଲା। ୨୦୦୨ରେ ଏନେଇ ଜାତୀୟ ସ୍ବାସ୍ଥ୍ୟ ନୀତି ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ଜନସ୍ବାସ୍ଥ୍ୟ ସମସ୍ୟା ଭାବରେ କୁଷ୍ଠ ଦୂର କରିବା ନେଇ ଡିସେମ୍ବର ୨୦୦୫ରେ ଜାତୀୟ ସ୍ତରରେ ୧୦ ହଜାର ଜନସଂଖ୍ୟାରେ ୧ରୁ କମ ମାମଲା ଭାବରେ ଏହାକୁ ବ୍ୟାଖ୍ୟା କରାଯାଇଥିଲା।

Share