ମିଶୁ ମୋର ଦେହ ଏ ଦେଶ ମାଟିରେ

ବର୍ତ୍ତମାନ ଚାରିଆଡ଼େ ନିର୍ବାଚନର ମାହୋଲ। ସବୁଠି ନେତାମାନଙ୍କର ମାଳ ମାଳ ପ୍ରତିଶ୍ରୁତିର ସ୍ବର। ଦୂରଦର୍ଶନ ହେଉ ବା ସାମାଜିକ ଗଣମାଧ୍ୟମ, ଯେକୌଣସି ପ୍ଲାଟ୍‌ଫର୍ମ ହେଉ ସବୁଠି ଚାଲିଛି ନିର୍ବାଚନୀ ପ୍ରତିଯୋଗିତା। ଗଣତନ୍ତ୍ର ଶାସନରେ ଲୋକଙ୍କ ହାତରେ ଥିବା ଏହି କ୍ଷମତା ଟିକକ ହାତେଇବା ପାଇଁ ସବୁଠି ଚାଲିଛି ମୂଷା ଦୌଡ଼ ପ୍ରତିଯୋଗିତା। କିଏ ମାରିବ ବାଜି। କିଏ ହେବ ସରକାର। ଆଉ ଏଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ସବୁଠୁ କ୍ଷମତାଶାଳୀ ଜନତା। ଜନତାଙ୍କୁ ଜନାର୍ଦ୍ଦନ କହି ଭୋଟ ଖଣ୍ଡିକ ହାତେଇବା ପାଇଁ ଚାଲିଛି ଅଭିନବ ପ୍ରୟାସ। ସେଥିପାଇଁ ନୂଆ ନୂଆ ମୁହଁ ଦେଖିବାକୁ ମିଳିବା ସହ ସବୁଆଡ଼େ ଶୁଭୁଛି ନୂଆ ପ୍ରତିଶ୍ରୁତି। ଆସନ ହାତେଇବା ପାଇଁ ଚାଲିଛି ନିୟମିତ ନୂଆ ନୂଆ ଉପସ୍ଥାପନା। ଆଉ ସେସବୁ ଭିତରେ ସାଧାରଣ ଜନତା ଟିଏ ବଲବଲ କରି ଚାହିଁଛି ଶୂନ୍ୟ ଆକାଶକୁ।
ସେ ଭାବୁଛି ସବୁଦିନେ ଅଲୋଡ଼ା ଥିବା ତା’ ଭଳି ମଣିଷଙ୍କୁ ଆଜି କାହିଁକି ଏତେ ଆଦର ଆଉ ଅଭ୍ୟର୍ଥନା। ଜୀବନର ସାୟାହ୍ନରେ ଉପନୀତ ସାଧାରଣ ମଣିଷଟିଏ ଚାହୁଁଛି, ତା’ ଜୀର୍ଣ୍ଣଶୀର୍ଣ୍ଣ ଶରୀରକୁ ଆଉ ତା’ ଚନ୍ଦ୍ର ସୂର୍ଯ୍ୟ ଦିଶୁଥିବା ନୁଆଁଣିଆ ଛାତକୁ। ତା’ ଜୀବନ କାଳ ଭିତରେ ଏଇ ନିର୍ବାଚନ ପର୍ବ ଅନେକ ଥର ଆସିଛି। ନୂଆ ନୂଆ ଚେହେରା ଆଉ ନୂଆ ନୂଆ ପ୍ରତିଶ୍ରୁତି ସେ ପାଇଛି, ହେଲେ ବ୍ୟକ୍ତିଗତ ଭାବରେ ସେ ପାଇଛି କ’ଣ?
