
ହାଇଦ୍ରାବାଦର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ନିକଟରେ ଏକ ଆଇଟି ପାର୍କ ନିର୍ମାଣ ପାଇଁ ୪ ଶହ ଏକର ଜଙ୍ଗଲକୁ ବୁଲ୍ଡୋଜର ଲଗେଇ ରାତାରାତି ସଫା କରିବାର ଅମାନବୀୟ ନିଷ୍ପତ୍ତି ଆଜି ସମସ୍ତ ପରିବେଶବିତ୍ ଏବଂ ପଶୁପକ୍ଷୀପ୍ରେମୀଙ୍କୁ ଗଭୀର ଆଘାତ ଦେଇଛି। ମୁଖ୍ୟତଃ ମୟୂର ଏବଂ ହରିଣଙ୍କର ଚରାଭୂମି ଥିବା ଏହି ଜଙ୍ଗଲ ସୁରକ୍ଷା ପାଇଁ ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟର ଛାତ୍ର ଛାତ୍ରୀମାନଙ୍କର ପ୍ରାଣମୂର୍ଚ୍ଛା ଉଦ୍ୟମ, ସାମାଜିକ ଗଣମାଧ୍ୟମରେ ଜନ ଆନ୍ଦୋଳନ ଏବଂ ଶେଷରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ନିରୀହଙ୍କ ପ୍ରତି ଅତ୍ୟାଚାର ବିରୋଧରେ ମାନବତାର ବିଜୟ ବୋଲି ଧରିନେବାକୁ ହେବ।
ମଣିଷ ଆଗରେ ଏବେ ଦୁଇଟି ବଡ଼ ସମସ୍ୟା ମୁଣ୍ଡ ଟେକିଛି । ଗୋଟିଏ ହେଉଛି ତାପମାତ୍ରାର ଭୟଙ୍କର ବୃଦ୍ଧି ଏବଂ ଅନ୍ୟଟି ହେଉଛି ଭୂତଳ ଜଳର ହ୍ରାସ। ଏହା ବିଶ୍ୱର ମାନବସମାଜ ଏବଂ ଜୀବଜଗତକୁ ପ୍ରଭାବିତ କରୁଛି। ଏ ଦୁଇଟି ସମସ୍ୟାର କାରଣ ଆଉ ନିରାକରଣର ବାଟ ନ ଖୋଜିଲେ ଆମେ ଭବିଷ୍ୟତ ପିଢ଼ିଙ୍କ ପାଇଁ ମୃତ୍ୟୁର କବର ପ୍ରସ୍ତୁତ କରି ରଖୁଛେ ବୋଲି ଭାବିବାକୁ ହେବ।
ଓଡ଼ିଶା କଥା ଆଲୋଚନା ପରିସରକୁ ନିଆଯାଉ। କିଛି ବର୍ଷ ହେବ ଓଡ଼ିଶାର ପ୍ରତ୍ୟେକ ଜିଲାରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇ ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ପାନୀୟ ଜଳ ସଙ୍କଟକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ସରକାର ୫ ହଜାରରୁ ଊର୍ଦ୍ଧ୍ୱ ନଳକୂପ ଖନନ କରିଛନ୍ତି। ଏହା ସତ୍ତ୍ୱେ କେତେକ ଜିଲାରେ କେବଳ ଗ୍ରୀଷ୍ମ ଋତୁରେ ନୁହେଁ ବର୍ଷ ସାରା ବି ପାନୀୟ ଜଳ ସଙ୍କଟ ଲାଗିରହିଛି। ଏହାର ମୁଖ୍ୟ କାରଣ ସ୍ବଳ୍ପ ଜଳ ବୃଷ୍ଟି ଏବଂ ଭୂତଳ ଜଳର ଭୟଙ୍କର ହ୍ରାସ।
