‘ସିବିଆଇ, ଏସ୍‌ଆଇଟି ତଦନ୍ତ ହେଉ’

ଭୁବନେଶ୍ୱର, ୫।୮ (ବ୍ୟୁରୋ): ପାରଳାଖେମୁଣ୍ଡି ଏସିଏଫ୍‌ ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁକୁ ଇତିମଧ୍ୟରେ ୨୩ରୁ ଊର୍ଦ୍ଧ୍ୱ ଦିନ ବିତିଗଲାଣି। ମାତ୍ର ଏପର୍ଯ୍ୟନ୍ତ ତାଙ୍କ ମୃତ୍ୟୁର ରହସ୍ୟ ଉପରୁ ପରଦା ହଟୁନାହିଁ। ଏପରି ସ୍ଥିତିରେ ପୋଲିସର ତଦନ୍ତ ନେଇ ସୌମ୍ୟଙ୍କ ପରିବାର ଲୋକେ ପ୍ରଶ୍ନ ଉଠାଇଛନ୍ତି। ପୋଲିସ ନିରପେକ୍ଷ ଭାବେ ତଦନ୍ତ କରୁ ନ ଥିବା ଏବଂ ଅଭିଯୁକ୍ତମାନଙ୍କୁ ଧରିବାରେ ବିଳମ୍ବ କରୁଥିବା ସେମାନେ ଅଭିଯୋଗ କରିଛନ୍ତି। ବୁଧବାର ସୌମ୍ୟଙ୍କ ଭାଇ ଓ ସମ୍ପର୍କୀୟମାନେ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ପହଞ୍ଚି ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି। ସେମାନେ ଅଭିଯୋଗ କରିଛନ୍ତି ଯେ, ପୋଲିସ ଜାଣିଶୁଣି ତଦନ୍ତ ପ୍ରକ୍ରିୟାରେ ବିଳମ୍ବ କରୁଥିବାବେଳେ କ୍ଷମତାଶାଳୀ ବ୍ୟକ୍ତିଙ୍କ ପ୍ରଭାବରେ ଅଭିଯୁକ୍ତମାନଙ୍କୁ ଖସିଯିବାରେ ସାହାଯ୍ୟ କରୁଛି। ଏପରି କି ମୃତ୍ୟୁ ଘଟଣାରେ ସମ୍ପୃକ୍ତ ଥିବା ବ୍ୟକ୍ତିମାନଙ୍କୁ ପୋଲିସ କ୍ଲିନ୍‌ଚିଟ୍‌ ମଧ୍ୟ ଦେଇଛି। ତେଣୁ ଘଟଣାର ନିରପେକ୍ଷ ତଦନ୍ତ ପାଇଁ ସିବିଆଇ କିମ୍ବା ଏସ୍‌ଆଇଟିକୁ ମାମଲା ହସ୍ତାନ୍ତର କରାଯାଉ। ଆବଶ୍ୟକ ପଡ଼ିଲେ ହାଇକୋର୍ଟଙ୍କ ଜରିଆରେ ଏହାର ତଦନ୍ତ କରାଯାଉ ବୋଲି ସୌମ୍ୟଙ୍କ ସମ୍ପର୍କୀୟ ଭାଇ ମାନସ ରଞ୍ଜନ ପାଢୀ ଦାବି କରିଛନ୍ତି। ଏପରି କି ଜଣେ ମନ୍ତ୍ରୀଙ୍କ ସମ୍ପୃକ୍ତି ନେଇ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି। ତଦନ୍ତ ବିଳମ୍ବ ହେଲେ ଦୋଷୀଙ୍କୁ ପ୍ରମାଣ ନଷ୍ଟ ପାଇଁ ଅଧିକ ସମୟ ମିଳିବ ବୋଲି ପାଢୀ କହିଛନ୍ତି। ଏହାପରେ ସୌମ୍ୟଙ୍କ ପରିବାର ଲୋକେ ପୋଲିସ ମହାନିର୍ଦ୍ଦେଶକଙ୍କ କ୍ୟାମ୍ପ ଅଫିସକୁ ଯାଇ ଅଭିଯୋଗପତ୍ର ଦେଇଥିଲେ। ଏହା ପୂର୍ବରୁ ମଧ୍ୟ ସେମାନେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୁକ୍ତମାନଙ୍କୁ ତଦନ୍ତ ପରିସରଭୁକ୍ତ କରିବା ସହ ଘଟଣାର ନିରପେକ୍ଷ ତଦନ୍ତ ନିମନ୍ତେ ଦାବି କରିଥିଲେ।

Share