ମେ’ ୨୬ରେ ସାମୁଦ୍ରିକ ଝଡ଼ ୟାସ୍ ଓଡ଼ିଶା ଉପକୂଳରେ ଲ୍ୟାଣ୍ଡଫଲ୍ କରିବ। ଏହା ୨୦୧୮ରେ ଦକ୍ଷିଣ ଓଡ଼ିଶାକୁ ପ୍ରଭାବିତ କରିଥିବା ବାତ୍ୟା ତିତ୍ଲି ଭଳି ତୀବ୍ର ହେବ। କିନ୍ତୁ ଫନିଠାରୁ କମ୍ ପ୍ରଭାବ ପକାଇବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ‘ଧରିତ୍ରୀ’ର ଦିଲ୍ଲୀ ଖବରଦାତା କୁଲ୍ଦୀପ ସିଂଙ୍କୁ ଏକ ସ୍ବତନ୍ତ୍ର ସାକ୍ଷାତ୍କାର ଦେଇ କହିଛନ୍ତି।
କେତେବେଳେ ଏବଂ କେଉଁଠାରେ ୟାସ୍ ସ୍ଥଳଭାଗ ଛୁଇଁବ?
ୟାସ୍ ପାରାଦୀପ ଓ ସାଗରଦ୍ୱୀପ ମଧ୍ୟରେ ବାଲେଶ୍ୱର ନିକଟରେ ବୁଧବାର ମଧ୍ୟାହ୍ନରେ ଲ୍ୟାଣ୍ଡଫଲ୍ କରିବ।
କେଉଁ ରାଜ୍ୟର କେଉଁ ଅଞ୍ଚଳକୁ ଏହା ପ୍ରଭାବିତ କରିବ ଓ ଏହାର ତୀବ୍ରତା କେତେ ରହିବ?
ଘଣ୍ଟାପ୍ରତି ୧୫୫ରୁ ୧୬୫ କିଲୋମିଟର ଓ ସ୍ଥଳବିଶେଷରେ ୧୮୫ କିଲୋମିଟର ଯାଏ ପବନ ବହି ସ୍ଥଳଭାଗ ଛୁଇଁବ। ଫଳରେ ବାଲେଶ୍ୱର, ଭଦ୍ରକ, ଜଗତ୍ସିଂହପୁର ଏବଂ କେନ୍ଦ୍ରାପଡ଼ା ଜିଲା ବିଶେଷ ଭାବେ ପ୍ରଭାବିତ ହେବ। ଏହା ପରେ ପବନର ବେଗ କମିବ। ଫଳରେ ମୟୂରଭଞ୍ଜରେ ଘଣ୍ଟାପ୍ରତି ୧୨୦ରୁ ୧୩୦ କି.ମି. ଏବଂ କେନ୍ଦୁଝର, ଢେଙ୍କାନାଳ, ଭୁବନେଶ୍ୱର ଆଦି ସ୍ଥାନରେ ଏହାର ବେଗ କମ୍ ରହିବ।
ଫନି ତୁଳନାରେ ୟାସ୍ କେତେ ତୀବ୍ର ରହିବ?
ଫନିର ଘଣ୍ଟାପ୍ରତି ବେଗ ୨୦୫ କିଲୋମିଟର ଥିଲାବେଳେ ୟାସ୍ର ବେଗ ୧୬୫ କିଲୋମିଟର ହେବ ବୋଲି ଅନୁମାନ କରାଯାଉଛି। ଏହା ଫନିଠାରୁ ଯଥେଷ୍ଟ କମ୍, କିନ୍ତୁ ୨୦୧୮ରେ ଗୋପାଳପୁରଠାରେ ମାଡ଼ କରିଥିବା ତିତ୍ଲି ଭଳି ହେବ। ହେଲେ ଗତବର୍ଷ ସୁନ୍ଦରବନରେ ଲ୍ୟାଣ୍ଡଫଲ୍ କରିଥିବା ଅମ୍ଫନ ଓ ଗତ ସପ୍ତାହରେ ସାମୁଦ୍ରିକ ଝଡ଼ ତଉକ୍ତାଏଠାରୁ ଏହା ସାମାନ୍ୟ କମ୍ ରହିବ।
ଏହି ଝଡ଼କୁ କିଭଳି ଟ୍ରାକିଂ କରାଯାଉଛି? ଏଥିପାଇଁ ବ୍ୟବହୃତ ହେଉଥିବା ରାଡାର ବିଷୟରେ କୁହନ୍ତୁ?
ଆମର ଗୋପାଳପୁର, ପାରାଦୀପ ଓ କୋଲକାତାରେ ଡପ୍ଲର ରାଡାର ରହିଛି। ଏହିଭଳି ନିର୍ଦ୍ଦିଷ୍ଟ ବାତ୍ୟାକୁ ରେଖାଙ୍କିତ କରିବା ପାଇଁ ଏଭଳି ରାଡାର ବ୍ୟବହୃତ କରାଯାଏ। ଯଦି ବାତ୍ୟା ଆନ୍ଧ୍ର ଆଡକୁ ଯାଏ, ତେବେ ଭାଇଜାକ୍ ରାଡାରକୁ କେତେକାଂଶରେ ବ୍ୟବହାର କରାଯାଇଥାଏ। ଯାହା ଜଣାପଡ଼ୁଛି, ଗୋପାଳପୁର ଓ ପାରାଦୀପ ରାଡାର ଦ୍ୱାରା ୟାସ୍ର ଗତିବିଧି ମପାଯିବ।
ୟାସ୍ ଦକ୍ଷିଣ-ପଶ୍ଚିମ ମୌସୁମୀର ଆଗମନକୁ ପ୍ରଭାବିତ କରିବ କି?
