Categories: ଜାତୀୟ

ଆତଙ୍କବାଦ ପଥ ଛାଡ଼ି ଘର ବାହୁଡ଼ି ଆସନ୍ତୁ ଯୁବବର୍ଗ

ଶ୍ରୀନଗର,୧୭।୧: ଜମ୍ମୁ-କଶ୍ମୀରରେ ସ୍ଥିତିରେ ଧୀରେଧୀରେ ପରିବର୍ତ୍ତନ ଆସିବାରେ ଲାଗିଛି। ତେବେ ଏବେ ବି ଏଠାରେ ୨୧୭ ଆତଙ୍କବାଦୀ ଲୁଚି ରହିଛନ୍ତି। ଗତ ୧୦ ବର୍ଷ ମଧ୍ୟରେ ଏହି ସଂଖ୍ୟା ସର୍ବନିମ୍ନ। ପାକିସ୍ତାନ ବିଭିନ୍ନ ପ୍ରଲୋଭନ ଦେଖାଇ ଏଠାକାର ଯୁବବର୍ଗଙ୍କୁ ଆତଙ୍କବାଦୀ ତାଲିମ ଦେବା ଲାଗି ଉସୁକାଉଥିବା ରବିବାର ଚିନାର କର୍ପସ୍‌ର ଜେନେରାଲ ଅଫିସର କମାଣ୍ଡର ଲ୍ୟୁଟନାଟ୍‌ ଜେନେରାଲ ବି.ଏସ୍‌. ରାଜୁ ସୂଚନା ଦେଇଛନ୍ତି। ୨୦୧୮ ତୁଳନାରେ ୨୦୨୦ରେ ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ କମ୍‌ ଘଟିଛି।  ସ୍ଥିତି ଏବେ ନିୟନ୍ତ୍ରଣକୁ ଆସୁଛି।  ସୁଡ଼ଙ୍ଗ ପଥ ଦେଇ ଭାରତରେ ଆତଙ୍କବାଦୀ ଅନୁପ୍ରବେଶ ପାଇଁ ପାକସ୍ତାନ ଷଡ଼ଯନ୍ତ୍ର ରଚିଛି। ସୁଡ଼ଙ୍ଗ ଠାବ ଲାଗି ଅତ୍ୟାଧୁନିକ ଉପକରଣର ବ୍ୟବହାର କରାଯିବା ସହିତ ଏଲ୍‌ଓସିରେ ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଇଥିବା ସେ କହିଛନ୍ତି। ଫଳରେ ଅନୁପ୍ରବେଶ ଘଟଣା ୭୦ ପ୍ରତିଶତ ହ୍ରାସ ପାଇଛି। ସୀମାପାର୍‌ରୁ ଡ୍ରୋନ୍‌ ସହାୟତାରେ ଆସୁଥିବା ବିଭିନ୍ନ ଅସ୍ତ୍ରଶସ୍ତ୍ର ଘଟଣା ଉପରେ ସତର୍କତା ଅବଲମ୍ବନ କରାଯାଉଛି। ସେହିପରି ସ୍ଥାନୀୟ ଯୁବବର୍ଗଙ୍କୁ ଆତଙ୍କବାଦ ପଥରୁ ଫେରାଇ ଅଣାଯିବା କାର୍ଯ୍ୟ ଜାରି ରହିଛି। ଗତ ମାସରେ ୧୭ ଜଣ ଯୁବକଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରାଯାଇଥିବା ସେ ପ୍ରକାଶ କରିଛନ୍ତି। ସରକାରଙ୍କ ସହିତ ଉପଯୁକ୍ତ ଆତ୍ମସମର୍ପଣ ନୀତିରେ ଆମେ କାମ କରୁଛୁ। ଆମେ ନିଶ୍ଚିତ ଯେ, ଏହା ସଫଳ ହେବ। ଯୁବବର୍ଗମାନେ ହିଁ ଏଠାକାର ଭବିଷ୍ୟତ ନୂତନ ଜମ୍ମୁ-କଶ୍ମୀର ଗଠନ ପାଇଁ ସେମାନେ ସମାଜର ବିକାଶ କାର୍ଯ୍ୟ ପ୍ରତି ଆକର୍ଷିତ ହେବା ଆବଶ୍ୟକ। ତେଣୁ ସେମାନେ ଆତଙ୍କବାଦ ପଥ ଛାଡ଼ି ଘର ବାହୁଡ଼ି ଆସନ୍ତୁ ବୋଲି ସେ ଅପିଲ୍‌ କରିଛନ୍ତି।

Share