ଦାରିଦ୍ର୍ୟର କଷା ଘାତରେ ଶଢ଼ି ଶଢ଼ି ବଞ୍ଚିଛି ସେ। ଦିନକୁ ଦୁଇମୁଠା ପେଟ ପୂରା ଖାଇବାକୁ ସେ ସଂଘର୍ଷ ଜାରି ରଖିଥିଲା ବେଳେ ଆଜି ତାକୁ ବିନା ପରିଶ୍ରମରେ ମିଳୁଛି ଭୂରି ଭୋଜନ। କାହିଁକି…?
ବର୍ତ୍ତମାନ ନିର୍ବାଚନ ରଣାଙ୍ଗନରେ ଓହ୍ଲାଇଥିବା ନେତାମାନେ ଆପଣେଇଛନ୍ତି ଦୁଇଟି ‘ଭ…’। ସାଧାରଣ ଜନତାଙ୍କୁ ଭକୁଆ ବନେଇବାକୁ ପ୍ରତ୍ୟେକ ପ୍ରାର୍ଥୀ ଆପଣେଇଛନ୍ତି ଦୁଇଟି ଭ.. କୁ। ଗୋଟିଏ ‘ଭ’ ହେଉଛି ଭାଷଣ ଆଉ ଗୋଟିଏ ‘ଭ’ ଭୋଜି। ବନିଶିକଣ୍ଟାରେ ଥୋପ ଦେଲା ଭଳି ବର୍ତ୍ତମାନ ଜନତାଙ୍କ ପାଇଁ ଏହା ହେଉଛି ଥୋପ। କହିବାର ତାତ୍ପର୍ଯ୍ୟ, ଥରେ ଯଦି କାହା ଥୋପରେ ବଶ ହୋଇଗଲ ଏବେ ପୂରା ୫ବର୍ଷ ଛଟପଟ ହେବା ସାର। ତେଣୁ ସର୍ବଦା ନିଜ ବୁଦ୍ଧି ବିବେକର ଉପଯୋଗ କରନ୍ତୁ।
ଏବେ ଆସିବା ପ୍ରକୃତ କଥାକୁ। ମନେରଖିବା ଉଚିତ ଯେ, ଭଗବାନ୍‌ଙ୍କ ଅଦାଲତରେ ସମସ୍ତେ ସମାନ। ହେଉ ସେ ରଙ୍କ ଅବା ରାଜା। କେତେବେଳେ କେଉଁ ମୁହୂର୍ତ୍ତରେ ଆରପୁରରୁ ଡାକରା ଆସିବ କିଏ କହିବ। ମାତ୍ର କେତୋଟି ମୁହୂର୍ତ୍ତ ଭିତରେ ପୋଡ଼ି ପାଉଁଶ ହୋଇଯିବ ଏଇ ସୁନ୍ଦର ଶରୀର ଆଉ ତା’ ସହ ଆମର ସବୁ ଗର୍ବ ଅହଂକାର ଆଉ ପାରିଲାପଣିଆ। କିଏ ଜାଣେ କେଉଁ ମୁହୂର୍ତ୍ତରେ ଆମେ ଚାଲିଯିବା, କିନ୍ତୁ ଛାଡ଼ିଯିବl ଆମ ମଣିଷପଣିଆ। ଆଜି ଯେଉଁ ଆସନ ପାଇଁ ଆମେ ପରସ୍ପରର ଗୋଡ଼ ଟାଣୁଛନ୍ତି, ଅନ୍ୟକୁ ବୋକା ବନେଇ ଆସନ ହାତେଇବାକୁ ଚାହୁଁଛନ୍ତି, ସେ ଆସନ ସମୟ ଆସିଲେ ଆମ ପାଇଁ ମୂଲ୍ୟହୀନ ହୋଇଯିବ। କିନ୍ତୁ ଆମ ପାଇଁ କ’ଣ ସବୁଠୁ ମୂଲ୍ୟବାନ୍‌ ଜାଣନ୍ତି, ମାନବିକତା ବୋଧ। ସୃଷ୍ଟିର ଶ୍ରେଷ୍ଠ ପ୍ରାଣୀ ଭାବରେ ଯଦି ଆମ ପାଖରେ ମାନବିକତା ନାହିଁ ତା’ହେଲେ ସେ ଜୀବନ ତୁଚ୍ଛ। ଜଣେ ଲୋକ ପ୍ରତିନିଧି ଭାବେ ସାଧାରଣ ମାନବର ବିକାଶ ଆମର ମୂଳଲକ୍ଷ୍ୟ ହେବା ଉଚିତ। ଯିଏ ଆମକୁ ନିଜର ଭାବି ଅନେକ ଆଶା ଭରସା ରଖି ଲୋକ ପ୍ରତିନିଧି ଭାବେ ଚୟନ କରୁଛନ୍ତି ସେମାନଙ୍କ ବିକାଶ ଆମର ପ୍ରଥମ କର୍ତ୍ତବ୍ୟ ହେବା ଉଚିତ। ଯେଉଁଠି ମୋ ଲୋକମାନେ ଭୋକ ଉପାସରେ ଶଢ଼ୁଛନ୍ତି, ରୋଗରେ ପଡ଼ି ଚିତ୍କାର କରୁଛନ୍ତି, ଦେହକୁ ଖଣ୍ଡେ କନା କି ପେଟକୁ ମୁଠେ ଦାନl ଯୋଗାଡ଼କରି ପାରୁନାହାନ୍ତି, ମୁଣ୍ଡ ଗୁଞ୍ଜିବାକୁ ଚାଖଣ୍ଡେ ଛାତ ନାହିଁ ସେଠି ମୋର ଅସ୍ତିତ୍ୱ କ’ଣ….. ଏଇ ପ୍ରଶ୍ନ ଜଣେ ଲୋକ ପ୍ରତିନିଧି ହିସାବରେ ଆମେ ନିଜେ ନିଜକୁ ପଚାରିବା ଉଚିତ। ଯଦି ଉତ୍ତର ହଁ, ତା‘ହେଲେ ଆମେ ନିଶ୍ଚିତ ବିଜୟ ଲାଭ କରିବା ଏଥିରେ ସନ୍ଦେହ ନାହିଁ। ଭଗବାନ୍‌ଙ୍କର ଅଦୃଶ୍ୟ ଆଖି ଦୁଇଟି ଆମ ଚତୁଃପାର୍ଶ୍ୱରେ ସର୍ବଦା ଘୂରିବୁଲୁଛି। ଆମ ପାପପୁଣ୍ୟର ହିସାବ କରୁଛି। ଅପେକ୍ଷା କେବଳ ଶୁଣାଣିର। ସବୁରି କଣ୍ଠରେ ଏବେ ଶୁଭୁଛି
-ଦେଶବାସୀ ପଛେ ମିଶନ୍ତୁ ମାଟିରେ, ମୋ ସ୍ବାର୍ଥ ଥାଉ ସବୁରି ଊର୍ଦ୍ଧ୍ୱରେ। ନା, ଆଜ୍ଞା, ଏଇ ପଂକ୍ତି ନୁହେଁ ବରଂ ଉତ୍କଳମଣି ଗୋପବନ୍ଧୁ ଦାସଙ୍କର ସେଇ ପଂକ୍ତି ଆମ ହୃଦୟରେ ଗୁଞ୍ଜରିତ ହେବା ଉଚିତ।
“ମିଶୁ ମୋର ଦେହ ଏ ଦେଶ ମାଟିରେ
ଦେଶବାସୀ ଚାଲି ଯାଆନ୍ତୁ ପିଠିରେ।”

