ଗ୍ରୀଷ୍ମପ୍ରବାହ କମିବା ପର୍ଯ୍ୟନ୍ତ ସକାଳୁଆ ସ୍କୁଲ ହେଉ

ଭୁବନେଶ୍ୱର, ୧୮ା୬(ଅନୁରାଧା ମହାରଣା) ଗ୍ରୀଷ୍ମଛୁଟି ସରି ଆସୁଥିବାବେଳେ ଆସନ୍ତା ୨୧ ତାରିଖରେ ରାଜ୍ୟର ସମସ୍ତ ସ୍କୁଲ ଖୋଲିବାକୁ ଯାଉଛି। ତେବେ ସାରା ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଉଥିବାରୁ ସ୍କୁଲକୁ ସକାଳୁଆ କରାଯିବା ପାଇଁ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ପକ୍ଷରୁ ଦାବି ହୋଇଛି। ଓଷ୍ଟାର ସାଧାରଣ ସମ୍ପାଦକ ରଞ୍ଜନ କୁମାର ଦାଶ କହିଛନ୍ତି, ରାଜ୍ୟ ସରକାର ୧୯ ତାରିଖରେ ଖୋଲିବାକୁ ଥିବା ସ୍କୁଲର ଛୁଟି ଅବଧିକୁ ଦୁଇଦିନ ବୃଦ୍ଧି କରିଛନ୍ତି। ମାତ୍ର ଏବେ ଉପକୂଳଠାରୁ ଆରମ୍ଭ କରି ପଶ୍ଚିମାଞ୍ଚଳ, ଉତ୍ତର ଓ ଦକ୍ଷିଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ତାପମାତ୍ରା ୪୨ ଡିଗ୍ରୀ ଉପରେ ରହୁଛି। ରାଜ୍ୟର ଅଧିକାଂଶ ସ୍କୁଲ ଘର ଆଜବେଷ୍ଟସ୍‌ କିମ୍ବା ଏକ ମହଲା ଛାତବିଶିଷ୍ଟ। ବିଦ୍ୟାଳୟର ସମସ୍ତ ଶ୍ରେଣୀଗୃହରେ ବିଦ୍ୟୁତ୍‌ ସଂଯୋଗ ଓ ପଙ୍ଖାର ସୁବିଧା ନାହିଁ। ଯେଉଁଠି ଅଛି ଅଧା ଅଚଳ ଅବସ୍ଥାରେ ରହିଛି। ଜୁନ୍‌ର ଆର୍ଦ୍ରତାଯୁକ୍ତ ରୌଦ୍ରତାପ ଅସହ୍ୟ ହୋଇପଡ଼ିଛି। ଏଭଳି ସ୍ଥିତିରେ ଦିନ ୧୦ଟାରୁ ୪ଟା ପାଠପଢ଼ା ସମ୍ଭବ ନୁହେଁ। ଯେଉଁ ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ, ପୋଷ୍ଟ ଅଫିସ୍‌ ଆଦି ଦିନବେଳେ ଚାଲୁଛି ସେଠାରେ କୁଲର, ଏସି, ଥଣ୍ଡା ପିଇବା ପାଣି ଆଦି ସୁବିଧା ଉପଲବ୍ଧ ଅଛି। କିନ୍ତୁ ବିଦ୍ୟାଳୟଗୁଡ଼ିକରେ ଏଭଳି ସୁବିଧା ନ ଥିବା ସତ୍ତ୍ୱେ ଶିକ୍ଷାଦାନ ନେଇ ଅଭିଭାବକ, ଶିକ୍ଷକ ଓ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଆଶଙ୍କା ସୃଷ୍ଟି ହୋଇଛି। ପିଲାଙ୍କ ସ୍ବାସ୍ଥ୍ୟଗତ ସୁରକ୍ଷାକୁ ଦୃଷ୍ଟିରେ ରଖି ତାପମାତ୍ରା ହ୍ରାସ ନ ହେବା ପର୍ଯ୍ୟନ୍ତ ସ୍କୁଲ ସମୟକୁ ସକାଳ ୬ଟା ୩୦ରୁ ୯ଟା ୩୦ ପର୍ଯ୍ୟନ୍ତ କରାଯିବା ପାଇଁ ଓଷ୍ଟା ସଭାପତି ଅକ୍ଷୟ କୁମାର ମିଶ୍ର, କାର୍ଯ୍ୟକାରୀ ସଭାପତି ନୀଳମଣି ପୁରୋହିତ, ସାଧାରଣ ସମ୍ପାଦକ ରଞ୍ଜନ କୁମାର ଦାଶ, ଯୁଗ୍ମ ସାଧାରଣ ସଂପାଦକ ବ୍ରଜକିଶୋର ବିଶ୍ୱାଳ ଓ କୋଷାଧ୍ୟକ୍ଷ ଅଶୋକ କୁମାର ମହାପାତ୍ର ପ୍ରମୁଖ ସରକାରଙ୍କୁ ନିବେଦନ କରିଛନ୍ତି।

Share