Categories: ଜାତୀୟ

ପ୍ରଶାନ୍ତଙ୍କ ରାୟର ପୁନର୍ବିଚାର ହେଉ

ନୂଆଦିଲ୍ଲୀ, ୩୧।୮: ଅଦାଲତ ଅବମାନନା ମାମଲାରେ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କ ପ୍ରତି ହୋଇଥିବା ରାୟର ପୁନର୍ବିଚାର ଲାଗି ଅନୁରୋଧ କରି ୧୨୨ ଜଣ ଆଇନ ଛାତ୍ରୀଛାତ୍ର ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଏସ୍‌.ଏ. ବୋବ୍‌ଡେ ଏବଂ ସୁପ୍ରିମକୋର୍ଟର ଅନ୍ୟ ବିଚାରପତିମାନଙ୍କୁ ପତ୍ର ଲେଖିଛନ୍ତି। ପ୍ରଶାନ୍ତଙ୍କ ନ୍ୟାୟପାଳିକା ବିରୋଧୀ ଟୁଇଟ୍‌ ପାଇଁ ସର୍ବୋଚ୍ଚ ଅଦାଲତ ତାଙ୍କୁ ଦୋଷୀସାବ୍ୟସ୍ତ କରି ଦଣ୍ଡାଦେଶ ସଂରକ୍ଷିତ ରଖିଛନ୍ତି। ସୋମବାର ଦଣ୍ଡ ଘୋଷଣା କରିପାରନ୍ତି ଅଦାଲତ। ଏହା ପୂର୍ବରୁ ରାୟର ପୁନର୍ବିଚାର ଲାଗି ଛାତ୍ରୀଛାତ୍ର ଆବେଦନ କରିଛନ୍ତି। ଜନସାଧାରଣଙ୍କ ଆସ୍ଥାର ସୁରକ୍ଷା ପାଇଁ ନ୍ୟାୟପାଳିକା ସମାଲୋଚନାର ଜବାବ ଦେବା ଆବଶ୍ୟକ। ତେବେ ଯେତେବେଳେ ସମାଲୋଚନା ମାନସିକ ବ୍ୟଥା ଓ ନ୍ୟାୟ ପ୍ରତି ଥିବା ଭଲପାଇବା କାରଣରୁ ହେଉଛି, ସେଠାରେ ନ୍ୟାୟପାଳିକା ଅଦାଲତ ଅବମାନନା ଅଭିଯୋଗ ଆଣିବା ଉଚିତ ନୁହେଁ ବୋଲି ଉକ୍ତ ପତ୍ରରେ ଲେଖାଯାଇଛି। ପ୍ରଶାନ୍ତ ଭୂଷଣ ଦୀର୍ଘବର୍ଷ ଧରି ସ୍ବଚ୍ଛତା, ଉତ୍ତରଦାୟିତ୍ୱ, ପରିବେଶ ସୁରକ୍ଷା, ମାନବାଧିକାର ପାଇଁ ଏବଂ ଦୁର୍ନୀତି ବିରୋଧରେ ଅଦାଲତରେ ଲଢ଼ିଆସୁଛନ୍ତି। ଆଇନଜୀବୀମାନଙ୍କ ପ୍ରତି ଏବଂ ଦେଶ ଗଠନରେ ତାଙ୍କର ଅବଦାନ ପ୍ରଶଂସନୀୟ। ତାଙ୍କର ଟୁଇଟ୍‌ ଅଦାଲତର ପବିତ୍ରତାକୁ ଆଘାତ ଦେଉନାହିଁ ବୋଲି ଆଇନ ଛାତ୍ରୀଛାତ୍ର ଲେଖିଛନ୍ତି।

Share