Categories: ଜାତୀୟ

ହାତୀକୁ ବାଟ ଛାଡ଼

ନୂଆଦିଲ୍ଲୀ,୧୫ା୧୦: ହାତୀ ଏକ ଜେଣ୍ଟଲମ୍ୟାନ। ମଣିଷ ହାତୀକୁ ବାଟ ଛାଡ଼ିଦେବା ଉଚିତ। ହାତୀ ଏକ ବିଶାଳକାୟ ଜୀବ ହେଲେ ମଧ୍ୟ ଭଙ୍ଗୁର। ଆମେ ଏକ ଭଙ୍ଗୁରପ୍ରବଣ ଜୈବ ବ୍ୟବସ୍ଥାକୁ ନେଇ ଚଳୁଛେ। ତାମିଲନାଡୁର ନିଲ୍‌ଗିରିସ୍‌ ଏଲିଫେଣ୍ଟ କରିଡର ପ୍ରସଙ୍ଗରେ ବୁଧବାର ମାଡ୍ରାସ୍‌ ହାଇକୋର୍ଟଙ୍କ ରାୟକୁ ବଳବତ୍ତର ରଖି ଏପରି ମନ୍ତବ୍ୟ ଦେଇଛନ୍ତି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏସ୍‌.ଏ. ବୋବ୍‌ଡେ।
ତାମିଲନାଡୁର ଉଟିରୁ ମହୀଶୂର ଯିବା ବାଟରେ ନିଲ୍‌ଗିରିସ୍‌ର ସେରୁଗୁରୁ ମାଳଭୂମି ନିକଟସ୍ଥ ମସିନାଗୁଡି ଅଞ୍ଚଳରେ ଏକ ହାତୀ କରିଡର ଅବସ୍ଥିତ। ଏହି କରିଡର ସମ୍ପର୍କରେ ୨୦୧୧ ଜୁଲାଇରେ ମାଡ୍ରାସ୍‌ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଥିଲେ। ଜୈବିକ ଦୃଷ୍ଟିରୁ ଭଙ୍ଗୁର ନିଲ୍‌ଗିରିସ୍‌ ହାତୀ କରିଡର ଚିହ୍ନଟ କରିବା ବଣ୍ୟପ୍ରାଣୀ ସୁରକ୍ଷା ଆଇନ ଆଗରେ ପ୍ରତିବନ୍ଧକ ହୋଇ ନ ଥିବାରୁ ଏନେଇ ବିଜ୍ଞପ୍ତି ଜାରି କରିବା ପାଇଁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ କ୍ଷମତା ଦେଇଥିଲେ। ବଲିଉଡ୍‌ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କ ସମେତ କେତେଜଣ ରିସର୍ଟ/ଘରୋଇ ଜମି ମାଲିକଙ୍କ ପକ୍ଷରୁ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ୩୨ଟି ଅପିଲ୍‌ ପିଟିଶନ ଦାଏର କରାଯାଇଥିଲା। ସିଜେଆଇ ବୋବ୍‌ଡେଙ୍କ ଅଧ୍ୟକ୍ଷତାରେ ତଥା ଜଷ୍ଟିସ୍‌ ଏସ୍‌. ଅବ୍‌ଦୁଲ ନାଜିର ଓ ସଞ୍ଜୀବ ଖାନ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହାର ଶୁଣାଣି କରି ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ନେତୃତ୍ୱରେ ଏକ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଉକ୍ତ କମିଟିରେ ଅନ୍ୟ ଦୁଇଜଣ ସଦସ୍ୟ ଭାବେ ରହିବେ। କରିଡର ମଧ୍ୟରେ ରିସର୍ଟ ଓନର ଓ ଘରୋଇ ଜମି ମାଲିକଙ୍କ ବ୍ୟକ୍ତିଗତ ଆପତ୍ତିକୁ ଏହି କମିଟି ଶୁଣିବ।
ଏହି ଅବସରରେ ଖଣ୍ଡପୀଠ କହିଛନ୍ତି, ନିଲ୍‌ଗିରିସ୍‌ ହାତୀ ପ୍ରକଳ୍ପର ବିଜ୍ଞପ୍ତି ପାଇଁ ୨୦୧୦ ଅଗଷ୍ଟରେ ତାମିଲନାଡୁ ସରକାରଙ୍କ ନିର୍ଦ୍ଦେଶନାମାକୁ ସର୍ବୋଚ୍ଚ ଅଦାଲତ ବଳବତ୍ତର ରଖିବେ। ହାତୀ ଏକ ଭଦ୍ର ଜୀବ ହୋଇଥିବାରୁ ମଣିଷ ଜଙ୍ଗଲକୁ ଯାଇ ତା’ର ପଥ ଅବରୋଧ ନ କରୁ। ମଣିଷମାନେ ହାତୀ ପାଇଁ ବାଟ ଛାଡ଼ିଦେବା ଉଚିତ। ଆମିକସ୍‌ କ୍ୟୁରି ଏ.ଡି.ଏନ୍‌. ରାଓ ଦାଏର କରିଥିବା ରିପୋର୍ଟକୁ ଅନୁଧ୍ୟାନ କରିବା ପରେ ସିଜେଆଇ ହାତୀ ଉପରେ ସଦୟ ହୋଇ ଏପରି ମନ୍ତବ୍ୟ ଦେଇଛନ୍ତି। ଆମିକସ୍‌ କ୍ୟୁରି ତାଙ୍କ ରିପୋର୍ଟରେ୍‌ ପ୍ରସ୍ତାବ ଦେଇଥିଲେ ଯେ, ରାଜ୍ୟ ସରକାରଙ୍କ ପକ୍ଷରୁ ହାତୀ କରିଡର ଭାବେ ଚିହ୍ନଟ କରାଯାଇଥିତ୍ବା ଅଞ୍ଚଳରେ ଆଦିବାସୀମାନଙ୍କ ଘର ବ୍ୟତୀତ ୮୨୧ ବିଲ୍ଡିଂକୁ ସିଲ୍‌ କରାଯାଉ କିମ୍ବା ଭାଙ୍ଗି ଦିଆଯାଉ। ଜାନୁୟାରୀ ୨୨ରେ ଏହି ମାମଲାର ରାୟ ସଂରକ୍ଷିତ ରଖାଯାଇଥିଲା। ଇତିମଧ୍ୟରେ ଅଦାଲତ ସ୍ପଷ୍ଟ କରିଥିଲେ, ସିଲିଂ କିମ୍ବା ଭାଙ୍ଗିବା ନେଇ ବ୍ୟକ୍ତିଗତ ମାମଲାଗୁଡ଼ିକର ନିଷ୍ପତ୍ତି ଖଣ୍ଡପୀଠ ନେବେ ନାହିଁ।

Share