ସୁବିଧା କମ୍‌, ଅସୁବିଧା ବେଶି

କୁତ୍ରା,୨୫ା୯(ଦେବାଶିଷ ସାହୁ):ସୁନ୍ଦରଗଡ ଜିଲା କୁତ୍ରା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଅବହେଳିତ ଅବସ୍ଥାରେ ପଡି ରହିଛି। ବର୍ଷା ହେଲେ ଛାତ ଓ କାନ୍ଥରୁ ପାଣି ଝରୁଛି। ଅଫିସ ଚାରିପାଖରେ ଅଳିଆ ଆବର୍ଜନା ପଡ଼ି ରହିଛି। ବର୍ଷେ ଦୁଇ ବର୍ଷରେ ଥରେ ମଧ୍ୟ ଏହା ରଙ୍ଗ କରାଯାଉ ନାହିଁ। ଶୌଚାଳୟର ଅବସ୍ଥା କହିଲେ ନ ସରେ। ଫଳରେ କର୍ମଚାରୀଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ବିଶେଷକରି ମହିଳା କର୍ମଚାରୀ ଓ ବିଭିନ୍ନ କାର୍ଯ୍ୟ ନେଇ ଅଫିସକୁ ଆସୁଥିବା ଶିକ୍ଷୟିତ୍ରୀ ନାନା ପ୍ରକାରର ଅସୁବିଧା ଭୋଗୁଛନ୍ତି। ସରକାର ବିଦ୍ୟାଳୟ ଗୁଡିକୁ ୫-ଟି ଅଧୀନରେ ଅନ୍ତର୍ଭୁକ୍ତ କରି ରୂପାନ୍ତରଣ କାର୍ଯ୍ୟ ମାଧ୍ୟମରେ କୋଟିକୋଟି ଟଙ୍କା ଖର୍ଚ୍ଚ କରି ଚକାଚକ କରୁଛନ୍ତି। ହେଲେ ଏହି ବିଦ୍ୟାଳୟ ଗୁଡିକୁ ତଦାରଖ କରୁଥିବା, ତାଙ୍କ ସୁବିଧା ଅସୁବିଧା ବୁଝୁଥିବା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଅବହେଳିତ ହୋଇ ପଡିଛି। ଦୀର୍ଘ ବର୍ଷରୁ ନିର୍ମାଣ ହୋଇଥିବା ଏହି କୋଠା ଗୁଡିକ ଦୁର୍ବଳ ହୋଇ ପଡ଼ିଲାଣି। ଏହାର ମରାମତି ମଧ୍ୟ ହୋଇ ପାରୁନାହିଁ। କୌଣସି ସମୟରେ ଅଘଟଣ ଘଟିବ ତାହା କହି ହେବ ନାହିଁ। ଏହାକୁ ନେଇ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶରତ କୁମାର ପତିଙ୍କୁ ପଚାରିବାରୁ, ଏହାର ମରାମତି କିମ୍ବା ନୂତନ କୋଠା ନିର୍ମାଣ କରିବା ପାଇଁ କୌଣସି ପ୍ରକାର ଫଣ୍ଡ ଆସୁ ନ ଥିବା କହିଛନ୍ତି। ତେଣୁ ଏଦିଗରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଓ ପ୍ରଶାସନ ଦୃଷ୍ଟି ଦେଇ ଏହାର ମରାମତି କରିବା ଦିଗରେ ଧ୍ୟାନ ଦେବା ପାଇଁ ସମସ୍ତ ଶିକ୍ଷୟିତ୍ରୀ ଶିକ୍ଷକ ତଥା ଗ୍ରାମର ବୁଦ୍ଧିଜୀବୀ ମହଲରୁ ଦାବି ହେଉଛି।