ପାଟଣା,୧୬ା୫(ସ୍ବ.ପ୍ର.): କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ୍ ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ମାଣାଧୀନ ଧାନବେଣୀ-ବନବୀର ୨୦ କି.ମି ରାସ୍ତା ନିର୍ମାଣରେ ଅନିୟମିତତା ଦେଖାଯାଇଛି। ରାସ୍ତାର ଭାଳିଆ ଡାଳରୁ କଟାବେଡ଼ା ୨ କି.ମି. ରାସ୍ତା ନିର୍ମାଣକୁ ମାସେ ନ ପୁରୁଣୁ ପିଚୁ ଉଠିଗଲାଣି। ରାସ୍ତାରେ ସରୁ ଗୋଡ଼ି ପଡ଼ି ମରଣଯନ୍ତା ପାଲଟିଛି।
ସୂଚନା ଅନୁଯାୟୀ, ବିଭାଗ ତରଫରୁ ୧୮ ଲକ୍ଷ ଟଙ୍କା ବ୍ୟୟ ବରାଦରେ ଏପିଲରେ ଉକ୍ତ ରାସ୍ତାରେ ପିଚୁ କାମ ହୋଇଥିଲା। ନିମ୍ନମାନର କାର୍ଯ୍ୟ ଯୋଗୁ ମାସକ ମଧ୍ୟରେ ପିଚୁ ଉଠିଗଲାଣି। ଗାଡ଼ି ମୋଟର ଚଳାଚଳରେ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଥିସହ ରାସ୍ତା କାମ ବିବରଣୀ ଉଲ୍ଲେଖ ଥିବା ଡିସପ୍ଲେ ବୋର୍ଡ ଲଗାଯାଇନାହିଁ ବୋଲି ସ୍ଥାନୀୟ ମିରିଖୋଜି ସରପଞ୍ଚ ମନମୋହନ ବେହେରା, ପୂର୍ବତନ ସମିତି ସଭ୍ୟା ଧରିତ୍ରୀ ମହାନ୍ତ, ସମିତି ସଭ୍ୟା ଦ୍ରୌପଦୀ ମହାନ୍ତ ଅଭିଯୋଗ କରିଛନ୍ତି। ସାହାରପଡ଼ା ଗ୍ରାମ ଉନ୍ନୟନ ବିଭାଗ ଏସ୍ଡିଓ ବିଶ୍ୱଜିତ ସିଂ କହିଛନ୍ତି, ପିଚୁ ଉଠିଯିବା ସ୍ଥାନ ସେ ବୁଲି ଦେଖିଛନ୍ତି। ସମ୍ପୃକ୍ତ ଠିକା ସଂସ୍ଥାକୁ ରାସ୍ତା ପୁନଃ ମରାମତି ନିର୍ଦ୍ଦେଶ ଦେଇଛନ୍ତି। ଠିକା ସଂସ୍ଥାର ବିଲ ମଧ୍ୟ ପୈଠ କରାଯାଇନାହିଁ ବୋଲି କହିଥିଲେ।