ଓଡ଼ିଶା ସରକାରଙ୍କର ପ୍ରଦୂଷଣ ବିଭାଗ ତରଫରୁ ଜାରି ହୋଇଥିବା ଏକ ରିପୋର୍ଟରୁ ଜଣାଯାଏ କି ୨୦୨୦ରୁ ୨୦୨୪ ଭିତରେ ଗଜପତିରେ ୩. ୮୯ ମିଟର, କେନ୍ଦୁଝର ୧. ୨୬ ମିଟର, ବୌଦ୍ଧ ୧. ୫୧ ମିଟର, କଟକ ୧. ୩୮ ମିଟର, ଖୋର୍ଦ୍ଧା ୧. ୪୦ ମିଟର ଏବଂ ରାୟଗଡ଼ା ଜିଲାରେ ୨. ୦୫ ମିଟର ଭୂତଳ ଜଳ ହ୍ରାସ ପାଇଛି। ସରକାର ଏ ଦିଗରେ ବିଭିନ୍ନ ଯୋଜନା ହାତକୁ ନେଇ ସଫଳ ହୋଇ ପାରି ନାହାନ୍ତି। ଏହାର ଅନେକ କାରଣ ରହିଛି। ସରକାରୀ ଭାବରେ ବୃକ୍ଷରୋପଣ ଏବଂ ଜଙ୍ଗଲ ବୃଦ୍ଧିର ମିଛ ରିପୋର୍ଟ, ଶିଳ୍ପାୟନ ଏବଂ ରାସ୍ତା ସମ୍ପ୍ରସାରଣ ପାଇଁ ବ୍ୟାପକ ବୃକ୍ଷ ଛେଦନ, ଶିଳ୍ପ ସଂସ୍ଥାଗୁଡ଼ିକରେ ଜଳର ବ୍ୟାପକ ବେଆଇନ ବ୍ୟବହାର, ଭୂପୃଷ୍ଠରେ ମାତ୍ରାଧିକ କଂକ୍ରିଟ ଜଙ୍ଗଲ ଏବଂ ଶେଷରେ ସଂଗୃହୀତ ଜଳର ବହୁଳ ବ୍ୟବହାର ଇତ୍ୟାଦି। ଅଧିକାଂଶ ନଦୀ ଏବେ ବାଲିଚର, ଶୁଷ୍କ ଆଉ ବେଗହୀନ। ଏପରିକି ମହାନଦୀ ଏବେ ଜଳହୀନ। ବୋରିଂ କରି ଯେଉଁ ସବୁ ପ୍ରକଳ୍ପ ଚାଲୁଛି ସେଗୁଡ଼ିକ ପାନୀୟ ଜଳ ପରିବର୍ତ୍ତେ କେତେକ ଅସାଧୁ ଲୋକ ତାକୁ ସଂଗ୍ରହ କରି ନିର୍ମାଣ କାର୍ଯ୍ୟରେ ବ୍ୟବହାର କରୁଛନ୍ତି ତ କେଉଁଠି ଟ୍ୟାପ ଖୋଲା ହୋଇ ଅନବରତ ପାଣି ଝରୁଛି। ସବୁଥିରେ ସରକାରଙ୍କୁ ଦୋଷ ଦେଇ ହେବନି। ଲୋକେ ସଚେତନ ହେବା ଦରକାର।
ତିରିଶ ବର୍ଷ ପଛକୁ ଫେରିଗଲେ ଦେଖିବା ପରିବେଶର ଉତ୍ତାପ ବୃଦ୍ଧି ଭୟଙ୍କର ନ ଥିଲା। ଖରାଦିନେ ଲୋକେ ବିଞ୍ଚଣାର ବ୍ୟବହାର କରୁଥିଲେ। ଏବେ ଘରେ ଘରେ ଫ୍ରିଜ, କୁଲର, ଏସି। କିନ୍ତୁ ତା’ର ପ୍ରତିକୂଳ ପ୍ରଭାବ ଶରୀର ଆଉ ପରିବେଶ ଉପରେ କ’ଣ ପଡୁଛି ତାକୁ ଆମେ ଅଣଦେଖା କରୁଛେ।ସଚେତନ ହେବା ପାଇଁ ବିଜ୍ଞାପନ ଦିଆହେଉଛି, ସଭା ସମିତିରେ ସଚେତନତାର ବାର୍ତ୍ତା ବଣ୍ଟା ଚାଲିଛି। ଲାଭ କ’ଣ? ତମେ ଯେତେବେଳେ ଅନ୍ୟକୁ ଧ୍ବଂସ କରିବାର କାରଣ ହେବ ନିଜେ ଧ୍ବଂସ ହୋଇଯିବ। ଅତଏବ ହେ ପ୍ରକୃତିର ଶ୍ରେଷ୍ଠ ଜୀବ ନିଜେ ସଚେତନ ହୁଅ, ନିଜେ ବଞ୍ଚ, ଅନ୍ୟକୁ ବଞ୍ଚତ୍ବାକୁ ଦେଇ ମାନବ ଧର୍ମ ସାର୍ଥକ କର।
ମକୁନ୍ଦ ପୁର, ବାଙ୍କୀ
ମୋ : ୯୪୩୭୪୬୮୦୧୬