Categories: ଜାତୀୟ

ସତ୍ୟେନ୍ଦ୍ରଙ୍କୁ ପଦ୍ମବିଭୂଷଣ ଦିଆଯାଉ: କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୨ା୬: ମନିଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦ୍ୱାରା ଗିରଫ ହୋଇଥିବା ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଜଣେ ସଚ୍ଚୋଟ ବ୍ୟକ୍ତି। ତାଙ୍କୁ ପଦ୍ମବିଭୂଷଣ ସମ୍ମାନ ଦିଆଯିବା କଥା ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ କହିଛନ୍ତି। ଭାଜପା ଦିଲ୍ଲୀର ଆମ୍‌ ଆଦ୍‌ମୀ ପାର୍ଟି ସରକାରଙ୍କୁ ସମାଲୋଚନା ସହ ଜୈନଙ୍କୁ ଟାର୍ଗେଟ କରିଥିବାବେଳେ କେଜ୍‌ରିଓ୍ବାଲ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସପକ୍ଷରେ ବାହାରିଛନ୍ତି। ତାଙ୍କୁ ମିଛ ମାମଲାରେ ଫସାଯାଇଛି। ଜୈନ ଜଣେ ଦେଶଭକ୍ତ ଓ ସଚ୍ଚୋଟ ବ୍ୟକ୍ତି। ମୋହଲ୍ଲାରେ ସେ ଦେଇଥିବା କ୍ଲିନିକ୍‌ରେ ରୋଗୀଙ୍କୁ ମାଗଣା ସେବା ମିଳୁଛି। ଏଥିପାଇଁ ଜୈନ୍‌ଙ୍କୁ ପଦ୍ମବିଭୂଷଣ କିମ୍ବା ପଦ୍ମଭୂଷଣ ପ୍ରଦାନ କରାଯିବା ଉଚିତ।

୨୦୧୫-୧୬ରେ ସରକାରୀ ଅଧିକାରୀ ଥିବା ଜୈନ କୋଲକାତାର କେତେକ କମ୍ପାନୀ ସହ ହାଓ୍ବଲା କାରବାରରେ ସମ୍ପୃକ୍ତ ଥିବା ଇଡି ଅଭିଯୋଗ କରିଛି। ଏହି ହାଓ୍ବଲା ସିଷ୍ଟମରେ ଉଭୟ ପକ୍ଷ ସ୍ଥାନୀୟ ଏଜେଣ୍ଟଙ୍କ ଜରିଆରେ ଟଙ୍କା କାରବାର କରୁଥିଲେ। ଉକ୍ତ ଟଙ୍କା କୌଣସି ବ୍ୟାଙ୍କକୁ ଯାଉ ନ ଥିଲା। ୪ କମ୍ପାନୀ ସହ ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ମନିଲଣ୍ଡରିଂରେ ସମ୍ପୃକ୍ତ ଥିବା ଅଭିଯୋଗ ପରେ ୨୦୧୭ରେ ସିବିଆଇ ଦୁର୍ନୀତି ନିବାରଣ ଆଇନରେ ଦାଏର କରିଥିବା ଏତଲା ଆଧାରରେ ଇଡି ତଦନ୍ତ ଚଳାଇଥିଲା। ପୂର୍ବରୁ ଇଡି ଜୈନ ଓ ତାଙ୍କ ପରିବାର ମାଲିକାନାରେ ଥିବା ୪.୮୧ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତ କରିଥିଲା। ଗିରଫ ପରେ ଜୈନଙ୍କୁ ଜୁନ୍‌ ୯ ପର୍ଯ୍ୟନ୍ତ ଇଡି ହାଜତକୁ ପଠାଇ ଦିଆଯାଇଛି।

Share