  • ବସନ୍ତ ମଞ୍ଜରୀ ମିଶ୍ର
    ମୋ: ୯୮୬୧୧୯୨୪୪୫

Enter your email to get our daily news in your inbox.

All Right Reserved By Dharitri.Com

ବାଣିଜ୍ୟ ଯୁଦ୍ଧ

ବାଣିଜ୍ୟ ଯୁଦ୍ଧ କେମିତିି ଶେଷ ହୁଏ? ଏହାର ଉତ୍ତର ପାଇବାକୁ ହେଲେ ନିଜକୁ ପ୍ରଶ୍ନ ପଚାରିବା ଦରକାର ଯେ ହିଂସାତ୍ମକ ଯୁଦ୍ଧ କିପରି ଶେଷ ହୁଏ?...

ଏଇ ଭାରତରେ

ଗ୍ରାମାଞ୍ଚଳରେ ପାନୀୟ ଜଳ ଯୋଗାଣର ସଫଳତା କଥା ଯେତିକି ଜୋର କୁହାଯାଉଛି ତାହାର ବାସ୍ତବତା ସେତିକି ନୁହେଁ। ଦେଶରେ ଏମିତି ଅଞ୍ଚଳ ରହିଛି ଯେଉଁଠି ଏବେ...

ପେଟ୍ରୋଲ ଟାଙ୍କିର ମନିବ୍ୟାଗ

ମନିବ୍ୟାଗ ହେଉଛି ଅର୍ଥ ରଖିବାର ମୁଣା। ମନି ବ୍ୟାଗ୍‌ର ରଙ୍ଗ, ଦିଗ, ସାଙ୍କେତିକ ଚିହ୍ନ, ସ୍ବଚ୍ଛତା ଆଦିକୁ ବାସ୍ତୁବିଦ୍ୟାରେ ବର୍ଣ୍ଣନା କରାଯାଇଛି। ବିଶେଷ କରି ବ୍ୟବସ୍ଥିତ...

ଶିଶୁ ବାଟିକାରେ ଶିଶୁ ହସିବେ

ଦଳ ମତ ନିର୍ବିଶେଷରେ ସଭିଏ ଏ କଥା କୁହନ୍ତି- ଶିଶୁ ହସିଲେ ଦୁନିଆ ହସେ। କିନ୍ତୁ ସତରେ କ’ଣ ସମସ୍ତ ଶିଶୁ ଏଠାରେ ହସନ୍ତି ନା...

Dillip Cherian

ବିଚିତ୍ର ନିଯୁକ୍ତି

ପୂର୍ବତନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ମୁଖ୍ୟ ସଞ୍ଜୟ କୁମାର ମିଶ୍ରଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ପରାମର୍ଶଦାତା ପରିଷଦ (ଇଏସି-ପିଏମ୍‌)ର ପୂର୍ଣ୍ଣକାଳୀନ ସଦସ୍ୟ ଭାବେ ନିଯୁକ୍ତ କରାଯାଇଛି। ଦେଖିବାକୁ ଗଲେ...

ଏଇ ଭାରତରେ

ଆମ୍ବ ଉତ୍ପାଦନର ସମୟ ଆସିଲେ କେରଳର କାନ୍ନାପୁରମ ଗାଁ ଚର୍ଚ୍ଚାକୁ ଆସେ। ଏହି ଗାଁରେ ୨୦୮ କିସମର ଆମ୍ବ ଫଳୁଛି। ଗ୍ରାମବାସୀଙ୍କ ଉଦ୍ୟମରେ ଏହି ସଫଳତା...

ଦିବ୍ୟାଙ୍ଗ ପିଲାଙ୍କ ପାଇଁ ଶିକ୍ଷକ ଅଭାବ

ଭାରତୀୟ ଶିକ୍ଷା ବ୍ୟବସ୍ଥା ବିଶ୍ୱରେ ସଂଖ୍ୟା ଓ ବିବିଧତା ଦୃଷ୍ଟିରୁ ଅଗ୍ରଣୀ। କିନ୍ତୁ ଏହାର ଅନ୍ତରାଳରେ ରହିଛି ବିଶେଷ ଶିକ୍ଷକଙ୍କ ଅଭାବ, ଯାହା ସରକାରୀ ଓ...

ବିଶ୍ୱ ବାଣିଜ୍ୟ ଯୁଦ୍ଧର ପ୍ରଭାବ

ବର୍ତ୍ତମାନ ବିଶ୍ୱ ଅର୍ଥନୀତି ଗଭୀର ଅସ୍ଥିରତା ଓ ଅନିଶ୍ଚିତତାର ଏକ ଜଟିଳ ପରିବେଶ ମଧ୍ୟରେ ଗତି କରୁଛି। ବିଶ୍ୱବ୍ୟାପୀ ଚାଲିିଥିବା ବାଣିଜ୍ୟଯୁଦ୍ଧ, ବିଶେଷତଃ ଆମେରିକା ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image