Categories: ଜାତୀୟ

ଲୋକ ସଭାରେ ହେଉ ଏନ୍‌ଇଇଟି ଆଲୋଚନା: ରାହୁଲ

ନୂଆଦିଲ୍ଲୀ,୩ା୭: ଲୋକ ସଭାରେ ବୁଧବାର ମେଡିକାଲ ପ୍ରବେଶିକା ପରୀକ୍ଷା ଏନ୍‌ଇଇଟି ପ୍ରସଙ୍ଗରେ ଆଲୋଚନା ପାଇଁ ସରକାର ସୁଯୋଗ ଦେବା ନିମନ୍ତେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପତ୍ର ଲେଖି ନିବେଦନ କରିଛନ୍ତି। ଜୁନ୍‌ ୨୮ ଏବଂ ଜୁଲାଇ ୧ରେ ଉଭୟ ଗୃହରେ ଏନ୍‌ଇଇଟି ଉପରେ ଆଲୋଚନା ପାଇଁ ବିରୋଧୀ ଅନୁରୋଧ କରିଥିଲେ ମଧ୍ୟ ସେମାନଙ୍କୁ ଅନୁମତି ଦିଆଯାଇ ନ ଥିଲା। ଏ ସମ୍ପର୍କରେ ବାଚସ୍ପତି ଓମ୍‌ ବିର୍ଲା ସରକାରଙ୍କ ସହ ଆଲୋଚନା କରି ଜଣାଇବେ ବୋଲି ବିରୋଧୀ ଦଳଗୁଡ଼ିକୁ ପ୍ରତିଶ୍ରୁତି ଦେଇଥିଲେ। ମଙ୍ଗଳବାର ରାହୁଲ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖି ଏନ୍‌ଇଇଟି ଆଲୋଚନା ପାଇଁ ସୁଯୋଗ ଦେବାକୁ କହିଛନ୍ତି। ଏହି ପ୍ରସଙ୍ଗ ଉପରେ ଗଠନମୂଳକ ଆଲୋଚନା କରି ସମାଧାନ ସୂତ୍ର ବାହାର କରିବା ଆମର ଲକ୍ଷ୍ୟ। ଦେଶର ପାଖାପାଖି ୨୪ ଲକ୍ଷ ଏନ୍‌ଇଇଟି ଆଶାୟୀଙ୍କ କଲ୍ୟାଣ କେବଳ ଆମର ଚିନ୍ତାର ବିଷୟ ବୋଲି ରାହୁଲ କହିଛନ୍ତି। ଏହି ପରୀକ୍ଷାରେ ଅନିୟମିତତା ଯୋଗୁ ଉଚ୍ଚଶିକ୍ଷା ବ୍ୟବସ୍ଥାକୁ ଗଭୀର କ୍ଷତି ପହଞ୍ଚାଇଛି। ତେଣୁ ଏହା ଉପରେ ତୁରନ୍ତ ଦୃଷ୍ଟି ଦିଆଯିବା ଆବଶ୍ୟକ। ଗତ ୭ ବର୍ଷ ମଧ୍ୟରେ ଦେଶରେ ୭୦ରୁ ଅଧିକ ଥର ପ୍ରଶ୍ନପତ୍ର ପ୍ରଘଟ ଘଟଣା ଘଟିଲାଣି, ଯେଉଁଥିରେ ୨ କୋଟିରୁ ଅଧିକ ଛାତ୍ରୀଛାତ୍ର ପ୍ରଭାବିତ ହୋଇଛନ୍ତି। ସେମାନେ ଏହାର ସମାଧାନ ଚାହାନ୍ତି। ତେଣୁ ସେମାନଙ୍କ ଆସ୍ଥା ବଜାୟ ରଖିବା ପାଇଁ ପାର୍ଲାମେଣ୍ଟରେ ଏହା ଉପରେ ବିତର୍କ ପ୍ରଥମ ପଦକ୍ଷେପ ହେବ। ପ୍ରସଙ୍ଗର ଗୁରୁତ୍ୱ ଏବଂ ଜରୁରୀ ଆବଶ୍ୟକତା ଦୃଷ୍ଟିରୁ ବୁଧବାର ଗୃହରେ ଏହା ଉପରେ ଆଲୋଚନା ହେବା ପାଇଁ ସେ ଅନୁରୋଧ କରିଛନ୍ତି। ଛାତ୍ରୀଛାତ୍ରଙ୍କ ସ୍ବାର୍ଥରେ ଯଦି ପ୍ରଧାନମନ୍ତ୍ରୀ ଆଲୋଚନାର ନେତୃତ୍ୱ ନିଅନ୍ତି, ତେବେ ଭଲ ହେବ ବୋଲି ବିଶ୍ୱାସ କରୁଥିବା ରାହୁଲ କହିଛନ୍ତି।
ସୂଚନାଯୋଗ୍ୟ, ଚଳିତବର୍ଷ ଡାକ୍ତରୀ ପାଠ୍ୟକ୍ରମରେ ନାମଲେଖା ପାଇଁ ମେ’ ୫ରେ ଅନୁଷ୍ଠିତ ଏନ୍‌ଇଇଟି-ୟୁଜି ପରୀକ୍ଷାରେ ୨୪ ଲକ୍ଷ ଛାତ୍ରୀଛାତ୍ର ଭାଗ ନେଇଥିଲେ। ତେବେ ୬୮ ଜଣ ସମ୍ପୂର୍ଣ୍ଣ ଶତ ପ୍ରତିଶତ ନମ୍ବର ରଖି ର଼୍ୟାଙ୍କ୍‌ ଓ୍ବାନ୍‌ରେ ସ୍ଥାନ ପାଇବା ପରେ ଏଥିରେ ଅନିୟମିତତା ହୋଇଥିବା ଅଭିଯୋଗ ଆସିଥିଲା। ପରେ ବିହାର, ଗୁଜରାଟ ଓ ଅନ୍ୟ ରାଜ୍ୟରେ ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଜଣାପଡ଼ିବା ପରେ ସିବିଆଇ ତଦନ୍ତ ଦାୟିତ୍ୱ ଗ୍ରହଣ କରିଛି। ପରୀକ୍ଷାକୁ ବାତିଲ କରି ପୁନର୍ବାର ଏନ୍‌ଇଇଟି-ୟୁଜି ପରୀକ୍ଷା କରାଇବା ସହ ଏନ୍‌ଟିଏର ଉଚ୍ଛେଦ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଦେଶବ୍ୟାପୀ ଆନ୍ଦୋଳନ ଜାରି ରହିଛି।

Share