ନାଉଗାଁ,୧୦।୪(ସ୍ବ.ପ୍ର.): ନାଉଗାଁ ବ୍ଲକ ଅନ୍ତର୍ଗତ ଶିଖରଘାଟ-ବାଲିଭଉଁରୀ ପୂର୍ତ୍ତ ବିଭାଗ ରାସ୍ତାରୁ ସାରେଇକୂଳ ଦେଇ ଅଙ୍ଗେଶ୍ୱରପଡାକୁ ସଂଯୋଗ କରୁଥିବା ରାସ୍ତା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ନିର୍ମାଣ ହୋଇଛି। ଏହି ରାସ୍ତା ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ରହିଛି। ଗତ ମାସେ ତଳେ ବିଭାଗ ପକ୍ଷରୁ ଏହାକୁ ମରାମତି କରାଯାଇଛି। ମାତ୍ର ମାସେ ନ ପୂରୁଣୁ ରାସ୍ତାର ଶିଖର ମଣ୍ଡିରୁ ପିଚୁ ଉଠିଯାଇଛି। ଏହି ମରାମତି କାମ ନିମ୍ନମାନର ହୋଇଥିବା ନେଇ ସାଧାରଣରେ ଅଭିଯୋଗ ହୋଇଛି।
ଗ୍ରାମ୍ୟ ଉନ୍ନୟନ ବିଭାଗ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ୨୪୦୦ ମିଟର ରାସ୍ତା ପାଇଁ ୩୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ କରାଯାଇଛି। ମାର୍ଚ୍ଚରେ କାମ ଶେଷ ହୋଇଥିଲା। ମାତ୍ର ଏବେ ରାସ୍ତାରୁ ପିଚୁ ଉଠିଯିବାରୁ ପୁନର୍ବାର ଖାଲଖମାରେ ପୂର୍ଣ୍ଣ ହେବା ଆଶଙ୍କା ସୃଷ୍ଟି ହୋଇଛି। ବର୍ଷା ଦିନେ ଏହି ପିଚୁ ଧୋଇଯିବ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଏହି ବାଟ ଦେଇ ପିଲାମାନେ ଅଙ୍ଗେଶ୍ୱରପଡା ଉଚ୍ଚ ବିଦ୍ୟାଳୟକୁ ପଢ଼ିବା ପାଇଁ ଯାଇଥାନ୍ତି। ସାରେଇକୂଳ ଦେଇ ଗଙ୍ଗଦାହାଟ, ଗାରୋଇ, ମାଛଗାଁ ଆଦିରୁ ବିଭିନ୍ନ ଯାତ୍ରୀବାହୀ ଓ ମାଲ୍ବାହୀ ଗାଡି ଯାତାୟାତ କରିଥାଏ। ଏନେଇ ବର୍ଷାଦିନ ପୂର୍ବରୁ ଉକ୍ତ ରାସ୍ତାକୁ ମରାମତି କରିବା ପାଇଁ ସାଧାରଣରେ ଦାବି ହୋଇଛି।
ଏ ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀ ରମାକାନ୍ତ ମିଶ୍ର କୁହନ୍ତି, ରାସ୍ତା କାର୍ଯ୍ୟ ସମୟରେ ଶିଖରଠାରେ ଥିବା ବା ଧାନ ମଣ୍ଡିରୁ ଧାନ ଗାଡି ଯିବା ଆସିବା ଫଳରେ ସେଠାରୁ ପିଚୁ ଉଠିଯାଇଛି। ଏନେଇ ପୁନର୍ବାର ରାସ୍ତା କାର୍ଯ୍ୟ କରାଯିବ।