ଏହା ମୌସୁମୀ ଉପରେ ଆଦୌ ପ୍ରଭାବ ପକାଇବ ନାହିଁ। ସାଧାରଣତଃ ଦକ୍ଷିଣ-ପଶ୍ଚିମ ମୌସୁମୀ ଜୁନ୍ ୧୦ରୁ ୧୨ ତାରିଖ ମଧ୍ୟରେ ଓଡ଼ିଶାରେ ପହଞ୍ଚତ୍ଥାଏ। ଏହା ଡେରି ଅଛି। ଆମେ ଯାହା ଅନୁମାନ କରୁଛୁ ମୌସୁମୀ ୩୧ ମେ’ରେ କେରଳ ଛୁଇଁପାରେ।
କାର୍ଯ୍ୟକଳାପ ଯୋଗୁ ସାମୁଦ୍ରିକ ଝଡ଼ ଉପକୂଳବର୍ତ୍ତୀ ଅଞ୍ଚଳ ପାଇଁ ବିପଦ ସୃଷ୍ଟି କରୁଛି କି?
ଏହା ଏକ ଜଟିଳ ପ୍ରଶ୍ନ। ସାଧାରଣତଃ ବାରମ୍ବାର ସାମୁଦ୍ରିକ ଝଡ଼ ଓ ଏହାର ତୀବ୍ରତା ଜଳବାୟୁ ପରିବର୍ତ୍ତନ ଉପରେ ନିର୍ଭର କରେ। ଏହା ଆରବସାଗର ଓ ବଙ୍ଗୋପସାଗରରେ ଦେଖାଦେଉଥିବା ବାତ୍ୟାରୁ ବହୁବାର ଅନୁଧ୍ୟାନ କରାଯାଇଛି। ଉପକୂଳ ଅଞ୍ଚଳରେ ଅନେକ କାର୍ଯ୍ୟକଳାପର ପ୍ରଭାବ ସମ୍ପର୍କ ବାତ୍ୟା ସହିତ ଜଡ଼ିତ ରହିଛି। କିନ୍ତୁ ବାତ୍ୟାର ତୀବ୍ରତା ଓ ବାରମ୍ବାର ସୃଷ୍ଟି ହେବା ସହିତ ଏହାର ସେଭଳି ପ୍ରତ୍ୟକ୍ଷ ସମ୍ପର୍କ ନାହିଁ।
ୟାସ୍କୁ ମୁକାବିଲା କରିବାରେ ଓଡ଼ିଶା ସରକାର କେତେ ମାତ୍ରାରେ ପ୍ରସ୍ତୁତ ହେଉଛନ୍ତି ଓ ଆପଣଙ୍କ ବିଭାଗ ସହିତ କିପରି ସମନ୍ବୟ ରକ୍ଷାକରି ପାରିଛି?
ବାତ୍ୟା ପରିଚାଳନା କ୍ଷେତ୍ରରେ ଓଡ଼ିଶା ଅନେକ ସମୟରେ ଉଦାହରଣ ସୃଷ୍ଟି କରିଛି। ଏଥିପାଇଁ କେନ୍ଦ୍ର, ରାଜ୍ୟଗୁଡ଼ିକର ବିଭିନ୍ନ ସଂସ୍ଥା ସହିତ ଆମର ସମନ୍ବୟ ରହିଛି। ଏ ଦିଗରେ ଆମେ ରାଜ୍ୟ ସରକାରଙ୍କୁ ନିରନ୍ତର ତଥ୍ୟ ଯୋଗାଇ ଦେଉଛୁ। ରାଜ୍ୟ ସରକାର ମଧ୍ୟ ତୁରନ୍ତ ନିଷ୍ପତ୍ତି ନେଇ ତାହା ଜିଲାପାଳ ଓ ରାଜ୍ୟସ୍ତରୀୟ ଅଧିକାରୀଙ୍କୁ ଜଣାଇ ଦେଉଛନ୍ତି। ପ୍ରତ୍ୟେକ କ୍ଷେତ୍ର ପାଇଁ ଆମର ନିର୍ଦ୍ଦିଷ୍ଟ ସତର୍କ ବ୍ୟବସ୍ଥା ରହିଛି। ଯେପରିକି ବନ୍ଦର, ମତ୍ସ୍ୟଜୀବୀ, ଉପକୂଳ ସତର୍କତା, ଗଭୀର ସମୁଦ୍ରରେ ଆତଯାତ କରୁଥିବା ଜାହାଜ ଏବଂ ବିମାନବନ୍ଦର ପାଇଁ ସତର୍କ ସୂଚନା ଯୋଗାଇ ଦିଆଯାଉଛି।