ବର୍ଷେ ବଢ଼ାଯାଉ ମାନ୍ୟତା ବୈଧତା

କଟକ ଅଫିସ,୧୪ା୮: ଘରୋଇ କଲେଜଗୁଡ଼ିକର ମାନ୍ୟତା ବୈଧତା ଅନ୍ତତଃ ଏକବର୍ଷ ବଢ଼ାଇବା ପାଇଁ ଦାବି କରାଯାଇଛି। ଏନେଇ ସରକାରଙ୍କୁ ନିର୍ଦ୍ଦେଶ ଦେବା ପାଇଁ ହାଇକୋର୍ଟରେ ଅନଙ୍ଗ କୁମାର ଓତାଙ୍କ ପକ୍ଷରୁ ଏକ ମାମଲା ରୁଜୁ ହୋଇଛି। ମୁଖ୍ୟ ବିଚାରପତି ମହମ୍ମଦ ରଫିକ୍‌ ଏବଂ ଜଷ୍ଟିସ ବିଦ୍ୟୁତ୍‌ ରଞ୍ଜନ ଷଡ଼ଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହାର ଶୁଣାଣି କରି ଜବାବ୍‌ ଦାଖଲ ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୧୯ ତାରିଖରେ ପରବର୍ତ୍ତୀ ଶୁଣାଣି ହେବ। ଏହି ମାମଲାରେ ମୁଖ୍ୟ ଶାସନ ସଚିବ, ଉଚ୍ଚଶିକ୍ଷା କମିଶନର ତଥା ସଚିବ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କମିଶନର ତଥା ସଚିବ, ଉଚ୍ଚଶିକ୍ଷା ନିର୍ଦ୍ଦେଶକ ଏବଂ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ନିର୍ଦ୍ଦେଶକଙ୍କୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀ ଦର୍ଶାଇଛନ୍ତି, ଘରୋଇ କଲେଜଗୁଡ଼ିକ ପରିଚାଳନା ପାଇଁ ଟିଉସନ୍‌ ଫି’ ଉପରେ ନିର୍ଭର କରିଥାନ୍ତି। କରୋନା ଯୋଗୁ ବର୍ତ୍ତମାନ ଫି’ ଆଦାୟ ବନ୍ଦ ରହିଛି। ଫଳରେ କର୍ମଚାରୀଙ୍କୁ ଦରମା ଦେବା ମୁସ୍କିଲ୍‌ ହୋଇପଡ଼ିଛି। ସରକାରୀ କଲେଜ କର୍ମଚାରୀଙ୍କୁ ଦରମା ଦେବାରେ ସରକାର ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଘରୋଇ କଲେଜଗୁଡ଼ିକର ଅବସ୍ଥା ସ୍ପଷ୍ଟ ଅନୁମେୟ। ପ୍ରତିବର୍ଷ କଲେଜଗୁଡ଼ିକର ମାନ୍ୟତା ନବୀକରଣ ପାଇଁ ଭିତ୍ତିଭୂମି ଯାଞ୍ଚ କରାଯାଏ। ଏବେ କଲେଜଗୁଡ଼ିକ ବନ୍ଦ ଥିବାରୁ ସମସ୍ତ ଆବଶ୍ୟକତା ପୂରଣ କରିବା ସହଜ ନୁହେଁ। ଏଣୁ ଭିତ୍ତିଭୂମି ଅଭାବ ଦର୍ଶାଇ କଲେଜ୍‌ଗୁଡ଼ିକୁ ହଠାତ୍‌ ବନ୍ଦ କରିଦେବା ଦ୍ୱାରା ବହୁ ଲୋକ ନିଯୁକ୍ତି ହରାଇବେ। ବିଭିନ୍ନ ଏଣ୍ଟ୍ରାନ୍ସ ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରୀଛାତ୍ର ମଧ୍ୟ ପ୍ରଭାବିତ ହେବେ। କାରଣ ଆବାସିକ କଲେଜରେ ପାଠପଢ଼ା ବ୍ୟତୀତ ବିନା ଅତିରିକ୍ତ ଫି’ରେ ଏଣ୍ଟ୍ରାନ୍ସ ପାଇଁ କୋଚିଂ ଦିଆଯାଇଥାଏ। ଏଭଳି ସମୟରେ ସରକାର ଘରୋଇ କଲେଜ ବନ୍ଦ କରିଦେଲେ ସେମାନେ ଅନ୍ୟ କେଉଁଠାରେ ପୁଣି ଫି’ ଦେଇ ନାମ ଲେଖାଇବା କଷ୍ଟକର ହୋଇପଡ଼ିବ। ଗତବର୍ଷଗୁଡ଼ିକର ଫଳାଫଳକୁ ଦେଖି ଆଉ ଏକ ବର୍ଷ ପାଇଁ ମାନ୍ୟତା ବୃଦ୍ଧିର ଆବଶ୍ୟକତା ରହିଛି। ଏଥିଲାଗି ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ଆବେଦନରେ ପ୍ରାର୍ଥନା କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନ୍‌ଜୀବୀ ସୁଶାନ୍ତ କୁମାର ଦାସ ମାମଲା ପରିଚାଳନା କରିଥିଲେ।

 

Share