Categories: ଜାତୀୟ

ମୋତେ ଭାରତରେ ରହିବାକୁ ଦିଅ

ଲକ୍ଷ୍ନୌ,୧୦ା୭: ଅନ୍‌ଲାଇନ୍‌ ଗେମିଂ ଆପ୍‌ ପବ୍‌ଜିରେ ସାକ୍ଷାତ। କିଛିବର୍ଷର ଭାବ ବିନିମୟ ପରେ ପ୍ରେମ। ତା’ପରେ ସରହଦ ଡେଇଁ ଭାରତକୁ ଆସିଲେ ପାକିସ୍ତାନୀ ମହିଳା ସୀମା ହାଇଦର। ୪ ପିଲାଙ୍କ ମା’ ୩୦ ବର୍ଷୀୟା ସୀମା ଆଉ ପାକିସ୍ତାନ ଫେରିବାକୁ ଚାହୁଁନାହାନ୍ତି। ଉତ୍ତର ପ୍ରଦେଶର ଗ୍ରେଟର ନଏଡାରେ ନିଜ ପ୍ରେମିକ ସଚିନ ମୀଣାଙ୍କ ସହ ସବୁଦିନ ରହିବା ପାଇଁ ୟୁପିର ଯୋଗୀ ସରକାରଙ୍କୁ ଅନୁମତି ମାଗିଛନ୍ତି। ସେ ହିନ୍ଦୁଧର୍ମ ଗ୍ରହଣ କରିଥିବାରୁ ପାକିସ୍ତାନ ଫେରିଲେ ସେଠାକାର ଲୋକେ ତାଙ୍କୁ ପଥରରେ ଛେଚି ମାରିଦେବେ। ତେଣୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଭାରତର ନାଗରିକତ୍ୱ ପ୍ରଦାନ ପୂର୍ବକ ଏଠାରେ ରହିବାକୁ ଦିଅନ୍ତୁ ବୋଲି ସୀମା ଅନୁରୋଧ କରିଛନ୍ତି।
୨୦୧୯ରେ ପାକିସ୍ତାନୀ ମହିଳା ସୀମା ହାଇଦର ଓ ସଚିନ ମୋବାଇଲ ଆପ୍‌ ପବ୍‌ଜି ଜରିଆରେ ପରସ୍ପରକୁ ଭେଟିଥିଲେ। ସମୟ ଗଡ଼ିଚାଲିବା ସହ ଦୁହିଁଙ୍କ ମଧ୍ୟରେ ନିବିଡ଼ତା ବଢ଼ିଚାଲିଥିଲା। ଶେଷରେ ଦୁହେଁ ପରସ୍ପରକୁ ବିବାହ କରିବାକୁ ନିଷ୍ପତ୍ତି ନେଲେ। ନିଜଠାରୁ ୫ ବର୍ଷ ସାନ ଜଣେ ଭାରତୀୟ ଯୁବକଙ୍କ ପ୍ରେମ ସୀମାଙ୍କୁ ସୀମା ଅତିକ୍ରମ କରିବାକୁ ଆକର୍ଷିତ କରିଥିଲା। ଗତ ମାର୍ଚ୍ଚରେ ସୀମା ପାକିସ୍ତାନରୁ ଓ ସଚିନ ଭାରତରୁ ନେପାଳ ଯାଇ ପ୍ରଥମ ଥର ପାଇଁ ପରସ୍ପରକୁ ଭେଟିଥିଲେ। କାଠମାଣ୍ଡୁରେ ସେମାନେ ୭ ଦିନ ବିତାଇବା ଭିତରେ ମାର୍ଚ୍ଚ ୧୩ରେ ବିବାହ କରିଥିଲେ। ଏଥିସହ ଭବିଷ୍ୟତରେ ପୁଣି ସାକ୍ଷାତ ପାଇଁ ଯୋଜନା କରିଥିଲେ। ଯୋଜନା ମୁତାବକ ସୀମା ନେପାଳ ଦେଇ ଭାରତରେ ଅନୁପ୍ରବେଶ କରିଥିଲେ। ସୀମା ଓ ସଚିନ ଜଣେ ଓକିଲଙ୍କୁ ବିବାହ ପଞ୍ଜୀକରଣ ପାଇଁ ଅନୁରୋଧ କରିଥିଲେ। ଓକିଲ ଏନେଇ ଥାନାରେ ଜଣାଇବା ପରେ ଜୁଲାଇ ୪ରେ ହରିୟାଣାର ବଲ୍ଲଭଗଡ଼ରେ ପୋଲିସ ସୀମାଙ୍କ ସହ ତାଙ୍କୁ ବେଆଇନ ଭାବେ ଅନୁପ୍ରବେଶ କରାଇବାରେ ସହଯୋଗ ଅଭିଯୋଗରେ ସଚିନ ଓ ତାଙ୍କ ବାପାଙ୍କୁ ମଧ୍ୟ ଗିରଫ କରିଥିଲା। ସେତେବେଳେ ଦୁହେଁ ଗଣମାଧ୍ୟମ ଓ ପୋଲିସ ଆଗରେ ନିଜ ପ୍ରେମ କାହାଣୀ ଶୁଣାଇ ଚର୍ଚ୍ଚିତ ହୋଇଥିଲେ। ୩ ଜଣଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା। ସେମାନେ ଶନିବାର ଜାମିନରେ ମୁକୁଳିଛନ୍ତି। ଭାରତରେ ସ୍ବାମୀ ସ୍ତ୍ରୀ ଭାବେ ରହିବାକୁ ଅନୁମତି ପ୍ରଦାନ ଲାଗି ଉଭୟେ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି। ଇତିମଧ୍ୟରେ ସାଉଦି ଆରବରେ ରହି କାମ କରୁଥିବା ସୀମାଙ୍କ ପୂର୍ବତନ ସ୍ବାମୀ ଗୁଲାମ ହାଇଦର କେନ୍ଦ୍ରର ନରେନ୍ଦ୍ର ମୋଦି ସରକାରଙ୍କ ଉଦ୍ଦେଶ୍ୟରେ ଏକ ଭିଡିଓ ଜାରି କରିଛନ୍ତି। ନିଜ ସ୍ତ୍ରୀ ଓ ପିଲାଙ୍କୁ ପାକିସ୍ତାନକୁ ଫେରାଇ ଦେବା ପାଇଁ ସେ ଏଥିରେ ଅନୁରୋଧ କରିଛନ୍ତି। ସୀମାଙ୍କୁ ପବ୍‌ଜି ଜରିଆରେ ପ୍ରଲୋଭନ ଦେଖାଇ ଭାରତକୁ ଅଣାଯାଇଥିବା ଗୁଲାମ ଅଭିଯୋଗ କରିଛନ୍ତି। ଅପ୍ରତ୍ୟାଶିତ ସମର୍ଥନ ପାଇଁ ଭାରତୀୟ ଗଣମାଧ୍ୟମକୁ ଗୁଲାମ କୃତଜ୍ଞତା ଜଣାଇଛନ୍ତି। ଗଣମାଧ୍ୟମ ଯୋଗୁ ହିଁ ସେ ନିଜ ସ୍ତ୍ରୀ ଓ ପିଲାଙ୍କୁ ଠାବ କରିପାରିଥିବା ଉକ୍ତ ଭିଡିଓରେ କହିଛନ୍ତି। ଏହାର ଜବାବରେ ସୀମା କହିଛନ୍ତି, ଗୁଲାମ ତାଙ୍କୁ ମାଡ଼ ମାରି ନିର୍ଯାତନା ଦିଅନ୍ତି। ଏପରି କି ତାଙ୍କ ମୁହଁରେ ଲଙ୍କାଗୁଣ୍ଡ ମଧ୍ୟ ଦିଅନ୍ତି। ଅକଥନୀୟ ନିର୍ଯାତନା ସହି ନ ପାରି ସେ ଗତ ୪ ବର୍ଷ ହେଲା ସ୍ବାମୀ ଗୁଲାମ ହାଇଦରଠାରୁ ଅଲଗା ରହୁଛନ୍ତି। ଦୁହିଁଙ୍କ ମଧ୍ୟରେ ଆଉ କୌଣସି ସମ୍ପର୍କ ନାହିଁ। ଭାରତରେ ରହିବାକୁ ଦିଆଗଲେ ସଚିନ ତାଙ୍କର ୪ ପିଲାଙ୍କୁ ଆପଣାଇନେବେ। କିନ୍ତୁ ପାକିସ୍ତାନ ଫେରିଲେ ବଞ୍ଚତ୍ ରହିବା ଅସମ୍ଭବ। ସେ ହିନ୍ଦୁଧର୍ମ ଗ୍ରହଣ କରିଥିବାରୁ ସେମାନେ ତାଙ୍କୁ ମାରିଦେବେ ବୋଲି ଏଠାରେ ରହିବାକୁ ଅନୁମତି ପ୍ରଦାନ ସକାଶେ ସୀମା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଗଣମାଧ୍ୟମ ଜରିଆରେ ଆକୁଳ ନିବେଦନ କରିଛନ୍ତି। ଗ୍ରେଟର ନଏଡାର ରବୁପୁରାସ୍ଥିତ ସଚିନଙ୍କ ପୈତୃକ ଘରଠାରୁ ମାତ୍ର ୨୦୦ ମିଟର ଦୂରରେ ଏହି ଯୋଡ଼ି ଏବେ ରହୁଛନ୍ତି।

Share