Advertisement

ଅଛୁଆଁ ହେଉଛନ୍ତି କୁଷ୍ଠ ଆକ୍ରାନ୍ତ

ଢେଙ୍କାନାଳ ଅଫିସ, ୧୫।୧: ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା କୁଷ୍ଠ ଆକ୍ରାନ୍ତ ଛୁଆଁ ଅଛୁଆଁ ଭେଦଭାବର ଶିକାର ହେଉଛନ୍ତି। ଖାଦ୍ୟ ଟେଣ୍ଡରଧାରୀ ସଂସ୍ଥାର କର୍ମଚାରୀମାନେ ସେମାନଙ୍କୁ ହୀନମନ୍ୟତା ଦୃଷ୍ଟିରେ ଦେଖୁଛନ୍ତି। ଓ୍ବାର୍ଡ ଦୁଆର ମୁହଁରେ ରହି ସେମାନେ ଶଯ୍ୟାକୁ ଖାଦ୍ୟ ଫୋପାଡୁଛନ୍ତି। ନିମ୍ନମାନର ଖାଦ୍ୟ ଦେଉଛନ୍ତି। ପ୍ରତିବାଦ କଲେ ଧମକ ଚମକ ଦେଉଛନ୍ତି। ରୋଗୀ ଆତ୍ମହତ୍ୟା, ଗର୍ଭବତୀଙ୍କୁ ଚିକିତ୍ସାରେ ଅବହେଳା ଭଳି ଘଟଣାକୁ ନେଇ ବିବାଦରେ ରହି ଆସିଥିବା ଢେଙ୍କାନାଳ ଜିଲା ସ୍ବାସ୍ଥ୍ୟକେନ୍ଦ୍ରରେ ଗୁରୁବାର ରାତିରେ ଏହାକୁ ନେଇ ସୃଷ୍ଟି ହୋଇଛି ଅପ୍ରୀତିକର ସ୍ଥିତି। ଏଭଳି ସମ୍ବେଦନଶୀଳ ଘଟଣା ସମ୍ପର୍କରେ ଜିଲାପାଳ ସରୋଜ କୁମାର ସେଠୀଙ୍କ ନିକଟରେ ଲିଖିତ ଅଭିଯୋଗ ହେବା ପରେ ଘଟଣାର ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ ସେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡିଏମ୍‌ଓ) ଡା. ଅଶୋକ କୁମାର ଦାଶଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଅଭିଯୋଗ ଅନୁଯାୟୀ, ଜିଲା ମୁଖ୍ୟ ଚିକିତ୍ସାଳୟର ୫ ମହଲାରେ ଥିବା କୁଷ୍ଠ ଓ୍ବାର୍ଡରେ ୨୪ଜଣ ରୋଗୀ ଚିକିତ୍ସାଧୀନ ଅଛନ୍ତି। ସେମାନଙ୍କୁ ଗୁରୁବାର ରାତିରେ ଯେଉଁ ରୁଟି ଏବଂ ତରକାରି ଦିଆଯାଇଥିଲା, ତାହା ଥିଲା ନିମ୍ନମାନର। ଏପରି କି ଆବଶ୍ୟକ ଅନୁଯାୟୀ ରୁଟି ମଧ୍ୟ ଦିଆଯାଇ ନ ଥିଲା। ରୋଗୀମାନେ ଏହାର ପ୍ରତିବାଦ କରିବାରୁ ଖାଦ୍ୟ ଟେଣ୍ଡରଧାରୀ ସଂସ୍ଥାର କର୍ମଚାରୀମାନେ ସେମାନଙ୍କୁ ଧମକଚମକ ଦେଇଥିଲେ। ସମ୍ପୃକ୍ତ କର୍ମଚାରୀମାନେ କୁଷ୍ଠ ରୋଗୀଙ୍କୁ ହୀନ ଦୃଷ୍ଟିରେ ଦେଖୁଛନ୍ତି। ଛୁଆଁ ଅଛୁଆଁ ଭାବ ରଖି ଦୂରରେ ରହି ରୋଗୀଙ୍କ ଶଯ୍ୟାକୁ ରୁଟି ଫିଙ୍ଗୁଥିବା ଅଭିଯୋଗ ହୋଇଛି, ଯାହା ତଦନ୍ତ ସାପେକ୍ଷ। ଏ ବିଷୟରେ ସୂଚନା ପାଇ ଚିକିତ୍ସାଳୟ ଖାଦ୍ୟ ଟେଣ୍ଡର କମିଟି ସଭ୍ୟ ସତ୍ୟସ୍ବରୂପ ଦାସ ରୋଗୀଙ୍କ ସହ ଆଲୋଚନା କରିଥିଲେ। ଶୁକ୍ରବାର ଜିଲାପାଳଙ୍କୁ ଘଟଣାର ସମସ୍ତ ବିବରଣୀ ଲିଖିତ ଭାବେ ଜଣାଇଥିଲେ।
ଏ ସଂକ୍ରାନ୍ତରେ ସିଡିଏମ୍‌ଓ ଡା. ଦାଶ କୁହନ୍ତି, ଘଟଣାର ତଦନ୍ତ କରିବା ପାଇଁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଖାଦ୍ୟ ଟେଣ୍ଡର ନେଇଥିବା ସଂସ୍ଥା ସହ ଆଲୋଚନା କରିବାକୁ ସୋମବାର ଡକାଯାଇଛି। ଚଳିତ ମାସରେ ଖାଦ୍ୟ ଟେଣ୍ଡର ନେଇଥିବା ସଂସ୍ଥାର ଅବଧି ଶେଷ ହେଉଛି। ଆସନ୍ତା ମାସରୁ ସ୍ବୟଂ ସହାୟକ ଗୋଷ୍ଠୀକୁ ଟେଣ୍ଡର ଦିଆଯିବା ପାଇଁ ନିଷ୍ପତ୍ତି ହୋଇଛି ବୋଲି ସିଡିଏମ୍‌ଓ ସୂଚନା ଦେଇଛନ୍ତି। କୁଷ୍ଠରୋଗ ଆରୋଗ୍ୟସାଧ୍ୟ। ଠିକ୍‌ ସମୟରେ ଚିକିତ୍ସା କଲେ ରୋଗୀ ସୁସ୍ଥ ହୋଇପାରିବେ। ତେଣୁ ରୋଗୀଙ୍କୁ ଘୃଣା ନ କରିବାକୁ ଲୋକଙ୍କୁ ସଚେତନ କରାଯାଉଛି। ହେଲେ ଜିଲା ମୁଖ୍ୟ ଚିକିତ୍ସାଳୟ ଭଳି ଗୁରୁତ୍ୱପୂର୍ଣ୍ଣ ସରକାରୀ ସ୍ବାସ୍ଥ୍ୟ ଅନୁଷ୍ଠାନରେ କୁଷ୍ଠ ରୋଗୀଙ୍କୁ ଏଭଳି ବ୍ୟବହାର ଚର୍ଚ୍ଚାର ବିଷୟ ହୋଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share