ମହିମାଗାଦି ବିବାଦର ସ୍ଥାୟୀ ସମାଧାନ ହେଉ

ଢେଙ୍କାନାଳ ଅଫିସ, ୨୮।୧: କୌପୀନଧାରୀ ମହିମା ସମାଜର ଉପାସନାସ୍ଥଳୀ ଉଚ୍ଛେଦ ପରେ ଯୋରନ୍ଦା ମହିମାଗାଦିରେ ସୃଷ୍ଟି ହୋଇଛି ଅପ୍ରୀତିକର ସ୍ଥିତି। ଏହାର ସ୍ଥାୟୀ ସମାଧାନ କରିବା ଲାଗି ଶୁକ୍ରବାର ଅଞ୍ଚଳବାସୀ, ମହିମା ଅନୁଗାମୀଙ୍କ ସମେତ ବହୁ ସାଧୁସନ୍ଥ ଦାବି କରିଛନ୍ତି। ଏ ନେଇ ସେମାନେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଅଭିଯୋଗ ଅନୁଯାୟୀ, ଉପାସନାସ୍ଥଳୀ ଉଚ୍ଛେଦ ପରେ ଦୁଇ ମହିମା ସାଧୁ ଗୋଷ୍ଠୀ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି। ଜିଲା ପ୍ରଶାସନ, ନିର୍ବାଚିତ ପ୍ରତିନିଧିଙ୍କ ବାରମ୍ବାର ଚେଷ୍ଟା ସତ୍ତ୍ୱେ ଏହାର ସମାଧାନ ହୋଇପାରୁନାହିଁ। ଫେବୃୟାରୀ ୪ରୁ ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମାଘମେଳା ଆରମ୍ଭ ହେବ। ଏଥିରେ ବହୁ ଲକ୍ଷ ସାଧୁସନ୍ଥଙ୍କ ସମାଗମ ହେବ। ତେବେ ମହିମାଗାଦିରେ ଉପୁଜିଥିବା ସମସ୍ୟା ଯୋଗୁ ମେଳା ପ୍ରଭାବିତ ହେବା ଆଶଙ୍କା ଦେଖାଦେଇଛି। ତୃତୀୟ ବେଢ଼ା ମଧ୍ୟରେ ଥିବା ବତୀ ମନ୍ଦିର, ଧୁନି ମନ୍ଦିର, ଭେକ ମନ୍ଦିର ଭାଙ୍ଗି ଦିଆଯାଇଥିବାରୁ କୌପୀନଧାରୀ ମହିମା ସମାଜ ସମସ୍ୟା ବଢ଼ିଛି। ଏହାର ଆଶୁ ସମାଧାନ କରିବା ଲାଗି ପଦକ୍ଷେପ ନେବାକୁ ଦାବିପତ୍ରରେ ଉଲ୍ଲେଖ ରହିଛି।